​​​​​​​ଅନୁଗୋଳ: ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର (ଅଗ୍ନିବୀର ଜିଡି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର ଟ୍ରେଡ୍ସମ୍ୟାନ (ଅଷ୍ଟମ) ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ (ଦଶମ)) ମନୋନୀତ ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଝାରସୁଗୁଡ଼ାର ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଦେଇ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ରାଲି ସମୟରେ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି । ମନୋନୀତ ପ୍ରାର୍ଥୀମାନଙ୍କର ଆଡମିଟ୍ କାର୍ଡ ସେମାନଙ୍କର ପଞ୍ଜୀକୃତ ଇ-ମେଲ ଆଇଡିକୁ ପୂର୍ବରୁ ପଠାଯାଇଛି । ପ୍ରାର୍ଥୀମାନେ ଜଏନ୍ ଇଣ୍ଡିଆନ ଆର୍ମି ୱେବସାଇଟରେ ନିଜ ପ୍ରୋଫାଇଲରେ ଲଗ୍-ଇନ୍ କରି ନିଯୁକ୍ତି ରାଲି ପାଇଁ ନିଜର ଆଡମିଟ୍ କାର୍ଡ ମଧ୍ୟ ଡାଉନଲୋଡ କରିପାରିବେ । ଯେ କୌଣସି ସୂଚନା ପାଇଁ ପ୍ରାର୍ଥୀମାନେ ଏ.ଆର.ଓ ସମ୍ବଲପୁର ସହିତ ଯୋଗାଯୋଗ ନମ୍ବର ୦୬୬୩-୨୫୪୦୩୫୯ ଏବଂ ୦୬୬୩-୨୫୪୦୮୪୫ ରେ ଯୋଗାଯୋଗ କରିପାରିବେ ।

ଦଲାଲ, ଏଜେଣ୍ଟମାନଙ୍କର ଅସାଧୁ କାର୍ଯ୍ୟକଳାପର ଶିକାର ନ ହେବା ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟା ସମୟରେ ନିଜର ମୂଳ ପ୍ରମାଣପତ୍ର କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର ନ କରିବାକୁ ପରାମର୍ଶ ଦିଆଯାଇଛି । ଏଭଳି କୌଣସି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ସ୍ଥାନୀୟ ପୁଲିସ ଏବଂ ସଂପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ (ଏଆରଓ), ସମ୍ବଲପୁରର ନିଯୁକ୍ତି କର୍ମଚାରୀଙ୍କୁ ଜଣାଇବା ଆବଶ୍ୟକ । ନିଯୁକ୍ତି ରାଲି ସମୟରେ ଏଭଳି ଦଲାଲ, ଏଜେଣ୍ଟ ଏବଂ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।