ନୀଳଗିରି : ପରକୀୟା ପ୍ରୀତି ହେଲା କାଳ। ଯୁବକଙ୍କୁ ଅପହରଣ ପରେ ହତ୍ୟା। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା କେସିପୁର ପଞ୍ଚାୟତ ଜାମୁନା ଅଞ୍ଚଳରେ ଘଟିଛି। ଏହି ଗ୍ରାମର ବୀରେନ୍ଦ୍ର ବେହେରା ନାମକ ଯୁବକ ଅପହରଣ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ସାବିତ୍ରୀ ବରହମପୁର ଥାନାରେ ଗତ ମାସ ୩୧ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଞ୍ଚଳର ଗବପାଳ ଗ୍ରାମର ବିରେନ୍ ମଢେଇ ନାମକ ଯୁବକଙ୍କ ସହିତ ବିରେନ୍ଦ୍ରଙ୍କର ଭଲ ସମ୍ପର୍କ ଥିଲା। ଉଭୟ ସାଙ୍ଗ ମଧ୍ୟ ଥିଲେ। ହେଲେ ବିରେନ୍ଦ୍ର ମଢେଇଙ୍କ ସ୍ତ୍ରୀଙ୍କ ସହିତ ବିରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଗଢ଼ିଥିବା ଅଭିଯୋଗ ହୋଇଥିଲା। ଏପରିକି ଧରାପଡି ଗାଁରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମର ଭଦ୍ରଲୋକଙ୍କ ସାମ୍ନାରେ ସମାଧାନ କରାଯାଇ ୫୦ ହଜାର ଟଙ୍କା କୋର୍ଟ ପେପର ମାଧ୍ୟ୍ୟମରେ ପୈଠ କରିଥିଲେ। ଯାହା ଲେଖା ପଢ଼ା ହୋଇ ବି ରହିଥିଲା।

କିନ୍ତୁ ଏତେ ସବୁ କଥା ପରେ ବହୁ ସମୟରେ ବିରେନ ମଢେଇ ସାବିତ୍ରୀଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ। ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ କଥା ହେଲା ଗତ ମାସ ୨୫ତାରିଖରେ ଏକ ଫୋନ ନମ୍ବରରୁ ସାବିତ୍ରୀଙ୍କ ସ୍ୱାମୀ ବିରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକା ଯାଇଥିଲା। ଫୋନ ପାଇ ବୀରେନ୍ଦ୍ର ବେହେରା ଘରୁ ବାହାରି କପ୍ତିପଦା ଅଭିମୁଖେ ଯାଉଥିବା ବେଳେ ଜାମୁନା ଛକରୁ ତାଙ୍କୁ ବାଇକ ସାହାଯ୍ୟରେ ଅପହରଣ କରିନେଇଥିଲେ। ଘରକୁ ନ ଫେରିବାରୁ ବିରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହେବା ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଗତ ମାସ ୩୧ ତାରିଖରେ ବରମପୁର ଥାନାରେ ଆଶ୍ରୟ ନେଇଥିଲେ।

ବରମପୁର ପୋଲିସ ଘଟଣାର ତଦନ୍ତ ଆରମ୍ବ କରିବା ପରେ ଅଭିଯୁକ୍ତ ବିରେନକୁ ଅଟକ ରଖି ପଚରା ଉଚୁରା ପରେ ସେ ମାନି ଯାଇଥିଲା। ସେ ହତ୍ୟା କରି ମୟୁରଭଞ୍ଜ ଜିଲ୍ଲା ଉଦଳା, ନାଗପାଳ ଦେବକୁଣ୍ଡରେ ଏକ ନିଛାଟିଆ ରାସ୍ତାରେ ମାଟିଖୋଳି ପୋତି ଦେଇଥିବା ଜଣାପଡିଛି। ନୀଳଗିରି ଏସଡିପିଓ ,ବରମପୁର ଥାନା ଅଧିକାରିଣୀ, ବାଲେଶ୍ୱର ସାଇଣ୍ଟିଫିକ ଟିମ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣା ସ୍ଥଳକୁ ଯାଇ ମାଟି ଖୋଳି ଗଳିତ ଶବ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ମଧ୍ୟ କିଭଳି ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ଏନେଇ ସିନ ରିକ୍ରିଏସନ ମଧ୍ୟ କରିଥିବା ଜଣାପଡିଛି।