ଗୋଆ: ଅଯୋଧ୍ୟା ରାମମନ୍ଦିର ‘ଚାନ୍ଦା ଚୋରି’ (ଦାନ ଚୋରି) ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି ଯେ ଏପରି ଲାଗୁଛି ଜମି ଦିଆନିଆ, ନିର୍ମାଣରେ କମିଶନ ଓ ଚାନ୍ଦା ଚୋରି ଜଣାପଡିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୋଷୀଙ୍କୁ ସଂରକ୍ଷଣ ଦେଉଛନ୍ତି। ଗୋଆ ଗସ୍ତ ଅବସରରେ କେଜରିୱାଲ ଜୋର ଦେଇ କହିଛନ୍ତି ଯେ ଘଟଣାକ୍ରମର ଉତ୍ତରଦାୟିତା ଉପରେ ଗୁରୁତର ପ୍ରଶ୍ନ ଉଠୁଛି, କାରଣ ରାମ ମନ୍ଦିର ଟ୍ରଷ୍ଟର ଗଠନ ନିଜେ ପ୍ରଧାନମନ୍ତ୍ରୀ କରିଥିଲେ, ଏହାର ସଦସ୍ୟ ଚୟନ ମଧ୍ୟ ସେ ନିଜେ କରିଥିଲେ ଓ ଚମ୍ପତ ରାୟଙ୍କୁ ସେ ଏହାର ମୁଖିଆ ନିଯୁକ୍ତ କରିଥିଲେ।

ଆପ ମୁଖିଆ କହିଛନ୍ତି ଯେ ଏହି ମାମଲାରେ ଇସ୍ତଫା, ଗିରଫଦାରୀ, ଏକ ଦୁର୍ବଳ ଏସଆଇଟି ଓ ଏଫଆଇଆର କେବଳ ଲୋକ ଦେଖାଣିଆକୁ ଓ ଏହାର ଉଦ୍ଦେଶ୍ୟ କେବଳ କାର୍ଯ୍ୟାନୁଷ୍ଠାନର ଆଭାଷ କରାଇବା ମାତ୍ର। ହେଲେ ବାସ୍ତବରେ ଅନିୟମିତତା ପାଇଁ ଦାୟି ବଡ ଓ ପ୍ରଭାବଶାଳୀ ଲୋକଙ୍କୁ ଲଗାତାର ସଂରକ୍ଷଣ ଦିଆଯାଉଛି। ଆପ ର ଗୋଆ ପ୍ରଭାରୀ ଅତିଶୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେଜରିୱାଲ କହିଛନ୍ତି ଯେ ଗୋଆର ଲୋକେ ଅତ୍ୟନ୍ତ ଧାର୍ମିକ। ଯେତେବେଳେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଚାଲିଥିଲା ଗୋଆର ହିନ୍ଦୁମାନେ ପୁରା ଶ୍ରଦ୍ଧା ଓ ଭକ୍ତିର ସହିତ ଉଦାରତା ପୂର୍ବକ ଦାନ କରିଥିଲେ। ହେଲେ ଏବେ ଯେତେବେଳେ ଶ୍ରୀରାମ ମନ୍ଦିର ଦୁର୍ନୀତି ଓ ଚାନ୍ଦାଚୋରି ଖବର ସାମ୍ନାକୁ ଆସୁଛି ତମାମ ଗୋଆର ସନାତନୀ ଅନୁଗାମୀଙ୍କୁ ଗଭୀର ଆଘାତ ଦେଇଛି। ଏପରି ଖବର ଆସୁଛି ଯେ ପ୍ରଭୁ ଶ୍ରୀ ରାମଙ୍କ ମାଳା, ପାଦୁକା ଓ ଆଭୂଷଣ ମଧ୍ୟ ଚୋରି ହୋଇଯାଇଛି।

କେଜରିୱାଲ କହିଛନ୍ତି ଯେ ଭକ୍ତ ବହୁ ଶ୍ରଦ୍ଧାରେ ହୀରା ଓ ମୂଲ୍ୟବାନ ରତ୍ନ ପ୍ରଭୁଙ୍କୁ ଉପହାର ଦେଇଥିଲେ ଓ ତାହା ବି ଏବେ ଉଭାନ ହୋଇଯାଇଛି। ଏଥିରେ କିଏ ଜଣେ ୨୦୦ କେଜିର ରୁପା ଇଟା ଦାନ କରିଥିଲେ ତାହା ମଧ୍ୟ ନାହିଁ। ରୁପା ଦୀପ ଚୋରି ହୋଇଯାଇଛି ଓ ନଗଦ ୨୦୦ କୋଟି ଟଙ୍କା ଉଭାନ। ଏହି ମାମଲାରେ ଯେତେ ଯେତେ ନୂଆ କଥା ସାମ୍ନାକୁ ଆସୁଛି ଭକ୍ତଙ୍କ ମନକୁ ସେତିକି ଆଘାତ ଲାଗୁଛି। କେଜରିୱାଲ କହିଛନ୍ତି ଯେ ଏହା ଆଜିକାଲିର ଘଟଣା ନୁହେଁ। ଏହାର ପ୍ରାରମ୍ଭ ୨୦୨୧ରେ ଏକ ବଡ଼ ଭୂମି ଜାଲିଆତିରୁ ହୋଇଥିଲା।

ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ରାମଭକ୍ତଙ୍କ ଠାରୁ କୋଟିକୋଟି ଟଙ୍କା ଆଦାୟ ହୋଇଥିଲା ଓ ୨୦୨୧ ଜମି କିଣା ଏହି କଥାର ଏକ ଉଦାହରଣ ଅଟେ, କିପରି ସେହି ପଇସାକୁ ହଡ଼ପ କରାଗଲା। ଅଯୋଧ୍ୟାର ଏକ ପାଠକ ପରିବାର ନିଜ ପାର୍ଟିର ଜଣେ ନେତାଙ୍କୁ ୨ କୋଟି ଟଙ୍କାରେ ଜମି ବିକ୍ରି କଲେ। ସେହି ନେତା ମାତ୍ର ୧୦ ମିନିଟ୍ ରେ ଜମିକୁ ୧୮ କୋଟି ଟଙ୍କାରେ ମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଦେଲେ। ସ୍ପଷ୍ଟ ରୂପେ ମନ୍ଦିର ନିର୍ମାଣ ଲାଗି ଭକ୍ତ ଦେଇଥିବା ଦାନରୁ ୧୬ କୋଟି ଟଙ୍କା ହଡ଼ପ କରାଯାଇଥିଲା। କେଜରିୱାଲ କହିଛନ୍ତି ଯେ ସେ ସମୟରେ ଏହି ହେରଫେର ଘଟଣା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସାଉଁଟିଥିଲା ଓ ସମସ୍ତେ ଏ କଥା ଜାଣି ଯାଇଥିଲେ।

ତେବେ କେବଳ ଏହା ଗୋଟିଏ ମାତ୍ର ଜମିକିଣା ଅନିୟମିତତା ନୁହେଁ। ମନ୍ଦିର ଟ୍ରଷ୍ଟ ୩ କୋଟି ଟଙ୍କାର ଆଉ ଏକ ଜମିକୁ ୨୪ କୋଟି ଟଙ୍କାରେ, ୯ କୋଟି ଟଙ୍କାର ଆଉ ଏକ ପ୍ଲଟକୁ ୫୫ କୋଟି ଟଙ୍କାରେ ଓ ୧୪ କୋଟି ଟଙ୍କାର ଏକ ଜମିକୁ ୯୫ କୋଟି ଟଙ୍କାରେ କିଣି ରାମମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠୁ ଆଦାୟ ହୋଇଥିବା ଟଙ୍କାକୁ ହଡ଼ପ କରାଯାଇଥିଲା। ସେମାନେ ୧ ଟଙ୍କାର ଜମିକୁ କିପରି ୧୦ ଟଙ୍କାରେ କିଣୁଥିଲେ ଏହି ଲେନଦେନ ସମ୍ପର୍କିତ ଦସ୍ତାବେଜ୍ ଏବେ ସାର୍ବଜନିକ ରୂପେ ଉପଲବ୍ଧ ହେଉଛି।

ଏ ତ ଗଲା ଜମିକିଣା ଅନିୟମିତତା କଥା ସେହିପରି ନିର୍ମାଣ କାମ ଯେତେବେଳେ ଆରମ୍ଭ ହେଲା ଇଞ୍ଜିନିୟରମାନେ ରେକର୍ଡରେ ସାକ୍ଷୀ ଦେଇଛନ୍ତି ଯେ ପ୍ରତ୍ୟେକ ଟେଣ୍ଡର ଉପରେ ୪୦% କମିଶନ ଦାବି କରୁଥିଲେ। ଏବେ ଚାନ୍ଦା ଚୋରି ହେଉଥିବା କଥା ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ୪୦ ଦିନରେ ୭୦ ଥର ଚାନ୍ଦା ଚୋରିର ପ୍ରମାଣ ମିଳିଛି। ସିସିଟିଭି ଫୁଟେଜରେ ଲୋକଙ୍କୁ ୭୦ ଥର ଚୋରି କରୁଥିବା ଦେଖା ଯାଇଛି। ତେବେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ୮ ମାସର ସିସିଟିଭି ଫୁଟେଜ ଡିଲିଟ କରିଦିଆଯାଇଛି। ଏବେ ଯାହା କିଛି ବି ସାମ୍ନାକୁ ଆସୁଛି ତାହା ଏକ ବିଶାଳ ଚୋରିର ଏକ ସାମାନ୍ୟ ଅଂଶ। ହେଲେ କେହି ଜାଣନ୍ତିନି ଯେ ଏହା ଠୁ ଅଧିକ କେତେ କଣ ଚୋରି ହୋଇ ଯାଇଛି।

ଏହି ସବୁ କଥାକୁ ନେଇ ଆସୁଥିବା ପ୍ରତିକ୍ରିୟା ଉପରେ ପ୍ରଶ୍ନ ଉଠଇ କେଜରିୱାଲ କହିଛନ୍ତି ଯେ ପ୍ରତ୍ୟେକ ରାମ ଭକ୍ତ, ପ୍ରତ୍ୟେକ ସନାତନୀ ଓ ପ୍ରତ୍ୟେକ ହିନ୍ଦୁଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ତାହା ହେଉଛି ଚାନ୍ଦା ଚୋରଙ୍କୁ ଦଣ୍ଡ ମିଳିବତ?ଏଥିରେ ସାମିଲ ବଡ଼ ନାମ ମାନେ ଧରାପଡିବେ ତ? ଏପରି ଲାଗୁଛି ଯେବେଠୁ ମାମଲା ସାମ୍ନାକୁ ଆସିଲାଣି ସେବେଠୁ ଏହାକୁ ଚପାଇବାକୁ, ପ୍ରମାଣ ନଷ୍ଟ କରିବାକୁ ଓ ମାମଲାରେ ସାକ୍ଷୀଙ୍କୁ ଡରାଇବା ଧମକାଇବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଏଥିରେ ପୁରା ପ୍ରକରଣକୁ ହିଁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି।

ଏଥିରେ ପ୍ରଧାନମନ୍ତ୍ରୀଙ୍କ ଜବାବକୁ ନେଇ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ‘ଟିଭି ଆଙ୍କର କହୁଛନ୍ତି ମାମଲାରେ ପ୍ରଧାନମନ୍ତ୍ରୀ କାହାରିକୁ ବି ଛାଡିବେନି ଓ ମାମଲାରେ କ୍ଷମତାଶାଳୀ ବି ଦଣ୍ଡିତ ହେବେ ତାହା ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିବେ। ତାଙ୍କର ଦାବି ହେଉଛି ଏ ପର୍ଯ୍ୟନ୍ତ ଏ ସବୁ କଥାର ସୂଚନା ପ୍ରଧାନମନ୍ତ୍ରୀଙ୍କୁ ନଥିଲା, ହେଲେ ଏ କଥାକୁ ଲୋକେ ବିଶ୍ୱାସ କରିବେନି। ସେମାନଙ୍କୁ ପୁରା ବିଶ୍ୱାସ ପ୍ରଧାନମନ୍ତ୍ରୀ ମାମଲାରେ ସବୁ ଜାଣନ୍ତି। ପ୍ରଧାନମନ୍ତ୍ରୀ ନିଜେ ଟ୍ରଷ୍ଟ ଗଠନ କରିଥିଲେ ଓ ଏହାର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ନିଜେ ବାଛିଥିଲେ। ଚମ୍ପତ ରାୟ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସହଯୋଗୀ, ଯାହାଙ୍କୁ ମୋଦି ମୁଖ୍ୟ କରିଥିଲେ। ମନ୍ଦିର ନିର୍ମାଣର ସବୁ କ୍ଷମତା ଓ ପରିଚାଳନା ଚମ୍ପତ ରାୟଙ୍କ ହାତରେ ଥିଲା। ତାଙ୍କ ବିନା ମଞ୍ଜୁରିରେ କୌଣସି କାମ ହେଉ ନଥିଲା’।

କେଜରିୱାଲ କହିଛନ୍ତି ଯେ ‘ଯେଉଁ ଲୋକେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ମାମଲାରେ କିଛି ଜାଣନ୍ତିନି ସେମାନଙ୍କୁ ଜବାବ ଦେବା ଉଚିତ ଯେ ତାଙ୍କ ଅଜାଣତରେ ଦୀର୍ଘ ସମୟ ହେଲା ଏ ଘଟଣା କିପରି ଚାଲିଥିଲା। ୨ କୋଟି ଟଙ୍କାରେ କିଣା ଯାଇଥିବା ଜମି ୧୮ କୋଟିରେ ବିକ୍ରି ହେଲା, ଏହି ଖବର ଗଣମାଧ୍ୟମରେ ପ୍ରସାରିତ ବି ହେଲା ତା ପରେ ବି ମୋଦି ଜାଣି ନାହାନ୍ତି। ନିର୍ମାଣ ଲାଗି ୪୦% କମିଶନ ଦାବି କରାଯାଉଥିଲା, ଚାନ୍ଦା ବି ଚୋରି ହେଉଥିଲା, ୨୦୦ କୋଟି ରୁପା ଇଟା ଉଭାନ ହୋଇଗଲା, ଭଗବାନଙ୍କ ମାଳା, ପାଦୁକା, ମୂଲ୍ୟବାନ ଆଭୂଷଣ ଉଭାନ ହୋଇଗଲା, ୪୦ ଦିନରେ ସିସିଟିଭିରେ ୭୦ ଚୋରି ରେକର୍ଡ ହେଲା ଓ ୮ ମାସର ଫୁଟେଜ ଡିଲିଟ କରିଦିଆଗଲା। ସେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ଜଣାନଥିଲା?’

କେଜରିୱାଲ କହିଛନ୍ତି ଯେ ‘ଟ୍ରଷ୍ଟରେ କେନ୍ଦ୍ର ସରକାରଙ୍କର ଜଣେ ପ୍ରତିନିଧି ମଧ୍ୟ ଥିଲେ। ସେହି ପ୍ରତିନିଧି ମଧ୍ୟ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ କିଛି ଜଣାଉନଥିଲେ? ପ୍ରଧାନମନ୍ତ୍ରୀଙ୍କୁ ସାରା ଦେଶର ଭୋଟ ଗ୍ରହଣ କେନ୍ଦ୍ରରେ କେଉଁ ଭୋଟ କେଉଁ ପାର୍ଟିର ତାର ଖାବର ରହୁଛି, ଏସଆଇଆର ପ୍ରକ୍ରିୟାରେ କାହାର ନାମ କଟିବ କିଏ ଯୋଡି ହେବେ ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣା। ଏଥିରୁ ଆମେ ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଅନ୍ଧାରରେ ଥିଲେ ତାହା ଆମେ କିପରି ମାନିନେବା? ମାମଲାରେ ପ୍ରଧାନମନ୍ତ୍ରୀ ସବୁ କିଛି ଜାଣନ୍ତି’। କେଜରିୱାଲ କହିଛନ୍ତି ଯେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆମେ ଜାଣିବାକୁ ପାଇଛୁ ଯେ ଗୁଇନ୍ଦା ବ୍ୟୁରୋ (ଆଇବି) ରାମ ମନ୍ଦିର ଚାନ୍ଦା ଚୋରି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ୧୨ଟି ରିପୋର୍ଟ ଦେଇଛି। ଏହା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ, ପ୍ରଧାନମନ୍ତ୍ରୀ କବଳ ନିଜ ଲୋକଙ୍କୁ ବଞ୍ଚାଉ ଥିଲେ।

ସେହିପରି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନକୁ ନେଇ କେଜରିୱାଲ କହିଛନ୍ତି ଯେ ‘ଯେବେ ମାମଲା ଦବାଇବା ଆଉ ସମ୍ଭବ ନ ହେଲା ସେତେବେଳେ ଏକ ଏସଆଇଟି ଗଠନ ହେଲା ’। କେଜରିୱାଲ କହିଛନ୍ତି ଯେ ମୁଁ ଆଇନକୁ ବୁଝେ, ଆୟକର ବିଭାଗରେ ଦୀର୍ଘ ବର୍ଷ କାମ କରିଛି। ବିନା ଏଫଆଇଆରରେ ଏସଆଇଟି ଗଠନ ଆଇନତଃ ସମ୍ଭବ ନୁହେଁ। ଏହି ଏସଆଇଟି ଅବୈଧ ଓ ଏହାର କୌଣସି ଅଧିକାର ନାହିଁ। ଏହି ଏସଆଇଟି କାହାରିକୁ ଗିରଫ କରିପାରିବନି କି କେଉଁଠି ଚଢଉ କରିପାରିବନି, କି ସମନ ବି ଜାରି କରିପାରିବନି। ଏସଆଇଟି ଗଠନ ପରେ ଯେବେ ଆପ ସାଂସଦ ସଞ୍ଜୟ ସିଂହ ରାମ ମନ୍ଦିର ଜମି କିଣା ଅନିୟମିତତା ସମ୍ପର୍କରେ କାଗଜପତ୍ର ଜମା କଲେ ଏସଆଇଟି କହିଲେ ଜମି କିଣାବିକା ଯାଞ୍ଚ କରିବା ତାଙ୍କ ଅଧିକାର କ୍ଷେତ୍ରରେ ବାହାରେ। ତେବେ ଏହି ଏସଆଇଟିର ଶକ୍ତି କ’ଣ? ୨୦୨୧ରେ ଯେବେ ରାମମନ୍ଦିର ଜମି କିଣା ଦୁର୍ନୀତି ସାମ୍ନାକୁ ଆସିଲା ସେତେବେଳେ ଏହାର ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରାଯାଇଥିଲା। ସେହି ଏସଆଇଟିର କଣ ହେଲା ତାହା କେହି ଜାଣନ୍ତିନି। ନା ଏଫଆଇଆର ହେଲା ନା କେହି ଗିରଫ ହେଲେ ସମୟ ସହିତ ଏସଆଇଟି ସମାପ୍ତ ହୋଇଗଲା। ଏହି ଏସଆଇଟିର ମଧ୍ୟ ଦଶା ସେଇଆ ହେବ। ଏହା କେବଳ ଜନତାଙ୍କୁ ଭ୍ରମିତ କରିବାର ଏକ ଉଦ୍ୟମ। ସେମାନେ ଜଣନ୍ତି ଲୋକଙ୍କ ସ୍ମରଣ ଶକ୍ତି କମ୍ ଏଣୁ ସେମାନେ ପ୍ରତି ୧୫ ଦିନରେ ଯାଞ୍ଚକୁ ଆଗକୁ ବଢାଇବେ, ଯେଉଁ ପର୍ଯ୍ୟନ୍ତ ଏହି ଏସଆଇଟି ଚୁପଚାପ ନ ହଜି ଯାଇଛି।

ସେହିପରି ଚାନ୍ଦାଚୋରି ଗିରଫକୁ ନେଇ କେଜରିୱାଲ କହିଛନ୍ତି ଯେ ସେମାନେ ଏବେ ଏକ ମିଥ୍ୟା ଏଫଆଇଆର ରୁଜୁ କରି ମନ୍ଦିରର କିଛି ମାମୁଲି କର୍ମଚାରୀଙ୍କୁ ଗିରଫ କରିଛନ୍ତି। ଏମାନେ କେବଳ ନଗଦ ଗଣୁଥିଲେ, ନଗଦ ୨୦୦ କୋଟି ଟଙ୍କା ଗାୟବ କରାଯାଇଛି ଜବତ ମାତ୍ର ୮୦ ଲକ୍ଷ ଟଙ୍କା ହୋଇଛି। ଏହା ସତ୍ତ୍ୱେ ସେମାନେ ନିଜକୁ ବଧେଇ ଦେଉଛନ୍ତି ଓ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଗିରଫ ୮ କର୍ମଚାରୀଙ୍କୁ ଆଶ୍ୱାସନ ଦିଆଯାଇଛି ଯେ ଚିନ୍ତା କରନି କାରଣ କିଛି ଦିନରେ ସେମାନଙ୍କୁ ଜାମିନ ମିଳିଯିବ। ସେହିପରି ଟ୍ରଷ୍ଟ ସମ୍ପର୍କରେ କହିବାକୁ ଯାଇ ଚମ୍ପତ ରାୟ ସମେତ ୨ ଜଣ ଇସ୍ତଫା ଦେଇଛନ୍ତି। କିନ୍ତୁ ଅଯୋଧ୍ୟାରୁ ଆସୁଥିବା ଖବରରେ ଚମ୍ପତ ରାୟ ଏବେବି ମନ୍ଦିର ସଞ୍ଚାଳନ କରୁଛନ୍ତି। ଏଣୁ ଇସ୍ତଫା, ଗିରଫ, ଏଫଆଇଆର ଓ ଏସଆଇଟି କେବଳ ଲୋକ ଦେଖାଣିଆ। ପ୍ରଧାନମନ୍ତ୍ରୀ ମୋଦି ପୁରା ପ୍ରକରଣକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି କେଜରିୱାଲ କହିଛନ୍ତି।

କେଜରିୱାଲ କହିଛନ୍ତି ଯେ ଏମାନଙ୍କର ପ୍ରଭୁ ଶ୍ରୀରାମଙ୍କ ଉପରେ କୌଣସି ଆସ୍ଥା ନାହିଁ। ସେମାନେ ପ୍ରଭୁ ଶ୍ରୀରାମ ଙ୍କ ଉପରେ ବିଶ୍ୱାସ କରନ୍ତିନି କି ତାଙ୍କ ଆଶିର୍ବାଦ ମାଗନ୍ତିନି। ଯଦି ସତରେ ସେମାନେ ରାମଙ୍କୁ ଭଗବାନ ମାନୁଥାନ୍ତେ ଚାନ୍ଦା ଚୋରି କରି ନଥାନ୍ତେ, ପାପ ଓ ଏହାର ପରିଣାମକୁ ଡରି ଥାନ୍ତେ। ସେମାନଙ୍କଠାରେ ଏପରି କୌଣସି ଡର ନାହିଁ, ସେମାନେ ପ୍ରଭୁ ଶ୍ରୀରାମଙ୍କୁ କେବଳ ଏକ ପଥର ତିଆରି ମୂର୍ତ୍ତି ବୋଲି ଭାବନ୍ତି। ସେମାନଙ୍କ ଲାଗି ଶ୍ରୀରାମଙ୍କର ନାମର ଆବଶ୍ୟକତା କେବଳ ଭୋଟ ପାଇଁ ଓ ନୋଟ୍ ପାଇଁ ବୋଲି କହିଛନ୍ତି।