ଭୁବନେଶ୍ୱର ୧୦।୮: ଶିମିଳିପାଳରେ ବାଘ ବଂଶ ବିସ୍ତାର ନେଇ ଚିନ୍ତା । ୫ ବର୍ଷୀୟା ବାଘୁଣୀ (ମେଲେନାଷ୍ଟିକ ପ୍ରଜାତି)ର ମୃତ୍ୟୁ ପରେ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ପାଇଁ ବନ ବିଭାଗ ତତ୍ପର । ବାହାର ରାଜ୍ୟରୁ ଓଡ଼ିଶାକୁ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ମଧ୍ୟ ଭାରତରୁ ଗୋଟିଏ ନର ଓ ଗୋଟିଏ ମାଈ ବାଘଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁମୋଦନ ମାଗିଛି । ଯଦି ସବୁ କିଛି ଠିକ୍ଠାକ୍ ରୁହେ, ତେବେ ଆଉ ମାସେ କି ଦୁଇ ମାସ ଭିତରେ ଶିମିଳିପାଳ ଜଙ୍ଗଲ ପାଇବ ୨ ଅଣଓଡ଼ିଆ ମହାବଳ ।

ସୂଚନା ମୁତାବକ, କଳା ବାଘ ବଂଶ ହ୍ରାସ କମାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପକ୍ଷରୁ ଶିମିଳିପାଳ ସହ ସାତକୋଶିଆକୁ ବାଘ ଆଣିବା ପାଇଁ ଅନୁମତି ମିଳିସାରିଛି । ସରକାରଙ୍କ ଗ୍ରୀନ ସିଗନାଲ ମିଳିବା ପରେ ବାଘ ସ୍ଥାନାନ୍ତର ହେବେ । ଓଡ଼ିଶାରୁ ଏକ ସ୍ବତନ୍ତ୍ର ଟିମ୍ ଖୁବ୍ଶୀଘ୍ର ମଧ୍ୟ ଭାରତ ଲ୍ୟାଣ୍ଡସ୍କେପ୍କୁ ଯାତ୍ରା କରିବ । ମହାରାଷ୍ଟ୍ରର ତାଡ଼ୋଭା- ଅନ୍ଧାରୀ ହେଉ ଅବା ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଓଡ଼ିଶା ପାଣିପାଗ ସହ ଖାପ ଖୁଆଇବା ଭଳି ବାଘ ଓ ବାଘୁଣୀଙ୍କୁ ଖୋଜାଯିବ ।

Also Read:- ४ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ଲାଗି କଲେଜିୟମଙ୍କ ସୁପାରିସ, ବଦଳିବେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

୨୦୨୪ ଶେଷ ବେଳକୁ ମହାରାଷ୍ଟ୍ରର ତାଡ଼ୋବା-ଆନ୍ଧାରୀରୁ ଦୁଇଟି ମାଈ ବାଘ ଜିନତ୍ ଓ ଯମୁନା ଶିମିଳିପାଳକୁ ଅଣାଯାଇଥିଲା । ଜିନତ୍ର ୪ଟି ଶାବକ ଏବେ ଶିମିଳିପାଳରେ ଅଛନ୍ତି । ତଥାପି ଇନ୍ ବ୍ରିଡିଂ ଯୋଗୁଁ ଶିମିଳିପାଳରେ କଳା ବାଘ (ମେଲେନାଷ୍ଟିକ୍) ସଂଖ୍ୟା କ୍ରମାଗତ ବଢ଼ି ଚାଲିଛି । ଏହି ସଂଖ୍ୟା କମାଇବା ଲକ୍ଷ୍ୟରେ ଆହୁରି ୨ଟି ବାଘ ଆଣିବାକୁ ଯୋଜନା ରଖାଯାଇଛି ।