ବଲାଙ୍ଗିର : କୃଷି ହିଁ ଜୀବିକା ଅର୍ଜନର ପନ୍ଥା। ଚାଷ କରି ଆଜି ସେ ସାହୁକାର। ବିଲରେ କେତେ ହଳିଆ ମୂଲିଆ କାମ କରନ୍ତି। ହେଲେ ନିଜେ ହଳିଆ ହୋଇ କାମ କରିବାର ଆନନ୍ଦ ଅନୁଭବ କିଛି ଅଲଗା। ସେ ପୁଣି କାହାର, ଯିଏ ସମଗ୍ର ଜଗତକୁ ଅନ୍ନ ଯୋଗାଉଛି ସେଇ କାଳିଆ ସାଆନ୍ତଙ୍କର। ଭଜନସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ସେହି ଗୀତ ‘କାଳିଆରେ, କାଳିଆ... ଏ ଜନମ ପରେ ଆର ଜନମକୁ କରିଦେ ମୋତେ ତୋ ଜମି ହଳିଆ'। ଏ ଗୀତ ଏବେ ସତ ହୋଇଛି । ବଲାଙ୍ଗିର ଉପକଣ୍ଠ ଗଇନ୍ତଳା ଗ୍ରାମର ଚାଷୀ ବୃନ୍ଦାବନ ପଟେଲ ଏହାକୁ ସତ କରି ଦେଖାଇଛନ୍ତି। ପ୍ରଥମ ଥର ପାଇଁ ପୁରୀ ଶ୍ରୀମନ୍ଦିରକୁ ଯିବ ବଲାଙ୍ଗିର ଚାଉଳ। ଯାହାକି କୋଠ ଭୋଗରେ ଲାଗିହେବ । ଆଉ ଏହି ଚାଉଳକୁ ଆମଳ କରିବାର ସୌଭାଗ୍ୟ  ପାଇଁଛନ୍ତି ବୃନ୍ଦାବନ। 

୮୦ ହେକ୍ଟରରେ ବାସ୍ନା ଚାଉଳ, ୨୦ ହେକ୍ଟରରେ ଝାଇଁମୁଗ।  ଏଥିରେ ପଡ଼ିବନି ରାସାୟନିକ ସାର, କେବଳ ଜୈବିକ ଖତରେ ତିଆରି ହେବ କାଳିଆ ପାଇଁ ଧାନ। ଏହା ବଲାଙ୍ଗିରର ପୁଇଁତଳା, ଆଗଲପୁର, ମୁରିବାହାଲ, ପାଟଣାଗଡ଼ରେ ହେଉଛି ଚାଷ । ଝିଲି ଏବଂ “ଗୋବିନ୍ଦଭୋଗ' ‘ଅମୃତ ଅନ୍ନ ଯୋଜନାରେ ଜିଲ୍ଲାରେ ସ୍ବତନ୍ତ୍ର ଧାନ ଏବଂ ମୁଗ ଚାଷ ଆରମ୍ଭ ହୋଇଛି। ଶୁଦ୍ଧଧାନ ଚାଷପାଇଁ ଜିଲ୍ଲା କୃଷି ବିକାର ପକ୍ଷରୁ ପ୍ରଥମେ ମୁରିବାହାଲ, ଆଗଲପୁର, ପାଟଣାଗଡ଼, ପୁଇଁନ୍ତଳା ବ୍ଳକରେ ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଚିହ୍ନଟ କରିଥିଲେ। ଅଧିକାରୀ ଯାଇ ସେଠାରେ ଚାଷୀ  ଚାଷ କେମିତି କରିବେ, ରୋଗପୋକ ନିୟନ୍ତ୍ରଣ କେମିତି ହେବ ଏବଂ ତାହାର ବିପନ୍ନ ଆଦି ସମ୍ପର୍କରେ ବୁଝାଇଥିଲେ। ଚିହ୍ନଟ ହୋଇଥିବା ଜମିର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜମି ମାଲିକଙ୍କୁ ଗତ ଜୁଲାଇରେ ପ୍ରଥମେ ଧଣିଚା ଦିଆଯାଇଥିଲ। ହେକ୍ଟର ପ୍ରତି ୩୦ କେଜି ହାରରେ ତାକୁ ବୁଣାଯାଇଥିଲା। ଧଣିଚା ପଚି ଜମିରେ ଖତ ହେବାପରେ ହେକ୍ଟର ପିଛା ୫ ଟ୍ରିପ ଗୋବର ଖତ ପକାଇ ସେଠାରେ ଧାନ ତଳି ପକାଯାଇଥିଲା। ଅମଳ ଧାନକୁ ଖୋଲା ବଜାର କିମ୍ବା ମଣ୍ଡିରେ ବିକ୍ରି କରାଯିବ ନାହିଁ। ଏହାକୁ କିଣିବା ପାଇଁ କୃଷିବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ କଷ୍ଟର ବେସ ଅର୍ଗାନାଇଜେସନକୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହାକୁ  ଚାଷୀକୁ ସେହି ପ୍ରାପ୍ୟ ଦେବେ। ବଲାଙ୍ଗିର ଗଇଂନ୍ତଳାର ଚାଷୀ ବୃନ୍ଦାବନ ୯ ଏକର ଜମିରେ ଏହି ଚାଷ କରିବା ସୌଭାଗ୍ୟ ପାଇଛନ୍ତି। କୌଣସି ସାର କି କୀଟନାଶକ ବ୍ୟବହାର କରୁ ନାହାନ୍ତି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ପ୍ରଥମ ଥରପାଇଁ ଏହି ଯୋଜନାରେ ଚାଷ ଆରମ୍ଭ ହୋଇଥିବା କହିଛନ୍ତି। ଯେଉଁ ଚାଷୀ ଭକ୍ତି ଭାବସହ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ସେମାନଙ୍କୁ ସାମିଲ କରାଯାଇଛି। ଏହି ଯୋଜନା ଆଗାମୀ ୫ ବର୍ଷ ପାଇଁ ଚାଲିବ। ଧାନ ଅମଳ ପରେ ତାହାର ମାନ ଯାଞ୍ଚହେବ।  ଓଡିଶା ଷ୍ଟେଟ ସିଡ ଆଣ୍ଡ ଅର୍ଗାନିକ ପ୍ରଡକ୍ଟ ସାର୍ଟିଫିକେସନ ଏଜେନ୍ସି ଜରିଆରେ ମାନ ଯାଞ୍ଚପରେ ସିଧା ଶ୍ରୀ ମନ୍ଦିର ଯିବ ଏହି ଚାଉଳ।

ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଯୁବ ଶକ୍ତି ନିଶାଠୁ ଦୂରରେ ରହିବା ଜରୁରୀ, ସମସ୍ତେ ସଂକଳ୍ପ ନେବା, ନିଶାକୁ ନା ଜୀବନ ଓ ପ୍ରଗତିକୁ ହଁ...