ନୂଆଦିଲ୍ଲୀ ୧୭ ।୦୫: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଓ ରେଳ ଦୁର୍ଘଟଣା ଘଟିଛି। ସହରର କେନ୍ଦ୍ରସ୍ଥଳରେ ଥିବା ଏକ ରେଳ କ୍ରସିଂରେ ଏକ ଦ୍ରୁତଗାମୀ ମାଲଗାଡ଼ି ଏକ ଯାତ୍ରୀବାହୀ ସରକାରୀ ବସ ସହ ଧକ୍କା ହୋଇଛି। ଏହି ଭୟାବହ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।

ବ୍ୟାଙ୍କକର ଜରୁରୀକାଳୀନ ସେବା ସଂସ୍ଥା ‘ଏରାୱାନ ମେଡିକାଲ ସେଣ୍ଟର' ପକ୍ଷରୁ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରାଯାଇଛି I ମାଲଗାଡ଼ିଟି କମଳା ରଙ୍ଗର ବସକୁ ପ୍ରବଳ ଜୋରରେ ଧକ୍କା ଦେବା ସହ ଟ୍ରାକ୍ ଉପରେ କିଛି ବାଟ ଘଷି ନେଇଥିଲା, ଯାହାଫଳରେ ବସରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା।  ଥାଇଲ୍ୟାଣ୍ଡର ଉପ-ପରିବହନ ମନ୍ତ୍ରୀ ସିରିପୋଙ୍ଗ ଅଙ୍ଗକାସାକୁଲକିଆତ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ ଉଦ୍ଧାର ହୋଇଥିବା ସମସ୍ତ ୮ଟି ଶବ ବସ ଭିତରୁ ହିଁ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଦୁର୍ଘଟଣା ସମୟରେ କ୍ରସିଂ ପାଖରେ ଠିଆ ହୋଇଥିବା ଅନ୍ୟ ଗାଡ଼ି ଏବଂ ଏବଂ କେତେକ ମୋଟରସାଇକେଲ ଆରୋହୀ ମଧ୍ୟ ଏହି ଧକ୍କା ଯୋଗୁଁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ | ଦେଶର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ଉଦ୍ଧାରକାରୀ ଦଳ ବସର ପୋଡ଼ିଯାଇଥିବା ଅବଶେଷ ଭିତରକୁ ପ୍ରବେଶ କରି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛନ୍ତି।

Also Read-Hantavirus: କରୋନାଠୁ ୨୦ ଗୁଣ ଅଧିକ ଘାତକ ହଣ୍ଟାଭାଇରସ୍, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ....