ନୂଆଦିଲ୍ଲୀ: ଟଙ୍କା ଉଠାଣ ପାଇଁ ଭାରତୀୟଙ୍କ ସବୁଠୁ ନିର୍ଭରଯୋଗ୍ୟ ମାଧ୍ୟମ ଡେବିଟ୍ କାର୍ଡ। ଦୀର୍ଘ ବର୍ଷରୁ ଗ୍ରାହକ ଏହି କାର୍ଡ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଣ କରି ଆସୁଛନ୍ତି। ଏଟିଏମରୁ ଟଙ୍କା ଉଠାଣ ବାସ୍ତବିକ ସୁବିଧାଜନକ। ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନୂଆ ତଥ୍ୟକୁ ଦେଖିଲେ ଦେଶରେ ଡେବିଟ୍ କାର୍ଡ ଉପଯୋଗ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ନୂଆ ତଥ୍ୟ ଅନୁସାରେ ଗତ ୨ ବର୍ଷରେ ଡେବିଟ୍ କାର୍ଡ ଉପଯୋଗ ୪୪% ପର୍ଯ୍ୟନ୍ତ ହ୍ରାସ ହୋଇଛି।

ଏଟିଏମରୁ ଟଙ୍କା ଉଠାଣ କରୁଥିବା ଲୋକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ହେଉଛି। କେନ୍ଦ୍ରୀୟ ବ୍ୟାଙ୍କଙ୍କ ୨୦୨୬ ଆର୍ଥିକ ବର୍ଷ ରିପୋର୍ଟ ଅନୁସାରେ ଡେବିଟ୍ କାର୍ଡ ନେଣଦେଣ୨୦୨୩-୨୪ରେ ୨୨,୮୬୦ ଲକ୍ଷରୁ ହ୍ରାସ ହୋଇ ୨୦୨୪-୨୫ରେ ୧୬,୧୨୦ ଲକ୍ଷ ଓ ୨୦୨୫-୨୬ରେ ୧୨,୮୦୨ଲକ୍ଷକୁ ପହଞ୍ଚିଛି। ତେବେ ଏଟିଏମ ଉଠାଣରେ ଏପରି ହ୍ରାସର ଯାହା ମୁଖ୍ୟ କାରଣ ତାହା ହେଉଛି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇ। ଦେଶରେ ୟୁପିଆଇର ଉପଯୋଗ ବଢିବା ସହ ଏଟିଏମର ବ୍ୟବସାୟ କମିଛି।

ତଥ୍ୟ ଅନୁସାରେ ୨୦୨୩-୨୪ରେ ୟୁପିଆଇ ନେଣଦେଣ ୧୩,୧୧,୨୯୫ରୁ ବଢି ୨୪,୧୬,୧୬୯ ଲକ୍ଷ ହୋଇଯାଇଛି। ଏହା ପାଖାପାଖି ୮୪% ବୃଦ୍ଧିକୁ ଦର୍ଶାଉଛି। ଏବେ ଲୋକେ ଛୋଟମୋଟ କାମ ଯେପରି ଦୋକାନରୁ ସଉଦା କିଣିବା, ପନିପରିବା ଓ ଅନ୍ୟ ଆବଶ୍ୟକ ସାମଗ୍ରୀ କିଣିବା, ବିଦ୍ୟୁତ ଓ ପାଣି ବିଲ୍ ପୈଠ କରିବା ଆଦି କାମରେ ୟୁପିଆଇ ଉପଯୋଗ କରୁଛନ୍ତି ଓ ଏହା ଏବେ ଡିଫଲ୍ଟ ପୈଠ ଉପାୟ ପାଲଟିଯାଇଛି। ଏଣୁ ଡେବିଟ କାର୍ଡ ସ୍ୱାପ କରିବା ଅଥବା ଟ୍ୟାପ୍ କରିବା ଆଉ ଆବଶ୍ୟକ ପଡୁ ନାହିଁ।

ସାଧାରଣତଃ ଡେବିଟ୍ କାର୍ଡକୁ ସେଭିଂ ଆକାଉଣ୍ଟ ସହ ଡିଫଲ୍ଟ କରାଯାଇଛି। ବିନା କୌଣସି ଆବେଦନରେ ଏହା ମିଳିଯାଉଛି। ହେଲେ କ୍ରେଡିଟ କାର୍ଡ ଏପରି ମିଳେ ନାହିଁ। ରିପୋର୍ଟ ଅନୁସାରେ ଏବେ ଲୋକେ ଡେବିଟ୍ କାର୍ଡ ବଦଳେ କ୍ରେଡିଟ୍ କାର୍ଡର ବେଶି ଉପଯୋଗ କରୁଛନ୍ତି। ଏପ୍ରିଲ ୨୦୨୬ରେ କ୍ରେଡିଟ କାର୍ଡର ବାର୍ଷିକ ହାରରେ କାରବାରରେ ୨୩% ବୃଦ୍ଧି ହୋଇଛି। ସେହିପରି ଏହି ଅବଧିରେ ନେଣଦେଣ ମୂଲ୍ୟ ୭% ବଢିଛି।