ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାଠାରୁ କଂଗ୍ରେସ ନେତା ପବନ ଖେଡ଼ାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଯେକୌଣସି ମତେ ଆସାମ ପୋଲିସ ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେବାକୁ ଚେଷ୍ଟା ଚଳାଇଛି । କିନ୍ତୁ ପବନ ଖେଡ଼ାଙ୍କୁ ପୁଣି ଥରେ ଆସାମର ଏକ କୋର୍ଟ ଆଶ୍ବସ୍ତି ଦେଇଛନ୍ତି । ତାଙ୍କ ବିରୋଧରେ ଜାମିନ ବିହୀନ ଓାରେଣ୍ଟ(NBW) ଜାରି ପାଇଁ କୋର୍ଟରେ ଆବେଦନ କରିଥିଲା ଆସାମ ପୋଲିସ । ତେବେ ଆସାମ ପୋଲିସର ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଲେଙ୍ଗାନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବାର ଗୋଟିଏ ଦିନ ପୂର୍ବରୁ ସୋମବାର ପବନ ଖେଡ଼ାଙ୍କୁ ଏହି ଆଶ୍ବସ୍ତି ମିଳିଛି ।

‘ଅନୁମାନ ଉପରେ ଆଧାରିତ ପୋଲିସ ଯୁକ୍ତି’

ସିଜେଏମ କହିଛନ୍ତି ଯେ, ତଦନ୍ତକାରୀ ଅଧିକାରୀ (ଆଇଓ) ଜାମିନ ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଯେଉଁ ଆଧାର ଉଲ୍ଲେଖ କରିଛନ୍ତି ତାହା କେବଳ ଅନୁମାନ ଉପରେ ଆଧାରିତ । ଏହା ବ୍ୟତୀତ, ଯେହେତୁ ମାମଲାଟି ବିଚାରଯୋଗ୍ୟ ଏବଂ ଅପରାଧ ଜାମିନ ବିହୀନ ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ତଦନ୍ତ ପାଇଁ ଆବଶ୍ୟକ ମନେ ହେଲେ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ପୂର୍ବରୁ ବିଏନଏସଏସର ଧାରା ୩୫ ଅନୁଯାୟୀ ଗିରଫ କରିବାର କ୍ଷମତା ଅଛି। ମୁଖ୍ୟ ନ୍ୟାୟିକ ବିଚାରପତି କହିଛନ୍ତି, ‘ଉପରୋକ୍ତ ଦୃଷ୍ଟିରୁ, ଜାମିନ ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଅନୁରୋଧକୁ ଏହି ପର୍ଯ୍ୟାୟରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଛି।’

Also Read: ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ପାଖରେ ୩ ଦେଶର ପାସ୍ପୋର୍ଟ: ଖେଡ଼ାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

କ’ଣ ଥିଲା ଘଟଣା ?

ସୂଚନାଥାଉକି, ଖେଡାଙ୍କ ବିରୋଧରେ ଗୌହାଟି କ୍ରାଇମ୍ ବ୍ରାଞ୍ଚ ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା, ଧାରା ୧୭୫ ଏବଂ ୩୧୮ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ଏପ୍ରିଲ ୬ ତାରିଖରେ କଂଗ୍ରେସ ନେତା ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ରିଙ୍କି ଦାବି କରିଥିଲେ ଯେ, ପବନ ଖେଡ଼ା ଏପ୍ରିଲ ୫ ତାରିଖରେ ନୂଆଦିଲ୍ଲୀ ଏବଂ ଗୌହାଟିରେ ଅନୁଷ୍ଠିତ ଦୁଇଟି ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲେ ତାହା ମିଥ୍ୟା ଏବଂ ଭିତ୍ତିହୀନ।

କ’ଣ କହିଥିଲେ ପବନ ଖେଡ଼ା

ପ୍ରକୃତରେ ପବନ ଖେଡ଼ା କହିଥିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ପାଖରେ ଅନେକ ପାସପୋର୍ଟ, ଗୋଲ୍ଡେନ କାର୍ଡ ଏବଂ ବିଦେଶରେ ସମ୍ପତ୍ତି ଅଛି। ଯାହା ତାଙ୍କ ସ୍ୱାମୀଙ୍କ ନିର୍ବାଚନୀ ଶପଥପତ୍ରରେ ଉଲ୍ଲେଖ କରାଯାଇନାହିଁ। ତେବେ ମାମଲାରେ ପବନ ଖେଡ଼ାଙ୍କୁ ଏପ୍ରିଲ ୧୦ ତାରିଖରେ ତେଲେଙ୍ଗାନା ହାଇକୋର୍ଟ ସପ୍ତାହେ ପାଇଁ ଟ୍ରାଞ୍ଜିଟ୍ ଆଗୁଆ ଜାମିନ୍ ଦେଇଥିଲେ।

Also Read: ପବନ ଖେଡ଼ାଙ୍କ ଘରେ ପହଞ୍ଚିଲା ଆସାମ ପୁଲିସ: ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଆଣିଥିଲେ ଅଭିଯୋଗ

ହେଲେ ଗତ ସପ୍ତାହରେ ସୁପ୍ରିମକୋର୍ଟ ଆସାମ ସରକାରଙ୍କ ଏକ ଆବେଦନର ଶୁଣାଣି କରି ଏହି ମାମଲାରେ ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସୁପ୍ରିମକୋର୍ଟ ରିଙ୍କି ଭୂୟାଁ ଶର୍ମାଙ୍କ ଦ୍ୱାରା ତାଙ୍କ ବିରୁଦ୍ଧରେ ଦାୟର ମାମଲାରେ ଏପ୍ରିଲ ୨୦ ପର୍ଯ୍ୟନ୍ତ ଗିରଫଦାରୀରୁ ସୁରକ୍ଷା ପାଇଁ ଖେଡ଼ାଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ।