କେନ୍ଦୁଝର: ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ଶବ ଖୋଳି ନେବା ଭଳି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଚର୍ଚ୍ଚିତ ହୋଇଛି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ଘୋର ଲଜ୍ଜିତ ମଧ୍ୟ ହୋଇଛି। ଏମିତିରେ ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତ ଦେଇଥିବା ବେଳେ, ତଦନ୍ତକାରୀ ଟିମ୍ ପ୍ରାଥମିକ ତଦନ୍ତରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟୀ ଥିବା ଜଣାପଡ଼ିଛି। ହେଲେ ମଲ୍ଲୀପଶି ଗ୍ରାମୀଣ ବ୍ୟାଙ୍କ ସପକ୍ଷରେ ବାହାରି ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଆସୋସିଏସନ।

ଏନେଇ ଶୁକ୍ରବାର ଅପରାହ୍ନରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିତୁ ମୁଣ୍ଡାଙ୍କ ଘଟଣାରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କୁହାଯାଇଛି। ଏହା ସହ ଆରଡିସିଙ୍କ ତଦନ୍ତକୁ ଦୃଢ଼ ଭାବରେ ନିନ୍ଦା କରିଛି ସଂଘ। ଏପରିକି ଏଥିରେ ବ୍ୟାଙ୍କ ଓ ବ୍ୟାଙ୍କ ମ୍ୟାନେଜରଙ୍କର ସମ୍ମାନ ମଧ୍ୟ ଖରାପ ହେଉଛି ବୋଲି କୁହାଯାଇଛି। ଏହା ସହ ମଲ୍ଲୀପଶି ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର ସୁଶାନ୍ତ କୁମାର ସେଠୀଙ୍କୁ କ୍ଲିନ ଦେଲା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଆସୋସିଏସନ।

ଏପରିକି ଯଦି ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତେବେ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ମ୍ୟାନେଜରଙ୍କ ସପକ୍ଷରେ ବାହାରିବ ବୋଲି ଚେତାବନୀ ଦେଇଛି ସଂଘ।