Animesh Kujur breaks Record: ଭାରତୀୟ ଆଥଲେଟିକ୍ସ ଇତିହାସରେ ଶୁକ୍ରବାର ଏକ ରୋମାଞ୍ଚକର ଏବଂ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ କପର ପ୍ରଥମ ଦିନରେ ମାତ୍ର କିଛି ମିନିଟ୍ ବ୍ୟବଧାନରେ ପୁରୁଷ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ଦୁଇ ଦୁଇ ଥର ଭାଙ୍ଗିଛି। ପ୍ରଥମେ ଗୁରିନ୍ଦରବୀର ସିଂହ ଏବଂ ଶେଷରେ ଓଡ଼ିଶାର ଆନିମେଶ କୁଜୁର ମାତ୍ର ୧୦.୧୫ ସେକେଣ୍ଡରେ ଦୌଡ଼ ସମ୍ପୂର୍ଣ୍ଣ କରି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିବା ସହ କମନୱେଲଥ ଗେମ୍ସ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ମାତ୍ର ୫ ମିନିଟ୍ରେ ଦୁଇଟି ନ୍ୟାସନାଲ ରେକର୍ଡ

ଶୁକ୍ରବାର ସନ୍ଧ୍ୟାରେ ପୁରୁଷ ୧୦୦ ମିଟର ସେମିଫାଇନାଲ୍ ମୁକାବିଲାରେ ଦୌଡ଼ ଟ୍ରାକ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରଥମ ସେମିଫାଇନାଲ୍ ହିଟରେ ରିଲାଏନ୍ସର ପ୍ରତିନିଧିତ୍ୱ କରୁଥିବା ଗୁରିନ୍ଦରବୀର ସିଂହ ୧୦.୧୭ ସେକେଣ୍ଡ ସମୟ ନେଇ ଅନିମେଶଙ୍କର ୧୦ ମାସର ପୁରୁଣା ରେକର୍ଡ (୧୦.୧୮ ସେକେଣ୍ଡ)କୁ ଭାଙ୍ଗି ଦେଇଥିଲେ। ମାତ୍ର ଗୁରିନ୍ଦରବୀର ଏହି ରେକର୍ଡ ଓ ଖୁସି ବେଶୀ ସମୟ ତିଷ୍ଠି ପାରି ନଥିଲା। ଏହାର ଠିକ୍ ୫ ମିନିଟ୍ ପରେ, ଦ୍ୱିତୀୟ ସେମିଫାଇନାଲ୍ ହିଟରେ ଓଡ଼ିଶାର ଆନିମେଶ କୁଜୁର ମାତ୍ର ୧୦.୧୫ ସେକେଣ୍ଡ ସମୟ ମଧ୍ୟରେ ଟାର୍ଗେଟରେ ପହଞ୍ଚି ପୁଣି ଥରେ ନିଜ ନାଁରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

କମନୱେଲଥ ଗେମ୍ସ ଟିକେଟ୍ ହାସଲ

ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ (AFI) ପକ୍ଷରୁ ଗ୍ଲାସଗୋ କମନୱେଲଥ ଗେମ୍ସ ୨୦୨୬ ପାଇଁ ପୁରୁଷ ୧୦୦ ମିଟର ଯୋଗ୍ୟତା ମାର୍କ ୧୦.୧୬ ସେକେଣ୍ଡ ରଖାଯାଇଥିଲା। ଆନିମେଶ ୧୦.୧୫ ସେକେଣ୍ଡ ସମୟ ସହ ଏହି ଯୋଗ୍ୟତା ମାର୍କକୁ ସଫଳତାର ସହ ଅତିକ୍ରମ କରିଛନ୍ତି। ଅନ୍ୟପଟେ ଗୁରିନ୍ଦରବୀର ସିଂହ ମାତ୍ର ୦.୦୧ ସେକେଣ୍ଡ ପାଇଁ ଏହି କ୍ୱାଲିଫିକେସନ ମାର୍କରୁ ବଞ୍ଚିତ ହୋଇଛନ୍ତି। ତେବେ ନିଜ ସଫଳତା ନେଇ ଅନିମେଶ କହିଛନ୍ତି ଏହା କେବଳ କଠିନ ପରିଶ୍ରମର ପରିଣାମ। ଏଥିପାଇଁ ସେ ଖୁବ୍ ଉତ୍ସାହିତ ଆନିମେଶ କହିଛନ୍ତି।

Also Read- ଏମଏଲବି ଓ ରିଲାଏନ୍ସର ରାଇଜ ୱାର୍ଲ୍ଡୱାଇଡ୍ ସହଭାଗିତା, ଭାରତରେ ବେସବଲକୁ ଲୋକପ୍ରିୟ କରିବାକୁ ଏକ ଅଭିନବ ପ୍ରୟାସ

ମହିଳା ଲଙ୍ଗ ଜମ୍ପରେ ଆନ୍ସି ସୋଜନଙ୍କ ଚମତ୍କାର ପ୍ରଦର୍ଶନ

ଫେଡେରେସନ କପ୍ର ପ୍ରଥମ ଦିନରେ ମହିଳା ଲଙ୍ଗ ଜମ୍ପ ଇଭେଣ୍ଟରେ ମଧ୍ୟ ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା। ଭାରତୀୟ ନୌସେନାର ପ୍ରତିନିଧିତ୍ୱ କରୁଥିବା ଆନ୍ସି ସୋଜନ ୬.୭୫ ମିଟର ଜମ୍ପ ସହ ନିଜର ବେଷ୍ଟ ବ୍ୟକ୍ତିଗତ ରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ଗତବର୍ଷ କୋଚିରେ ଶୈଳୀ ସିଂହଙ୍କର ୬.୬୪ ମିଟରର ମିଟ୍ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଞ୍ଜୁ ବବି ଜର୍ଜ ଫାଉଣ୍ଡେସନର ଶୈଳୀ ସିଂହ ୬.୫୮ ମିଟର ଜମ୍ପ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆନ୍ସି ବର୍ତ୍ତମାନ କମନୱେଲଥ ଗେମ୍ସ ଯୋଗ୍ୟତା ମାର୍କ (୬.୮୪ ମିଟର) ଏବଂ ଜାତୀୟ ରେକର୍ଡ (୬.୮୩ ମିଟର) ର ବହୁତ ନିକଟତର ହୋଇଛନ୍ତି।

୧୦,୦୦୦ ମିଟର ଦୌଡ଼ ଏବଂ ପ୍ରତିକୂଳ ପାଣିପାଗ

ସକାଳ ସେସନରେ ପୁରୁଷ ୧୦,୦୦୦ ମିଟର ଦୌଡ଼ରେ ଉତ୍ତରାଖଣ୍ଡର ଦୀପକ ଭଟ୍ଟ ୨୯:୪୨.୯୩ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁ କର୍ଣ୍ଣାଟକର ଆଥଲେଟ୍ ଶିବାଜୀ ଏମ୍. ଡିହାଇଡ୍ରେସନର ଶିକାର ହୋଇଥିଲେ ଏବଂ ତାଙ୍କୁ କୋଚମାନଙ୍କ ସହାୟତାରେ ଟ୍ରାକ୍‌ରୁ ବାହାରକୁ ଅଣାଯାଇଥିଲା। ମହିଳା ୧୦,୦୦୦ ମିଟର ଦୌଡ଼ରେ ମହାରାଷ୍ଟ୍ରର ରବିନା ଗାୟକୱାଡ ୩୫:୩୦.୯୮ ସେକେଣ୍ଡ ସମୟ ସହ ବିଜୟୀ ହୋଇଥିଲେ ମଧ୍ୟ ଏହା କମନୱେଲଥ ଯୋଗ୍ୟତା ମାର୍କ (୩୧:୧୪.୧୪) ଠାରୁ ବହୁତ ପଛରେ ରହିଛି।