ନୂଆଦିଲ୍ଲୀ ୨୨।୦୭; ଆସାମରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ରାଜ୍ୟର ଅନେକ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ, ଜନଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ସମ୍ପର୍କିତ ବିଭିନ୍ନ ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜ୍ୟର ୧୬ ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯେତେବେଳେ ୮୭୨ ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ହଜାର ହଜାର ପରିବାର ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଲଗାଣ ବର୍ଷା ଆସାମରେ ବିପର୍ଯ୍ୟୟ ଆଣିଛି। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ଅନେକ ସ୍ଥାନରେ ବନ୍ୟା ପାଣି ଗାଁ ଓ ସହର ଭିତରକୁ ପଶିଯାଇଛି । ହଜାର ହଜାର ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନ ଓ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ବନ୍ୟାର ପ୍ରଭାବରେ ରାସ୍ତାଘାଟ, ପୋଲ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳରେ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଡଙ୍ଗା ଓ ଅନ୍ୟାନ୍ୟ ଉଦ୍ଧାର ସାମଗ୍ରୀ ସହାୟତାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଆହୁରି ବର୍ଷାର ସମ୍ଭାବନା ବ୍ୟକ୍ତ କରାଯାଇଥିବାରୁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ନଦୀକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଆବଶ୍ୟକ ନହେଲେ ଘରୁ ବାହାରକୁ ନଯିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି ।