ଭଦ୍ରକ : 121 ବର୍ଷରେ ଦୁର୍ଗା ପୂଜା । ନବମ ପିଢ଼ି ହାତରେ  ଏବେ ପୂଜା ପରମ୍ପରାର ଦାୟିତ୍ୱ । ମେଦିନପୁରରୁ ଆସିଥିଲେ ପୂର୍ବପୁରୁଷ, ଏବେ ଧାମନଗର ପରିଚୟ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ବଙ୍ଗାଳୀ ସାହି ମେଢ଼ । 1905 ମସିହାରୁ ହୋଇଆସୁଛି ମାଆ ଦୁର୍ଗାଙ୍କ ପୂଜା । ନଅ ପିଢ଼ି ଧରି ରାମ ପରିବାର ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ମା’ଙ୍କ ବିସର୍ଜନ ଓ ଭସାଣିର ନିଆରା ରୀତିନୀତି ଏହି ପୂଜାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଲୋକଙ୍କ କହିବା ଅନୁଯାୟୀ, ପରିବାରର ପୂର୍ବପୁରୁଷ ଖୋଷାଲ ରାମ ପଶ୍ଚିମବଙ୍ଗ ମେଦିନପୁରରୁ ଆସି ଧାମନଗରରେ ବସବାସ କରିଥିଲେ । ସେ କନିକା ରାଜାଙ୍କ ଅଧୀନରେ ରାଜସ୍ୱ ଆଦାୟ କାର୍ଯ୍ୟରେ ଜଡ଼ିତ ଥିଲେ । ପରେ ଏଠାରେ ମା’ଙ୍କ ପୂଜା ଆରମ୍ଭ କରିଥିଲେ । ଗ୍ରାମ ଭିତରେ ପ୍ରଥମେ ବାଉଁଶ ବାଡ଼ି ଓ ଘଞ୍ଚ ଜଙ୍ଗଲ ଘେରା ଭିତରେ ନଡ଼ା ଛପର ଘରେ ପୂଜା ହେଉଥିଲେ । ସେତେବେଳେ ମୋଟ ଖର୍ଚ୍ଚ ପ୍ରାୟ 20 ଟଙ୍କା ଥିଲା ।

ମହାଳୟାଠାରୁ ହବିଷ୍ୟାନ୍ନ ଗ୍ରହଣ କରି ପୂଜାବିଧି ଆରମ୍ଭ ହୁଏ । ଷଷ୍ଠୀରେ ଅଧିବାସ ଓ ସପ୍ତମୀରେ କଳସ ଶୋଭାଯାତ୍ରା ପରେ ମା’ଙ୍କ ପୂଜା ହୋଇଥାଏ । ଏହି ପୂଜା ସାତ ଦିନ ଧରି ଚାଲେ । ଷୋଡ଼ଶ ଉପଚାରରେ ପ୍ରତିଦିନ ଦୁଇଥର ପୂଜା ହୋଇଥାଏ । ଓଡ଼ିଆ ପରମ୍ପରାରେ ମାର୍ଗଶିର ମାସ ଗୁରୁବାରରେ ମାଣ ଓ ସେର ପୂଜା ହେଉଥିବା ବେଳେ ଏଠାରେ କିନ୍ତୁ ପୀଠରେ ଷଷ୍ଠୀ ଦିନରୁ ମାଣ ଓ ସେର ପ୍ରତିଷ୍ଠା ଓ ପୂଜା ହୋଇଥାଏ । ଏହି ମେଢ଼ର ସବୁଠୁ ନିଆରା ପରମ୍ପରା ହେଉଛି ମା’ଙ୍କ ବିସର୍ଜନ ଓ ଭସାଣି । ଦଶହରା ଦିନ ବିସର୍ଜନ ପରେ ମା’ଙ୍କୁ ଗାଡ଼ିରେ ନ ନେଇ କାନ୍ଧରେ ବୋହି ନିଆଯିବ । ଗାଡ଼ିରେ ନେଲେ ଅଞ୍ଚଳର କ୍ଷତି ହେବ ବୋଲି ପାରମ୍ପରିକ ବିଶ୍ୱାସ ରହିଛି । ଭସାଣି ସମୟରେ ଢୋଲ, ମାଦଳ ଓ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇଉଠେ ।

Also Read- କାହିଁକି ପାଳନ ହୁଏ ବିଜୟା ଦଶମୀ ? ଜାଣନ୍ତୁ ଦଶହରା ପଛରେ ଥିବା ପୌରାଣିକ କଥା ଓ ଧାର୍ମିକ ମହତ୍ତ୍ୱ

ନଅ ପିଢ଼ିର ପରମ୍ପରା ଓ ଅଞ୍ଚଳବାସୀଙ୍କ ଆସ୍ଥା ହିଁ ଏହାର ପରିଚୟ। ସେଥିପାଇଁ ଶ୍ୟାମପୁରର ବଙ୍ଗାଳୀ ସାହି ମେଢ଼ ଆଜି ମଧ୍ୟ ବଜାୟ ରଖିଛି ନିଜର ସ୍ୱତନ୍ତ୍ର ପରିଚୟ ।