ମୁମ୍ବାଇ: ବଲିଉଡର ବହୁପ୍ରତୀକ୍ଷିତ ସସପେନ୍ସ ଥ୍ରୀଲର ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍'କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଦୃଶ୍ୟମ୍ ୩' (Drishyam: The Conclusion) ଅକ୍ଟୋବର ୨ରେ ପରଦାକୁ ଆସିବ। ଏହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ତେବେ ଦୃଶ୍ୟମ ୩ ବିଜୟ ସାଲଗାଓଁକରଙ୍କ କାହାଣୀର ଶେଷ ଭାଗ ହେବ କି ? ଏହି କାହାଣୀର ଆଉ କୌଣସି ଆଗାମୀ ସିକ୍ୱେଲ ବା ଚତୁର୍ଥ ଭାଗ ଆସିବ କି ? ନିଜେ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ଏହା ଉପରୁ ପରଦା ହଟାଇଛନ୍ତି।

କାହାଣୀର ଅନ୍ତ ଘଟିବ !

ମାଲାୟାଲମ୍ ଭାଷାରେ 'ଦୃଶ୍ୟମ୍'ର ଚତୁର୍ଥ ଭାଗ ନିର୍ମାଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଅଜୟ ଦେବଗନଙ୍କ 'ଦୃଶ୍ୟମ୍ ୪' ଆସିବ କି ନାହିଁ, ସେ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନ ଉଠୁଥିଲା। ଏହି ସନ୍ଦେହ ଉପରୁ ପରଦା ହଟାଇ ନିର୍ଦ୍ଦେଶକ ଅଭିଷେକ ପାଠକ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୀରେ 'ଦୃଶ୍ୟମ୍ ୩' ହିଁ ବିଜୟ ସାଲଗାଓଁକର ଓ ତାଙ୍କ ପରିବାରର କାହାଣୀର ଶେଷ ପର୍ଯ୍ୟାୟ ହେବ। ଏହା ମାଲାୟାଲମ୍ 'ଦୃଶ୍ୟମ୍ ୩'ର ସିଧାସଳଖ ରିମେକ୍ ନୁହେଁ, ବରଂ ଏହାକୁ ଏକ ଭିନ୍ନ ଓ ସ୍ୱତନ୍ତ୍ର କାହାଣୀ ରୂପେ ପ୍ରସ୍ତୁତ କରାଯାଇଛି।

Also Read: ସିନେମା ନୁହେଁ, ଟେକ୍ନୋଲୋଜିର ଧମାକା; ଇତିହାସ ରଚିଲା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ରାକା’ ହାତେଇଲା ଗିନିଜ୍ ରେକର୍ଡ

ନୂଆ ସ୍କ୍ରିପ୍ଟ ପାଇଁ ୪ ବର୍ଷ ସମୟ

ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, କେବଳ ବ୍ୟବସାୟିକ ସଫଳତା କିମ୍ବା ଟଙ୍କା ରୋଜଗାର କରିବା ପାଇଁ ସେମାନେ ତରବରିଆ ଭାବେ ଏହି ଫିଲ୍ମ ଆଣିନାହାନ୍ତି। 'ଦୃଶ୍ୟମ୍ ୨'ର ସଫଳତା ପରେ ଚାହିଁଥିଲେ ୨ ବର୍ଷ ମଧ୍ୟରେ ତୃତୀୟ ଭାଗ ଆଣିପାରିଥାନ୍ତେ, କିନ୍ତୁ ସ୍କ୍ରିପ୍ଟକୁ ସମ୍ପୂର୍ଣ୍ଣ ନୂଆ କରିବା ପାଇଁ ପ୍ରାୟ ୪ ବର୍ଷର ସମୟ ନିଆଯାଇଛି। ଦର୍ଶକଙ୍କ ଭାବନା ଓ ପସନ୍ଦକୁ ସମ୍ମାନ ଦେଇ ଏକ କ୍ରିଏଟିଭ୍ ନିଷ୍ପତ୍ତି କ୍ରମେ ଏହାକୁ ତିଆରି କରାଯାଇଛି।

Also Read: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ମାତୃ ବିୟୋଗ, ୭୫ ବର୍ଷ ବୟସରେ କ୍ରିଷ୍ଣା ମୁଖାର୍ଜୀଙ୍କ ପରଲୋକ

ଉଲ୍ଲେଖଯୋଗ୍ୟ ଯେ, ଅଜୟ ଦେବଗନ, ତବୁ, ଶ୍ରିୟା ସରନ୍, ଜୟଦୀପ ଅହଲାୱତ ଓ ପ୍ରକାଶ ରାଜଙ୍କ ଭଳି ଦମଦାର କଳାକାରଙ୍କ ଅଭିନୀତ ଏହି ଫିଲ୍ମଟି 'ଦୃଶ୍ୟମ୍: ଦି କନକ୍ଲୁଜନ୍' ନାମରେ ଗାନ୍ଧୀ ଜୟନ୍ତୀ ଅବସରରେ ହଲକୁ ଆସିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଜୟ ସାଲଗାଓଁକର ନିଜ ପରିବାରକୁ ବଞ୍ଚାଇବା ପାଇଁ ଶେଷ ଚାଲ୍ କିଭଳି ଚଳାଉଛନ୍ତି, ତାହା ଦେଖିବାକୁ ଦର୍ଶକ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।