ମୁମ୍ଵାଇ ୦୬।୧୦; ମୁମ୍ବାଇ ଗୋରେଗାଓଁ ସ୍ଥିତ ଦାଦାସାହେବ ଫାଲକେ ଚିତ୍ରନଗରୀ ବା ଫିଲ୍ମ ସିଟିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫିଲ୍ମ ସିଟିର 'ପ୍ରାଇମ୍ ଫୋକସ୍ ଷ୍ଟୁଡିଓ'ରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ଏହି ଅଗ୍ନିକାଣ୍ଡ ଘଟିଲା, ଠିକ୍ ସେହି ସମୟରେ ସେଠାରେ ଦେଶର ପପୁଲାର ରାପର୍ ବାଦଶାହ, ଏମ୍.ଏସ୍. ଧୋନି ଏବଂ ଅନେକ ନାମୀଦାମୀ କଳାକାର ବିଭିନ୍ନ ସୁଟିଂରେ ବ୍ୟସ୍ତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳ ନିକଟରେ ସବୁଠାରୁ ବଡ଼ ରାପ୍ ରିଆଲିଟି ଶୋ' 'MTV Hustle'ର ଗ୍ରାଣ୍ଡ ଫିନାଲେ ସୁଟିଂ ଚାଲିଥିଲା। ରାପ୍ ଆଇକନ୍ ବାଦଶାହଙ୍କ ସମେତ ରଫ୍ତାର, ଇକ୍କା, ଡିନୋ ଜେମ୍ସ ଏବଂ ଅନ୍ୟାନ୍ୟ ଜୁରି ସଦସ୍ୟମାନେ ସେଟ୍ରେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ନିକଟସ୍ଥ ଅଞ୍ଚଳରେ ଏକ ବଡ଼ ବିଜ୍ଞାପନର ସୁଟିଂ କରୁଥିଲେ।

ହଠାତ୍ ଷ୍ଟୁଡିଓର ଏକ ଅଂଶରେ ନିଆଁ ଲାଗିଯିବାରୁ କଳାକାର ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଚାରିଆଡ଼େ କଳା ଧୂଆଁ ଛାଇ ଯିବାରୁ ତୁରନ୍ତ ସମସ୍ତ ସେଟ୍ରେ ସୁଟିଂ ବନ୍ଦ କରାଯାଇଥିଲା। ଖବର ପାଇ ମୁମ୍ବାଇ ଅଗ୍ନିଶମ ବାହିନୀର ୪ରୁ ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସବୁଠାରୁ ଆଶ୍ୱସ୍ତିକର ବିଷୟ ଏହା ଯେ, ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନାହିଁ। ବାଦଶାହ, ଏମ୍.ଏସ୍. ଧୋନି ଏବଂ ଅନ୍ୟାନ୍ୟ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ, ଅଗ୍ନିଶମ ବିଭାଗ ପକ୍ଷରୁ ଏହାର ଅଧିକ ତଦନ୍ତ ଜାରି ରହିଛି।