ପୁରୀ ୧।୧୧: ନଭେମ୍ବର ୧ ତାରିଖ ଅର୍ଥାତ୍ ଆଜି ଠାରୁ ୨୦୨୭ ମେ’ ୩୧ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ର ଉପକୂଳରେ ଲାଗିଲା ମାଛଧରା କଟକଣା। ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ଓଡ଼ିଶା ଉପକୂଳକୁ ହେବ। ସମୁଦ୍ର ଜଳରାଶିରେ ଅଲିଭ ରିଡ଼ଲେ କଇଁଛଙ୍କ ମିଳନ ପରେ କଇଁଛ ମାନେ ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳକୁ ଆସିବେ। ଏଣୁ ଟ୍ରଲର ଏବଂ ମେସିନ୍ ଚାଳିତ ଡଙ୍ଗା ମାଡ଼ରେ ଯେଭଳି କୌଣସି ଅଲିଭ ରିଡ଼ଲେ କଇଁଛଙ୍କର ମୃତ୍ୟୁ ନହୁଏ ତାକୁ ଦୃଷ୍ଟିରେ ରଖାଯାଇ ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ସମୁଦ୍ର ଭିତର ପର୍ଯ୍ୟନ୍ତ ସମସ୍ତ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଇଥାଏ।

ତେବେ ପୁରୀ ଉପକୂଳକୁ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ସେମାନଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ଏବଂ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ବନ ବିଭାଗ ସହିତ ମେରାଇନ୍ ପୋଲିସ ପକ୍ଷରୁ ମିଳିତ ଭାବରେ ସମୁଦ୍ର ଭିତରେ ପାଟ୍ରୋଲିଂ କରାଯିବ। ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ପ୍ରବେଶ କଲେ ଏହାକୁ ଜବତ କରାଯିବ। ପୁରୀ ଉପକୂଳରେ ପ୍ରତିବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ପରିବେଶବିତ୍ ମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଠିକଣା ଭାବରେ ସମୁଦ୍ର ଭିତରେ ପାଟ୍ରୋଲିଂ ହେଉନଥିବାରୁ ନିଷିଦ୍ଧାଞ୍ଚଳରେ ବେଆଇନ୍ ଟ୍ରଲର ପ୍ରବେଶ କରୁଥିବାରୁ ଅନେକ ବିରଳ ଅଲିଭ ରିଡ଼ଲେଙ୍କ ମୃତ୍ୟୁ ହେଉଥିବା ପରିବେଶବିତ୍ ଓ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଅଭିଯୋଗ କରିଛି।

ପୁରୀ ଜିଲ୍ଲାର କେଳୁଣୀ ମୁହାଣ ଠାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧାଞ୍ଚଳ ରହିଛି। ସେହିପରି କେଳୁଣୀ ମୁହାଣ ଠାରୁ ୨୦ କିଲୋମିଟର ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। କେବଳ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଅନୁମତି ଦିଆଯାଇଛି। କେତେକ ଟ୍ରଲର ବେଆଇନ ଭାବରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରୁଥିବାରୁ ଟ୍ରଲର ଜାଲ ଦ୍ବାରା ଛନ୍ଦି ହୋଇ ଅନେକ ଅଲିଭ ରିଡ଼ଲେ କଇଁଛଙ୍କର ମୃତ୍ୟୁ ହେଉଛି। ତେବେ ସମୁଦ୍ରରେ ଉପଯୁକ୍ତ ପାଟ୍ରୋଲିଂର ଅଭାବ ସହିତ ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁଁ ବେଆଇନ୍ ଟ୍ରଲର ଗୁଡ଼ିକୁ ରୋକା ଯାଇ ପାରୁନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ସେପଟେ ପୁରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ଭାବେ ପ୍ରସ୍ତୁତି କରାଯାଇଛି। ବେଆଇନ ଟ୍ରଲର ଚାଳକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read:- ଗହୀରମଥାରେ ଲାଗିଲା ମାଛଧରା କଟକଣା, ୨୦୨୭ ମେ ୩୧ ଯାଏଁ ଜାରି ରହିବ ନିଷେଧାଦେଶ

ପ୍ରତିବର୍ଷ ନଭେମ୍ବରରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳରେ ଟ୍ରଲର ଚଳାଚଳ ଯୋଗୁଁ ପୁରୀ ଉପକୂଳରେ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଏଣୁ ବେଆଇନ ଟ୍ରଲର ଚଳାଚଳ ଉପରେ ରୋକ୍ ଲଗାଇବାକୁ ହେଲେ ସମୁଦ୍ରରେ ଅଧିକ ପାଟ୍ରୋଲିଂ ସ୍କ୍ୱାଡ୍ ମୁତୟନ କରାଯିବାର ଆବଶ୍ୟକତା ରହିଛି ।

Watch Video: