ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଚିଲି ଦେଶର ଶୁଷ୍କ 'ଆଟାକାମା ମରୁଭୂମି' ର 'ସେରୋ ଆର୍ମାଜୋନ୍ସ' ପାହାଡ଼ ଶୀର୍ଷରେ ନିର୍ମାଣାଧୀନ 'ଏକ୍ସଟ୍ରିମ୍‌ଲି ଲାର୍ଜ ଟେଲିସ୍କୋପ୍' (ELT) ଏବେ ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଏହା ମାନବ ଇତିହାସର ସବୁଠାରୁ ବଡ଼ ଅପ୍ଟିକାଲ୍ ଏବଂ ଇନଫ୍ରାରେଡ୍ ଟେଲିସ୍କୋପ୍ (ମହାକାଶ ଦୂରବୀକ୍ଷଣ ଯନ୍ତ୍ର)।

ୟୁରୋପିଆନ୍ ସଦର୍ଣ୍ଣ ଅବଜରଭେଟରୀ (ESO) ଦ୍ୱାରା ନିର୍ମିତ ଏହି ବିଶାଳକାୟ ଟେଲିସ୍କୋପ୍ ମହାକାଶ ବିଜ୍ଞାନ ଓ ପରଗ୍ରହୀ ଜୀବନର ସନ୍ଧାନ କ୍ଷେତ୍ରରେ ଏକ ବିପ୍ଳବ ଆଣିବାକୁ ଯାଉଛି। ELT ର ମୁଖ୍ୟ ଦର୍ପଣର ବ୍ୟାସ ୩୯.୩ ମିଟର (ପ୍ରାୟ ୧୩୦ ଫୁଟ)। ଏହା ୭୯୮ଟି ଷଡ଼ଭୁଜାକାର ସ୍ୱତନ୍ତ୍ର କାଚ ଖଣ୍ଡକୁ ଯୋଡ଼ି ତିଆରି କରାଯାଇଛି।

ଏହା ବର୍ତ୍ତମାନର ଅନ୍ୟ ଯେକୌଣସି ବଡ଼ ଟେଲିସ୍କୋପ୍ ତୁଳନାରେ ୧୬ ଗୁଣ ଅଧିକ ସ୍ପଷ୍ଟ ଛବି ଉଠାଇପାରିବ। ଏହାର ପ୍ରଚଣ୍ଡ ଆକାର ହେତୁ ଏହା ମହାକାଶରୁ ବହୁତ କ୍ଷୀଣ ଓ ଦୂରବର୍ତ୍ତୀ ଆଲୋକକୁ ସଂଗ୍ରହ କରିବାରେ ସକ୍ଷମ। ମହାକାଶବିଜ୍ଞାନୀମାନଙ୍କ ଆଶା, ELT ଆମ ସୌରମଣ୍ଡଳ ବାହାରେ ଥିବା ଗ୍ରହଗୁଡ଼ିକରେ ଜୀବନର ସମ୍ଭାବନା ଉପରେ ସବୁଠାରୁ ବଡ଼ ପ୍ରମାଣ ଦେଇପାରିବ।

ଦୂରବର୍ତ୍ତୀ ସୂର୍ଯ୍ୟ ପରି ନକ୍ଷତ୍ର ଚାରିପାଖରେ ବୁଲୁଥିବା 'ପୃଥିବୀ ଭଳି ଗ୍ରହ'ଗୁଡ଼ିକର ବାୟୁମଣ୍ଡଳକୁ ଏହା ସିଧାସଳଖ ଅନୁଧ୍ୟାନ କରିପାରିବ।  ଏହି ଗ୍ରହଗୁଡ଼ିକର ବାୟୁମଣ୍ଡଳରେ ଅମ୍ଳଜାନ (Oxygen), ଓଜୋନ୍ , ମିଥେନ୍, ଜଳୀୟ ବାଷ୍ପ ଏବଂ ଅନ୍ୟାନ୍ୟ ଜୈବିକ ଗ୍ୟାସର ଉପସ୍ଥିତି ଅଛି କି ନାହିଁ ତାହା ELT ଚିହ୍ନଟ କରିପାରିବ। ପୃଥିବୀରେ ଏହିସବୁ ଗ୍ୟାସ୍ ଜୀବସତ୍ତା କିମ୍ବା ଜୀବଜନ୍ତୁଙ୍କ ଦ୍ୱାରା ସୃଷ୍ଟି ହୋଇଥାଏ।

ଏହା ପୂର୍ବରୁ କୌଣସି ଟେଲିସ୍କୋପ୍ ଦୂରବର୍ତ୍ତୀ ଛୋଟ ଗ୍ରହଗୁଡ଼ିକର ସ୍ପଷ୍ଟ ଛବି ନେଇପାରୁ ନଥିଲେ, କିନ୍ତୁ ELT ପ୍ରଥମ ଥର ପାଇଁ ପୃଥିବୀ ସଦୃଶ ଗ୍ରହଗୁଡ଼ିକର ସିଧାସଳଖ ଫଟୋ ନେବାରେ ସଫଳ ହେବ। କେବଳ ଏଲିଅନ୍ ସନ୍ଧାନ ନୁହେଁ, ELT ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ମହାକାଶ ରହସ୍ୟ ଉପରୁ ପରଦା ହଟାଇବ । ବିଗ୍ ବ୍ୟାଙ୍ଗର କିଛି ସମୟ ପରେ ସୃଷ୍ଟି ହୋଇଥିବା ସବୁଠାରୁ ପୁରୁଣା ଗାଲାକ୍ସିଗୁଡ଼ିକୁ ଏହା ଦେଖିପାରିବ। ବ୍ରହ୍ମାଣ୍ଡର ୯୫% ଅଂଶ ଯେଉଁ ଅଦୃଶ୍ୟ ଶକ୍ତି ଓ ମ୍ୟାଟର୍ ଦ୍ୱାରା ଗଠିତ, ତାହାର ସମ୍ପ୍ରସାରଣ ଏବଂ ପ୍ରକୃତିକୁ ବୁଝିବାରେ ଏହା ସାହାଯ୍ୟ କରିବ।

ଗାଲାକ୍ସିଗୁଡ଼ିକର କେନ୍ଦ୍ରରେ ଥିବା ବିଶାଳକାୟ ବ୍ଲାକ୍ ହୋଲଗୁଡ଼ିକର ଗତିବିଧିକୁ ଅଧିକ ନିକଟରୁ ଯାଞ୍ଚ କରିବ। ଚିଲିର ସ୍ୱଚ୍ଛ, ଶୁଷ୍କ ଏବଂ କୋଳାହଳମୁକ୍ତ ଆକାଶ ତଳେ ଅବସ୍ଥିତ ଏହି 'ସୁପର-ଟେଲିସ୍କୋପ୍' କାର୍ଯ୍ୟକ୍ଷମ ହେବା ପରେ, ‘ଆମେ ଏହି ବ୍ରହ୍ମାଣ୍ଡରେ ଏକା ଅଛୁ ନା ଆଉ କେହି ଅଛନ୍ତି ? — ମାନବଜାତିର ଏହି ବହୁ ପ୍ରତୀକ୍ଷିତ ପ୍ରଶ୍ନର ଉତ୍ତର ମିଳିବାର ସମ୍ଭାବନା ଅନେକ ଗୁଣ ବୃଦ୍ଧି ପାଇଛି।