ଭୁବନେଶ୍ୱର ୧୨।୧୧ : ପକ୍କା ଘର ପାଇବେ ରାଜ୍ୟର ୭ ଲକ୍ଷ ହିତାଧିକାରୀ। ଗରିବ ଓ ଗୃହହୀନ ପରିବାରଙ୍କ ମୁଣ୍ଡ ଉପରେ ରହିବ ପକ୍କା ଛାତ। ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ଆୟୋଜିତ ହେବ ବଡ଼ କାର୍ଯ୍ୟକ୍ରମ।

ରାଜ୍ୟରେ ଆବାସ ଯୋଜନାକୁ ନେଇ ବଡ଼ ଖବର। ଏକାଥରକେ ୭ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ ଯାଉଛନ୍ତି ସରକାର। ଏଥିପାଇଁ ନଭେମ୍ବର ୧୪ ତାରିଖରେ ବଲାଙ୍ଗୀରରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ତାଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ। ସବୁଠାରୁ ବଡ଼ କଥା ହେଉଛି, ଏହି ୭ ଲକ୍ଷ ଘର ଦୁଇଟି ଯୋଜନାରେ ଦିଆଯିବ। ୩ ଲକ୍ଷ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ମିଳିବ। ସେହିପରି ୪ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।

Also Read:-ସାରଦା ନାୟକଙ୍କ ବଡ଼ ଘୋଷଣା, ଆଗାମୀ ବିଧାନସଭା ନିର୍ବାଚନରୁ ଓହରିବେ

ଅର୍ଥାତ୍ ଗୋଟିଏ ମଞ୍ଚରୁ ୭ ଲକ୍ଷ ପରିବାରଙ୍କ ପାଇଁ ଆବାସ ସହାୟତାର ବଡ଼ ଘୋଷଣା ଓ ବଣ୍ଟନ କାର୍ଯ୍ୟକ୍ରମ ହେବ। ଗ୍ରାମାଞ୍ଚଳରେ ଯେଉଁ ପରିବାରଗୁଡ଼ିକ ଦୀର୍ଘଦିନ ଧରି ପକ୍କା ଘର ଅପେକ୍ଷାରେ ରହିଛନ୍ତି, ସେମାନଙ୍କ ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।କେବଳ ଘର ନୁହେଁ, ଗରିବ ପରିବାରଙ୍କୁ ସୁରକ୍ଷିତ ଆବାସ ଯୋଗାଇବା ସହ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବଲାଙ୍ଗୀରରେ ଏହି ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଏବେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା।