ଛତ୍ରପୁର ୩୧।୧୦: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି । ଜିଲ୍ଲାରେ ୩୬୭ ଫ୍ରି କିଚେନ ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଶନିବାର ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲାପାଳ ଛତ୍ରପୁର ବ୍ଲକର ବଉଳଗାଁ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଓ ବଉଳଗାଁ ଗ୍ରାମରେ ପହଞ୍ଚି ବନ୍ୟାପୀଡ଼ିତଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ନିଜେ ତଦାରଖ କରିଥିଲେ । ସେ ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିବା ସହ ରିଲିଫ୍ ସାମଗ୍ରୀ ଓ ଖାଦ୍ୟ ଠିକ୍ ଭାବେ ମିଳୁଛି କି ନାହିଁ, ତାହା ଜାଣିଥିଲେ ।

ରନ୍ଧା ଖାଦ୍ୟର ମାନ ଓ ପରିଚ୍ଛନ୍ନତା ପରଖିବା ପାଇଁ ଜିଲ୍ଲାପାଳ ନିଜେ ଲୋକଙ୍କୁ ଖାଦ୍ୟ ପରସିବା ସହ ସେମାନଙ୍କ ସହ ବସି ଖାଦ୍ୟ ଖାଇଥିଲେ । ଏହାଦ୍ୱାରା ରିଲିଫ୍ ଶିବିର ଓ ବନ୍ୟାପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ ।

Also Read:- ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି: ଆଶ୍ରୟସ୍ଥଳୀ ସହ ମହଜୁଦ ରହିବ ରିଲିଫ୍ ସାମଗ୍ରୀ

ବନ୍ୟା ପୀଡ଼ିତଙ୍କୁ ଗୁଣାତ୍ମକ ଓ ପରିଚ୍ଛନ୍ନ ରନ୍ଧା ଖାଦ୍ୟ ଯୋଗାଇଦେବା ସହ ଆବଶ୍ୟକ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।