ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି। ରାଜ୍ୟର ଦିବାଙ୍ଗ ଘାଟି ଏବଂ ସୁବନସିରି ଜିଲ୍ଲାରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ସେହିଭଳି ହଠାତ୍ ଆସିଥିବା ବନ୍ୟାରେ ଭାରତୀୟ ସେନାର ଦୁଇଟି ଆଶ୍ରୟସ୍ଥଳୀ ଭାସିଯିବା ସହ ୫ ଜଣ ବାନ ନିଖୋଜ ଅଛନ୍ତି। ଅନ୍ୟପଟେ, ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ମାଟି ତଳେ ଚାପି ହୋଇ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦିବାଙ୍ଗ ଘାଟି ଜିଲ୍ଲାର ପସୁ ପାନି ସେନା ଶିବିରରେ ଥିବା ୫ମ ଗ୍ରେନେଡିୟର୍ସର ଦୁଇଟି ଆଶ୍ରୟସ୍ଥଳୀ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ବନ୍ୟାର ପ୍ରଖର ସ୍ରୋତ ଯୋଗୁ କ୍ୟାମ୍ପରେ ଥିବା ମୋଟ ୭ ଜଣ ସେନା କର୍ମଚାରୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାକି ୫ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ନିଖୋଜ ସୈନିକମାନେ ହେଲେ ହାବିଲଦାର ଉପେନ୍ଦ୍ର, କୁନ୍ଦନ, ବିନୋଦ, ଆଦିତ୍ୟ ଏବଂ ସମୁନ୍ଦା। ସେମାନଙ୍କୁ ଖୋଜିବା ପାଇଁ ITBP, BRO ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।

Also Read: ସତରେ କ'ଣ ଚୀନ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳ ଦଖଲ କରି ନେଇଛି? ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ସେହିପରି ଅନ୍ୟ ଏକ ଦୁଃଖଦ ଦୁର୍ଘଟଣା ସୁବନସିରି ଜିଲ୍ଲାର କେଓଜାରିଂ- ବ୍ୟାଚିଂ ମଧ୍ୟରେ ଘଟିଛି। ଏଠାରେ ଏକ ପାହାଡ଼ ମଝିରେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍ ଭୂସ୍ଖଳନ ହୋଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ୪ ଶ୍ରମିକ ମାଟି ଓ ପଥର ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ତାଦୁ ବାକି, ତାଜି ରାୟ, ମାର୍କୋଶ ବସୁମତାରି ଏବଂ ବାବୁଲ ଅଲି। ପ୍ରଶାସନ ପକ୍ଷରୁ ବାବୁଲ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବାହାର କରିବା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ ପରିଚାଳନା ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।