ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କ ସମେତ ଅନ୍ୟମାନଙ୍କ ଆବେଦନ ଉପରେ ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ସୋମବାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ପିଟିସନରେ ଏହି ମାମଲାରୁ ନିମ୍ନ କୋର୍ଟଙ୍କ ରାୟ ବିରୋଧରେ ସିବିଆଇ ପିଟିସନର ଶୁଣାଣିରୁ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ପୃଥକ ଦାବି (ରିକ୍ୟୁଜଲ) କରାଯାଇଛି। କୋର୍ଟରେ ଅରବିନ୍ଦ କେଜରିୱାଲ ନିଜେ ନିଜ ପାଇଁ ତର୍କ ଉପସ୍ଥାପନା କରିଛନ୍ତି। ସେହିପରି ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା, ମନିଷ ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ତର୍କ ରଖିଛନ୍ତି।

ଏହି ଅବସରରେ ସିବିଆଇ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କ ରିକ୍ୟୁଜଲ ଆବେଦନକୁ ଖାରଜ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଅନ୍ୟ ବେଞ୍ଚ ମଧ୍ୟ ଏହା ଉପରେ ବିଚାର କରିଛନ୍ତି ଓ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି। ମେହେଟ୍ଟା କହିଛନ୍ତି ଯେ ଆମେ ଜିତି ପାରୁ ବା ହାରି ପାରୁ, କିନ୍ତୁ କୋର୍ଟ ପ୍ରତି ଆମେ ନିରପେକ୍ଷ ରହିବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ମାମଲାକୁ କୌଣସି ଅନ୍ୟ ଜଜ୍ ଙ୍କ ପାଖକୁ ପଠାଇ ଦିଆଯାଉ କହିବା ସହଜ। ହେଲେ ଏହା ଯୋଗୁ ଯେଉଁ ଉଦାହରଣ ସୃଷ୍ଟି ହେବ ତା ଉପରେ ବି ଧ୍ୟାନ ଦିଆଯିବା ଦରକାର।

ତୁଷାର ମେହେଟ୍ଟା କହିଛନ୍ତି ଯେ ମାନନୀୟ ବିଚାରପତି ଏହି ମାମଲାରେ ଶୁଣାଣି କରିପାରିବେ କି ନା ତାହା ପ୍ରଶ୍ନ ନୁହେଁ ବରଂ ଏହି ଆଧାରରେ ଯଦି ବିଚାରପତି ନିଜକୁ ମାମଲାରୁ ପୃଥକ କରି ନିଅନ୍ତି ତେବେ ଅନ୍ୟ ବିଚାରପତି ଏହି ମାମଲାର ଶୁଣାଣି କରିପାରିବେ ତାହା କୁହାଯାଇ ପାରିବ କି?

ଏଥିରେ କେଜରିୱାଲ ତାଙ୍କର ତର୍କ ରଖିଥିଲେ। କେଜରିୱାଲ ନିଜ ପାଇଁ ନିଜେ ତର୍କ କରିବାକୁ କୋର୍ଟଙ୍କ ଅନୁମତି ଲାଗି ଧନ୍ୟବାଦ ଜଣାଇଥିଲେ। ଏହାର ଜବାବରେ ବେଞ୍ଚ କହିଥିଲେ ‘ଆମେ ତ ଆପଣଙ୍କ ସେବା ଲାଗି ଅଛୁ’। କେଜରିୱାଲ କହିଥିଲେ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ବହୁତ ସମ୍ମାନ କରେ ଓ ନ୍ୟାୟାଳୟର ମଧ୍ୟ ସମ୍ମାନ କରୁଛି। କୋର୍ଟ ଜବାବରେ କହିଥିଲେ ଯେ ଆମେ କେବଳ ଏହି ଆବେଦନ ଉପରେ କେନ୍ଦ୍ରିତ ରହିବା। ଏଥିରେ କିଛି ବ୍ୟକ୍ତିଗତ ନାହିଁ, ମୁଁ ଆପଣଙ୍କୁ ସହଯୋଗ କରିବାକୁ ଅଛି, ତର୍କ ଆରମ୍ଭ କରନ୍ତୁ।

କେଜରିୱାଲ କହିଥିଲେ ମୁଁ ଆଜି ଏଠାରେ ଜଣେ ଅଭିଯୁକ୍ତ ଭାବେ ଛିଡା ହୋଇ ନାହିଁ, କାରଣ କୋର୍ଟ ମୋତେ ଅଭିଯୋଗ ମୁକ୍ତ କରିସାରିଛନ୍ତି। ଏଥିରେ କୋର୍ଟ କହିଥିଲେ ଆପଣ ରିକ୍ୟୁଜଲ ଉପରେ ବିତର୍କ କରନ୍ତୁ, ତାହା ଉପରେ କେନ୍ଦ୍ରିତ ରହନ୍ତୁ। କେଜରିୱାଲ କହିଥିଲେ ୯ ମାର୍ଚ୍ଚରେ ଯେବେ ଏହି ମାମଲାରେ ଶୁଣାଣି ହେଲା ସେତେବେଳେ କୋର୍ଟରେ ସିବିଆଇ ବ୍ୟତୀତ ଆଉ କେହି ମହଜୁଦ ନଥିଲେ। ଶୁଣାଣିରେ ଅପରପକ୍ଷକୁ ନ ଶୁଣି, କାହାର ଜବାବ ନ ନେଇ ଏହି କୋର୍ଟ ଆଦେଶ ପ୍ରଥମ ଦୃଷ୍ଟ୍ୟା ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ। କେଜରିୱାଲ କହିଥିଲେ ଯେ ଯେଉଁ ଟ୍ରାୟଲ କୋର୍ଟ ଦିନତମାମ ଶୁଣାଣିରେ ୪୦ ହଜାର ପୃଷ୍ଠା ପଢି ଆଦେଶ ଗୃହୀତ କରିଥିଲେ ସେହି ଆଦେଶକୁ ଏହି କୋର୍ଟ ମାତ୍ର ୫ ମିନିଟ୍ ରେ ପ୍ରଥମ ଦୃଷ୍ଟ୍ୟା ତ୍ରୁଟିପୂର୍ଣ୍ଣ ବୋଲି କହି ଦେଇଥିଲେ।

ରିକ୍ୟୁଜଲ ଉପରେ କେଜରିୱାଲ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲେଖ କରିଥିଲେ। ସେ କହିଥିଲେ ରଜନୀକାନ୍ତ ଠାକୁର ବନାମ ୟୁନିୟମ ଅଫ ଇଣ୍ଡିଆରେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ଜଜ୍ ଏହା ଦେଖିବା କଥା ନୁହେଁ ସେ ପକ୍ଷପାତି କି ନୁହନ୍ତି ଯଦି ପାର୍ଟି ମନରେ ସନ୍ଦେହ ଅଛି ତେବେ ଏହା ରିକ୍ୟୁଜଲର ମାମଲା’। ଏଥିରେ ମୋର ଏକ ଛୋଟ କଥା ରହିଛି ମୋ ମନରେ ଯେଉଁ ଆଶଙ୍କା ରହିଛି ତାହା ମୋର ଓ କୋର୍ଟ ମଧ୍ୟରେ ରହିଛି। ଏଥିରେ ସିବିଆଇ ପକ୍ଷ ହେବା ଉଚିତ ନୁହେଁ। ଏଥିରେ କେଜରିୱାଲ ସତ୍ୟେନ୍ଦ୍ର ଜୈନ ବନାମ ଇଡି ରାୟର ଉଲ୍ଲେଖ କରି କହିଛନ୍ତି ଯେ ଏହି ମାମଲାରେ ଜାମିନ ଶୁଣାଣି ଚାଲିଥିଲା, ଶୁଣାଣିକୁ ୬ ଦିନ ପୁରି ସାରିଥିଲା, ଶେଷ ଦିନ ଶୁଣାଣିରେ ଅଚାନକ ଇଡି ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଜିଲ୍ଲା ଜଜ ଏହାକୁ ସ୍ୱୀକାର କରିଥିଲେ, ମାମଲା ଏହି କୋର୍ଟକୁ ଆସିଲା ଓ ହାଇକୋର୍ଟ ଅନୁମତି ଦେଇଥିଲେ। ସେହି କେସ୍ ଓ ମୋ ମାମଲାରେ ଅନେକ ସାମଞ୍ଜସ୍ୟ ଅଛି। ଏଣୁ ମୁଁ ଚାହୁଁଛି ଇଡି ଭଳି ମୋ କଥା ମଧ୍ୟ ଶୁଣାଯିବା ଦରକାର। ଖାସ କରି ସେତେବେଳେ ଯେତେବେଳେ ଆଶଙ୍କାର ମଜଭୁତ ଆଧାର ରହିଛି।

କେଜରିୱାଲ କହିଲେ ଆଶଙ୍କାର ୧୦ଟି କାରଣ ଗଣାଇ ପାରିବି
କୋର୍ଟ କେଜରିୱାଲଙ୍କ ତର୍କକୁ ରେକର୍ଡ କରି କହିଲେ ଯେ ମୁଁ ଆପଣଙ୍କ ତର୍କକୁ ସାଙ୍ଗେ ସାଙ୍ଗେ ଲେଖାଇ ଦେଉଛି। ଏଥିରେ କେଜରିୱାଲ କହିଥିଲେ ଏଥି ପାଇଁ ତ ଆଇନ ସ୍ପଷ୍ଟ। ପ୍ରସଙ୍ଗ ଏହା ନୁହେଁ ବିଚାରପତି ପକ୍ଷପାତି କି ନୁହଁ ବରଂ ଏହା ପକ୍ଷ ମନର ଆଶଙ୍କା। ମୁଁ ଆପଣଙ୍କୁ ୧୦ଟି କାରଣ ଜଣାଇବି କାହିଁକି ମୋ ମନରେ ସନ୍ଦେହ ଅଛି। କେଜରିୱାଲ କହିଲେ ଏହି କୋର୍ଟକୁ ପୂର୍ବରୁ ୫ଟି କେସ୍ ଆସି ସାରିଛି। ମୋ ଗିରଫଦାରୀ କେସ୍ ମଧ୍ୟ ଆସିଥିଲା। ସଞ୍ଜୟ ସିଂହ, କେ.କବିତା ଓ ଅମନ ଢଲଙ୍କ ଜାମିନ ନିବେଦନ ମଧ୍ୟ ଆସିଥିଲା। ଏଥିରେ କୋର୍ଟ ଯେଉଁ ଟିପ୍ପଣୀ ସବୁ କରିଥିଲେ ତାହା ଠିକ୍ କୋର୍ଟ ରାୟ ଭଳି ଥିଲା। କୋର୍ଟଙ୍କୁ କାରଣ ନେଇ ଚୂଡ଼ାନ୍ତ ଆଦେଶ ଦେବାର ଆବଶ୍ୟକତା ନଥିଲା। ଏପରି ଲାଗିଥିଲା କୋର୍ଟ ମାତ୍ର ୨ଟି ଶୁଣାଣିରେ କେତେକ ପ୍ରସଙ୍ଗରେ ଚୂଡାନ୍ତ ରାୟ ଦେଇଥିଲେ।

ମୋତେ ତ ମହାଭ୍ରଷ୍ଟ ବୋଲି କହିଥିଲେ କୋର୍ଟ, କେବଳ ରାୟ ବାକି ଥିଲା
କେଜରିୱାଲ କହିଲେ ଏକ ପ୍ରସଙ୍ଗ ଥିଲା ସରକାରୀ ସାକ୍ଷର। ଏହା ଉପରେ ଆପଣଙ୍କର ଅନେକ ଫାଇଣ୍ଡିଂ ରହିଛି। ଏଥିରେ ମୋତେ ପାଖାପାଖି ଦୋଷୀ ସାବ୍ୟସ୍ତ କରିଦିଆଯାଇଥିଲା, କେବଳ ଦଣ୍ଡାଦେଶ ବାକି ଥିଲା। ଏଥିରେ କୋର୍ଟ କହିଥିଲେ ଆମେ କୌଣସି କମେଣ୍ଟ କରିବୁନି, ତେବେ ଏହା ଆପଣଙ୍କ ବିଚାର ହୋଇ ପାରେ। କୋର୍ଟ କେଜରିୱାଲଙ୍କ କଥାକୁ ନୋଟ୍ କରିଥିଲେ। ଏହା ପରେ କେଜରିୱାଲ ନିଜ କଥା ଜାରି ରଖି କହିଥିଲେ ଯେ ଟ୍ରାୟଲକୋର୍ଟଙ୍କ ଅନୁସାରେ କୌଣସି ଭ୍ରଷ୍ଟାଚାର, ଲାଞ୍ଚ ଅଥବା କିକ୍ ବ୍ୟାକ୍ ହୋଇ ନାହିଁ। ଗୋଆକୁ କେହି ପଇସା ନେଇ ଯାଇ ନଥିଲେ, ରିକୋଭରି ଉପରେ ଯାହା ଆପଣଙ୍କ ଫାଇଣ୍ଡିଙ୍ଗ ତା ଉପରେ କୋର୍ଟ ଲେଖିଛନ୍ତି।

ମନିଷ ସିସୋଦିଆଙ୍କ କେସ୍ ର ଉଲ୍ଲେଖ
ଏଥିରେ କେଜରିୱାଲ ମନିଷ ସିସୋଦିଆଙ୍କ କେସ୍ ର ଉଲ୍ଲେଖ କରି କହିଛନ୍ତି ‘ସିସୋଦିଆଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା, ଯାହା ଜରୁରି ନଥିଲା। ଏକ ପାରାଗ୍ରାଫ ଥିଲା ଯେଉଁଥିରେ କୁହାଯାଇଥିଲା ଏହି ଲୋକମାନେ କରପ୍ଟ। ଏପରି ଲାଗିଲା ଯେପରି ଆମେ ଭ୍ରଷ୍ଟନୁହଁ ଆମକୁ ମହାଭ୍ରଷ୍ଟ ଘୋଷଣା କରାଯାଇଛି’। ଏହି କେସ୍ ର ମାତ୍ର ୩ଟି ଶୁଣାଣି ହୋଇଥିଲା ଓ ନିଷ୍କର୍ଷ ବାହାର କରାଯାଇଥିଲା ସିସୋଦିଆ ମହାଭ୍ରଷ୍ଟ। ଏହି କେସ୍ କୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ତେବେ ସୋଲିସିଟର ଜେନେରାଲ ଏହାକୁ ଖଣ୍ଡନ କରିଥିଲେ। ଜବାବରେ କେଜରିୱାଲ କହିଲେ ଟ୍ରାୟଲ କୋର୍ଟ ମନିଷ ସିସୋଦିଆଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଦେଖିଲେ। ଏଥିରୁ ଜଣାପଡୁଛି କୋର୍ଟ କେବଳ ତଥ୍ୟ ପ୍ରତି ପ୍ରତିବଦ୍ଧ। ତେବେ ଏଥିରୁ ପ୍ରଶ୍ନ ଉଠୁଛି ଏହି ପର୍ଯ୍ୟାୟକୁ ଆସି ଏହି କୋର୍ଟ ବଦଳି ପାରିବ କି?

ଆପଣ ଟ୍ରାୟଲକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି
କେଜରିୱାଲ କହିଛନ୍ତି ଯେ ସିବିଆଇଙ୍କ ପୁରା କେସ୍ କେବଳ ସରକାରୀ ସାକ୍ଷ ଉପରେ ଆଧାରିତ। ୯ ମାର୍ଚ୍ଚ ଆଦେଶରେ ଆପଣ ଯଦି ସେହି ବୟାନ ଉପରେ ପ୍ରଶ୍ନ ଛିଡା କରନ୍ତି ତେବେ ବ୍ୟବହାରିକ ରୂପେ ଆପଣ ଟ୍ରାୟଲ କୋର୍ଟର ପୁରା ଆଦେଶକୁ ଖାରଜ କରିଦେଇଛନ୍ତି। ଟ୍ରାୟଲ କୋର୍ଟଙ୍କ ଆଦେଶ ଯାହା ୩ ମାସ ଶୁଣାଣି ପରେ ଆସିଥିଲା ଆପଣ ମାତ୍ର ୫-୧୦ ମିନିଟ୍ ର ଶୁଣାଣିରେ ଖାରଜ କରିଦେଲେ। ସରକାରୀ ସାକ୍ଷଙ୍କୁ ନେଇ ଆପଣଙ୍କ ଯେଉଁ ରାୟ ରହିଛି, ଯେତେବେଳେ ମୋ କେସ ଆପଣଙ୍କ ସାମ୍ନାକୁ ଆସିଥିଲା ସେତେବେଳେ ଆପଣ କହିଥିଲେ ଆପ୍ରୁଭରଙ୍କ ବୟାନ ସ୍ୱୀକାର୍ଯ୍ୟ। ଏଠାରେ ମାତ୍ର ୫ ମିନିଟ୍ ର ଶୁଣାଣିରେ ଆପଣ କହିଲେ ଟ୍ରାୟଲ କୋର୍ଟଙ୍କ ଆପ୍ରୁଭରଙ୍କ ଉପରେ ଫାଇଣ୍ଡିଂ ତ୍ରୁଟିପୂର୍ଣ୍ଣ ଅଟେ। ଏହା ମୋ ଲାଗି ସବୁଠୁ ଅଧିକ ଚିନ୍ତାର ବିଷୟ।

ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ହୋଇଛି
କେଜରିୱାଲ କହିଲେ ସେଦିନ (ମାର୍ଚ୍ଚ ୯ ତାରିଖ)ଆପଣଙ୍କ ଆଗରେ ଟ୍ରାୟଲ କୋର୍ଟର ରେକର୍ଡ ବି ନଥିଲା, ଏପରି ତରବର ହେବାର କଣ କାରଣ ଥିଲା?ଏହି କାରଣରୁ ଏକ ସନ୍ଦେହ ସୃଷ୍ଟି ହୋଇଥିଲା। ମାର୍ଚ୍ଚ ୯ ତାରିଖ ଦିନ ଇଡି ସପକ୍ଷରେ ଆଦେଶ ଗୃହୀତ କରିଦିଆଯାଇଥିଲା। କୋର୍ଟ ଇଡି ପ୍ରତି ବେଶ୍ ଦୟାଳୁ ଥିଲେ। ନୈସର୍ଗିକ ନ୍ୟାୟର ସିଦ୍ଧାନ୍ତ ବିନା ଆଦେଶ ଗୃହୀତ କରାଗଲା। ଏହିର ଗୁରୁତର ଦୁସ୍ପରିଣାମ ରହିଛି। ଆଜି ବି ଇଡି କେସ୍ ରେ ମୁଁ ଅଭିଯୁକ୍ତ। ଜନତାଙ୍କୁ ଏକ ବାର୍ତ୍ତା ଗଲା ଶୁଣାଣିକୁ ପେଣ୍ଡିଂ ରଖ ଆମେ ଏହି ଡିସଚାର୍ଜ ଅର୍ଡରକୁ ଖାରଜ କରି ପୁଣି ପଠାଇ ଦେଉଛୁ। ଏ ବାବଦେ ସୁପ୍ରିମକୋର୍ଟଙ୍କ ଆଦେଶ ହେଉଛି ‘କେବଳ ଅପବାଦ ମାମଲାଙ୍କୁ ଛାଡି ଡିସଚାର୍ଜ ଆଦେଶରେ ଷ୍ଟେ ଲାଗିବା ଉଚିତ ନୁହେଁ। ହେଲେ ଆମକୁ ନ ଶୁଣି ଆଂଶିକ ଭାବେ ଷ୍ଟେ ଲଗାଇ ଦିଆଗଲା।‘ମୋ ଦୃଷ୍ଟିରେ ଏହା ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ଅଟେ ବୋଲି କେଜରିୱାଲ କହିଛନ୍ତି।