ଭୁବନେଶ୍ବର ୩୧।୧୨: ଚଳିତ ବର୍ଷର ଶେଷ ଦିନରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଆଇଏଏସ୍‌ ଅନୁ ଗର୍ଗ । ସେପଟେ ସରୁଛି ମୁଖ୍ୟ ଶାସନ ସଚିବ ଆଇଏଏସ୍ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୨୦୨୪ ମସିହା ଜୁଲାଇ ମାସରୁ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ରହିଛନ୍ତି ମନୋଜ ଆହୁଜା । ବୁଧବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିବେ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଉଛନ୍ତି ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଫିସର ଅନୁ ଗର୍ଗ । ଅନୁ ଗର୍ଗଙ୍କ କାର୍ଯ୍ୟକାଳ ୨୦୨୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବ ।

ସେପଟେ, ଅବସର ନେବେ ମୁଖ୍ୟ ଶାସନ ସଚିବ ଆଇଏଏସ୍ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଆଜି ହେଉଛି ତାଙ୍କ ଶେଷ କାର୍ଯ୍ୟ ଦିବସ । ୨୦୨୪ ମଧ୍ୟ ଭାଗରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିଥିଲେ । ୨୦୨୫ ମସିହା ଜାନୁଆରୀ ୧ ତାରିଖରେ ତାଙ୍କ କାର୍ଯ୍ୟକାଳକୁ ସରକାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ । ବିଜେପି ସରକାର ନୂଆ କରି ଆସିଥିବା ବେଳେ ପ୍ରଶାସନ କଳକୁ କିଭଳି ଭାବରେ ନୂଆ ଢାଞ୍ଚାରେ ନେବାକୁ ହେବ ତାହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରଶାସନିକ ବ୍ୟବସ୍ଥାକୁ କିଭଳି ଭାବେ ଲକ୍ଷ୍ୟ ଭିତ୍ତିକ କରିବା ଏବଂ ସବୁ କ୍ଷେତ୍ରରେ କିଭଳି ଟେକ୍ନୋଲୋଜିର ବ୍ୟବହାର ହୋଇପାରିବ ତା ଉପରେ ସେ ଗୁରୁତ୍ୱ ଦେଉଥିଲେ । ନୂଆ ସରକାର ଉପରେ ଲୋକଙ୍କ ଆଶା ଭରସା ଅଧିକ ରହିଥିଲା । କିଭଳି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରା କରିବେ ସେ ଦିଗରେ ପ୍ରାୟ ଦେଢ଼ ବର୍ଷ ଧରି ପ୍ରୟାସ କରିଆସିଛନ୍ତି ।