ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଭାରତୀୟ ମହିଳା ଦଳ ଦ୍ଵିତୀୟ ସେମି ଫାଇନାଲରେ ବାଂଲାଦେଶକୁ ହରାଇ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରବେଶ କରିଛି। ଏହା ସହ ମହିଳା କ୍ରିକେଟରେ ଭାରତ ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛି। ଏବେ ସ୍ଵର୍ଣ୍ଣ ପଦକ ପାଇଁ ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଦମଦାର ଫର୍ମରେ ଥିବା ଭାରତର ପ୍ରଦର୍ଶନକୁ ଦେଖିଲେ ଦଳ ସ୍ଵର୍ଣ୍ଣ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ଫାଇନାଲରେ ହାରିବା ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ଉଲ୍ଲେଖନୀୟ ଭାରତ ବାଂଲାଦେଶକୁ ଏବଂ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଏସୀୟ କ୍ରୀଡ଼ା ୨୦୨୬ର ଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟପଟେ ଦୁଇ ପରାଜିତ ଦଳ ପାକିସ୍ତାନ ଓ ବାଂଲାଦେଶ କାଂସ୍ୟ ପଦକ ମୁକାବିଲାରେ ମୁହାଁମୁହିଁ ହେବେ। ପ୍ରଥମେ କାଂସ୍ୟ ପଦକ ମୁକାବିଲା ଖେଳାଯିବ। ଏହା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ମ୍ୟାଚ୍ ସେପ୍ଟେମ୍ବର ୨୨ ମଙ୍ଗଳବାର ଦିନ ଖେଳାଯିବ। ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ସକାଳ ୫ଟା ୩୦ ଏବଂ ଭାରତ ବନାମ ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ୍ ସକାଳ ୧୦ଟା ୩୦ରେ ଖେଳାଯିବ।

Also Read: ଏସୀୟ କ୍ରୀଡ଼ା ୨୦୨୬ରେ ଶେଫାଳି ବର୍ମାଙ୍କ ଐତିହାସିକ ଶତକ, ନିଜ ନାଁରେ ରଚିଲେ ଅନେକ କିର୍ତ୍ତୀମାନ

ବାଂଲାଦେଶକୁ ଶୋଚନୀୟ ଭାବେ ହରାଇଲା ଭାରତ

ଶେଫାଳି ବର୍ମାଙ୍କ ବିସ୍ଫୋରକ ଶତକ ଦମରେ ଭାରତ ସେମି ଫାଇନାଲରେ ୧୯୫ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ଶେଫାଳି ବର୍ମା ୪୯ ବଲରୁ ୧୦୦ ରନର ଶତକୀୟ ଇନିଂସ ଖେଳିଥିଲେ। ଜବାବରେ ବାଂଲାଦେଶ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ୮୧ ରନରେ ଅଲଆଉଟ୍ ହୋଇଛି। ୧୧୪ ରନର ବିଶାଳ ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ବୋଲିଂରେ ଦୀପ୍ତି ଶର୍ମା ଓ ନନ୍ଦାନୀ ଶର୍ମା ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

ଫାଇନାଲ୍ ଏବଂ କାଂସ୍ୟ ପଦକ ମ୍ୟାଚ୍‌ର ସମ୍ପୂର୍ଣ୍ଣ ସୂଚୀ

ସ୍ବର୍ଣ୍ଣ ପଦକ ମ୍ୟାଚ୍

ଭାରତୀୟ ମହିଳା ଟିମ୍ ବନାମ ଶ୍ରୀଲଙ୍କା ମହିଳା ଟିମ୍

ସୋମବାର, ୨୨ ସେପ୍ଟେମ୍ବର ୨୦୨୬

ସମୟ: ଭାରତୀୟ ସମୟ ପୂର୍ବାହ୍ନ ୧୦ ଟା ୩୦

କାଂସ୍ୟ ପଦକ ମ୍ୟାଚ୍

ପାକିସ୍ତାନ ମହିଳା ଟିମ୍ ବନାମ ବାଂଲାଦେଶ ମହିଳା ଟିମ୍

ସୋମବାର, ୨୨ ସେପ୍ଟେମ୍ବର ୨୦୨୬

ସମୟ: ଭାରତୀୟ ସମୟ ସକାଳ ୫ ଟା୩୦