ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ଗାଜୁୱାକା ଅଞ୍ଚଳରେ ରବିବାର ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (ଏପିଏସଆରଟିସି)ର ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୨ ଜଣ ମହିଳାଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

ସ୍ଥାନୀୟ ପୋଲିସ ଅନୁସାରେ ଏହି ଦୁର୍ଘଟଣା ଗାଜୁୱାକାର ଶ୍ରୀନଗର ଜଙ୍କସନ ନିକଟରେ ହୋଇଛି। ବସ୍ ଟି ରାଜମହେନ୍ଦ୍ର ବରମରୁ ପାର୍ବତୀପୁରମ ଯାଉଥିଲା। ବିଶାଖାପାଟଣା ଡିସିପି-୨ ମେରି ପ୍ରଶାନ୍ତି କହିଛନ୍ତି ଯେ ବସ୍ ଚାଳକ ସଡ଼କ କଡ଼ରେ ଛିଡା ହୋଇଥିବା ଟ୍ରକ୍ କୁ ଦେଖି ପାରିନଥିଲେ ଓ ବସ୍ ସିଧା ଟ୍ରକ୍ ପଛରେ ବାଡେଇ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବସ୍ ର ସହ ଚାଳକ ଓ ୨ ଜଣ ମହିଳା ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେହିପରି ଚାଳକ ସମେତ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ପିଲା ମଧ୍ୟ ଅଛନ୍ତି।

ସବୁ ଆହତଙ୍କୁ ଚିକିତ୍ସା ଲାଗି କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଜଣଙ୍କୁ ଘରୋଇ ହସ୍ପିଟାଲକୁ ରେଫର କରାଯାଇଛି। ଦୁର୍ଘଟଣାରେ ବସ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ତେବେ ଅନ୍ୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୃତକଙ୍କ ଶବ ପୋଷ୍ଟମର୍ଟମ ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ହସ୍ପିଟାଲ ପ୍ରଶାସନ ଓ ଜିଲ୍ଲାଧିକାରୀଙ୍କ ସହ କଥାବାର୍ତ୍ତା କରି ସବୁ ଆହତଙ୍କୁ ନିଶୁଳ୍କ ଚିକିତ୍ସା ସେବା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।