ନୂଆଦିଲ୍ଲୀ।କଟକ ୧୦।୮: ସୁପ୍ରିମକୋର୍ଟ କଲେଜିୟମ ୪ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ୍ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ଯକ୍ଷତାରେ ଗତ ୬ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ଥିବା ଜଷ୍ଟିସ୍ ଭି. କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି କରାଯିବାକୁ ସୁପାରିସ୍ ହୋଇଛି । ସେହିପରି ବମ୍ବେ ହାଇକୋର୍ଟର ଜଷ୍ଟିସ୍ ରବୀନ୍ଦ୍ର ଭି. ଘୁଗେଙ୍କୁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ମହେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ୍ ଅଶ୍ବିନୀ କୁମାର ମିଶ୍ରଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିସ୍ କରାଯାଇଛି ।

Also Read:- ଶ୍ରାବଣ ସୋମବାରରେ ଅଘଟଣ, ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଭାସିଗଲେ କାଉଡିଆ

ସେହିଭଳି ଓଡ଼ିଶା ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି ପାଇଁ ଓ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟରୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମଙ୍କ ଏହି ସୁପାରିସ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆନୁଷ୍ଠାନିକ ଭାବେ ଏହା କାର୍ଯ୍ୟକାରୀ ହେବ ।