ଭୁବନେଶ୍ୱର ୩୦।୦୩ : ଆଜି ବି ବିଧାନସଭା ଅଚଳ । ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଗୁରୁବାର ରୁକୁଣା ରଥଯାତ୍ରା ଲାଗି ବିଧାନସଭା ଅଧାରୁ ବନ୍ଦ ହୋଇଥିଲା । ଏହାପରେ ଶୁକ୍ରବାର, ଶନିବାର, ରବିବାର ଛୁଟି ଥିବାରୁ ବନ୍ଦ ଥିଲା ବିଧାନସଭା। ସୋମବାର କାର୍ଯ୍ୟ ସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଂଗତ ସାଂସଦ ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ନାରାୟଣ ସାହୁ ପାଲଲହଡ଼ା ୨ଥର ବିଧାୟକ ହୋଇଥିବା ବେଳେ ଦେବଗଡ଼ରୁ ଥରେ ସାଂସଦ ହୋଇଥିଲେ।

Also Read:-ପାଲମପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ ମୁଚାକି

ତେବେ ଶୋକପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ହେଲେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ଏନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ବିରୋଧୀ ।