ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ରୋଚକ ତଥ୍ୟ ସାମନାକୁ ଆସିଛି। ଘଟଣାରେ ଏଯାଏଁ ୭ ଜଣକୁ ଗିରଫ କରାଯାଇଛି। ଥାନାରୁ ବାହାରିବା ପରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ଓରଫ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ।

ସେ କହିଛନ୍ତି ଯେ ଦୁଃଷ୍କର୍ମ ଉଦ୍ୟମ ସମ୍ପୂର୍ଣ୍ଣ ମିଛ । ଏମିତି କିଛି ବି ଘଟିନାହିଁ। ଘଟଣା ଦିନ ଓମ୍ ପ୍ରକାଶ ଓ ସୌମ୍ୟ ଏକାଠି ଥିଲେ। ସୌମ୍ୟ ଓ ସେ ଗୋଟିଏ ବାଇକ୍ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ଵର ସତ୍ୟବିହାର ଜିମ୍କୁ ଆସୁଥିଲେ। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ି ଆସିଛି ବୋଲି ସୌମ୍ୟ କହିଥିଲେ।

ଏହାପରେ ଓମ୍ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍ ସୌମ୍ୟଙ୍କୁ ବାତ ମାରିଥିଲା। ସେ ଅସ୍ବାଭାବିକ ଆଚରଣ ଦେଖାଇଲେ। ଓମ୍ଙ୍କ ବେକକୁ ସୌମ୍ୟ ଜୋରରେ ଧରି ପକାଇଥିଲେ। ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା।

ସମସ୍ତେ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍ ଅସ୍ଵାଭାବିକ ଆଚରଣ ଦେଖାଇବାକୁ ଲାଗିଲେ। ଜଣେ ଯୁବତୀଙ୍କ ସହ ଓମ ବି ହଠାତ୍ ମାଡ଼ ମାରିଥିଲେ ସୌମ୍ୟ।

ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ। ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ। ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ। ଚାହୁଁ ଚାହୁଁ ଡକା ଡକି ହୋଇ ଲୋକମାନେ ମାଡ଼ି ଆସିଲେ। ସୌମ୍ୟଙ୍କୁ ବାତ ମାରିଥିଲା, ସେ ବାଉଳି ହେଉଥିଲେ ପୁଲିସ୍ ଠିଆ ହୋଇଥିଲା। ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟିଲେ।