ଗୌହାଟୀ, ୨୩ /୦୩: ଟିକେଟ୍ ପାଇଁ ଗଣ୍ଡଗୋଳ । ପାର୍ଟି ଅଫିସରେ ଭଙ୍ଗାରୁଜା କଲେ କର୍ମୀ । ଟିକେଟ୍ ନମିଳିବାରୁ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ । ଏପରି ଘଟଣା ସାମ୍ନାକୁ ଆସିଛି ଆସାମ କଂଗ୍ରେସର ଦଳୀୟ କାର୍ଯ୍ୟାଳୟରେ ।

ରିପୋର୍ଟ ଅନୁସାରେ, ଆସାମର ବିଜନୀ ବିଧାନସଭା ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ କଂଗ୍ରେସର କର୍ମୀ ନିଜ ଦଳୀୟ ଅଫିସରେ ଭଙ୍ଗାରୁଜା କରିଛନ୍ତି । ଏହାସହ ସେମାନେ ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ଫଟୋକୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କର୍ମୀଙ୍କୁ ସବୁ ମହଲରେ ସମାଲୋଚନା କରାଯାଉଛି ।

ବିଜନୀ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ରବିବାର ବିଜନୀରେ ଥିବା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କିଛି କର୍ମୀ ନାରାବାଜି କରୁଥିଲେ । ଏହି ଆସନରୁ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ନମିଳିବାରୁ ତାଙ୍କ କର୍ମୀ ହୋହଲ୍ଲା କରିଥିଲେ । ସେମାନେ ଦଳର ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ ଜାହିର କରିଥିବା ବେଳେ ତୃଣମୂଳ ସ୍ତରର କର୍ମୀଙ୍କୁ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ ।

ପ୍ରଦର୍ଶନକାରୀଙ୍କ କହିବାନୁସାରେ, ପ୍ରଥମେ ଶାନ୍ତି ଶୃଙ୍ଖଳାରେ ବିରୋଧ ପ୍ରଦର୍ଶନ କରାଯାଉଥିଲା । ପରେ ଏହା ଅଶାନ୍ତ ହୋଇପଡିଥିଲା । ଅସନ୍ତୁଷ୍ଟ କର୍ମୀ ଦଳୀୟ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ । ସେଠାରେ ଥିବା ଆସବାବପତ୍ରକୁ ଫିଙ୍ଗି ଦେଇଥିଲେ ।

ଜୁବିନ ଗର୍ଗଙ୍କଗ ଫଟୋକୁ ଟାର୍ଗେଟ୍

କର୍ମୀମାନେ କାର୍ଯ୍ୟାଳୟରେ ଲାଗିଥିବା ଜୁବିନ୍ ଗର୍ଗଙ୍କ ଫଟୋକୁ ଟାର୍ଗେଟ୍ କରିଥିଲେ । ଚଉକି ଧରି ଫଟୋକୁ ସେମାନେ ଆକ୍ରମଣ କରିଥିଲେ । ଯାହା ସେମାନଙ୍କ କ୍ରୋଧର ପ୍ରତୀକ ବୋଲି କୁହାଯାଉଛି । ଯାହାକୁ ନେଇ ସମାଲୋଚନା କରାଯାଉଛି । ଜଣେ ଲୋକପ୍ରିୟ ଗାୟୟକଙ୍କ ଫଟୋକୁ ଏପରି କରିବା ଠିକ୍ ନୁହେଁ ବୋଲି ଅନେକ କହୁଛନ୍ତି । ଆଉ କେହି କଂଗ୍ରେସ ନିଜର ଭୋଟବ୍ୟାଙ୍କ୍ ପାଇଁ ମୃତ ଗାୟକଙ୍କ ଫଟୋ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।