ସିଡନୀ, ୨୪/୧୨: ଆସେସ ସିରିଜ ମଝିରେ ଇଂଲଣ୍ଡ କ୍ରିକେଟରଙ୍କ ମଦ୍ୟପାନ । ମଦ ପିଇଲେ ଏବଂ ବାଉଳି ଚାଉଳି ହେଲେ । ଯାହାକୁ ନେଇ ଖପ୍ପା ଇଂଲଣ୍ଡ ଏବଂ ଓ୍ୱେଲସ କ୍ରିକେଟ ବୋର୍ଡ । ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରବ୍ କି ଖେଳାଳିଙ୍କ ଏପରି ଆଚରଣର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟ୍ ମ୍ୟାଚ୍ ବ୍ୟବଧାନ ମଝିରେ ଖେଳାଳି ମଦ ପିଇବା ଭିଡିଓ ଭାଇରାଲ ହେଲା ପରେ ବୋର୍ଡ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ, ଇଂଲଣ୍ଡ ଚଳିତ ଆସେସ ସିରିଜରେ ଅତି ଶୋଚନୀୟ ପ୍ରଦର୍ଶନ କରିଛି । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ଅଷ୍ଟ୍ରେଲିଆ ଆଗୁଆ କବଜା କରିନେଇଛି । ଲଗାତାର ତିନୋଟି ମୁକାବିଲା ହାରି ପରାସ୍ତ ହୋଇଛି ଇଂଲଣ୍ଡ । ମାତ୍ର ୧୧ ଦିନରେ ହିଁ ସିରିଜର ବିଜେତା ମିଳିଯାଇଛି । ଯାହାକୁ ନେଇ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାମଧ୍ୟରେ ଖେଳାଳିଙ୍କ ମଦ୍ୟପାନର ଭିଡିଓ ଫ୍ୟାନ୍ସଙ୍କୁ ଅଧିକ କ୍ରୋଧିତ କରିଛି ।

ମିଡିଆ ରିପୋର୍ଟ ଅନୁସାରେ, ଦ୍ୱିତୀୟ ଟେଷ୍ଟ୍ ପରେ ଇଂଲଣ୍ଡ କ୍ରିକେଟର କୁଇନ୍ସଲ୍ୟାଣ୍ଡର ସନସାଇନ୍ କୋଷ୍ଟରେ କିଛି ସମୟ ବିତାଇଥିଲେ । କିନ୍ତୁ ସେଠାରେ ସେମାନେ ପ୍ରଚୁର ମଦ ପିଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଇଂଲଣ୍ଡ କ୍ରିକେଟର ବେନ୍ ଡକେଟ୍ ହୋଟେଲକୁ ଯିବା ବେଳେ ସଙ୍ଘର୍ଷ କରୁଥିଲେ । ସେ ଠିକ ଭାବେ ଚାଲିପାରୁନଥିଲେ । ଏଣୁତେଣୁ ଗପୁଥିଲେ । ଅନ୍ୟ ଏକ ଭିଡିଓରେ ବ୍ୟାଟର ଜ୍ୟାକବ୍ ବେଥେଲ୍ ନାଇଟ୍ କ୍ଲବରେ ନାଚୁଥିବା ଦେଖିବାକୁ ମିଳିଥିଲା ।

ଘଟଣାକୁ ନେଇ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କହିଛି ଯେ, ଭାଇରାଲ ହେଉଥିବା ଭିଡିଓ ଉପରେ ନଜର ରଖାଯାଇଛି । ଏହାର ତଦନ୍ତ କରାଯିବ । ଏହାର ସତ୍ୟାସତ୍ୟ ପରଖାଯିବ । ବୋର୍ଡ ଏମଡି କହିଛନ୍ତି ଯେ, କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଅନ୍ତର୍ଜାତୀୟ କ୍ରିକେଟର କେବେହେଲେ ଏତେ ପରିମାଣରେ ଆଲକହଲ ଗ୍ରହଣ କରିବା ଠିକ୍ ନୁହେଁ । ପୂର୍ବରୁ ସବୁ କିଛି ଠିକ୍ ଚାଲିଥିଲା । ଖେଳାଳିମାନେ ସୁରୁଖୁରରେ ଲଞ୍ଚ୍ ଏବଂ ଡିନର କରିଥିଲେ । କିନ୍ତୁ ପରେ ସେମାନେ ମଦ୍ୟପାନ କରିଥିବା କୁହାଯାଉଛି । ଯହାକୁ ବୋର୍ଡ ଗୁରୁତର ସହ ନେଇଛି ।

ସୂଚନାଯୋଗ୍ୟ, ସିରିଜରେ ଏବେସୁଦ୍ଧା ବେନ୍ ଡକେଟ୍ ସର୍ବାଧିକ ୨୯ ରନ୍ କରିଛନ୍ତି । ୬ ଟି ଇନିଂସରେ ସେ ବିଫଳ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଏକ ମୁକାବିଲା ପରେ ମଧ୍ୟ ତାଙ୍କ ବିରୋଧରେ ଅତ୍ୟଧିକ ମଦ୍ୟପାନ କରିଥିବା ଅଭିଯୋଗ ଆସିଥିଲା ।