ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ନେଇ ସୃଷ୍ଟି ହୋଇଥିବା ଚିନ୍ତାଜନକ ପରିସ୍ଥିତି ଉପରେ ଏବେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହି ରୋଗକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ରାପିଡ୍ କିଟ୍ ମାଧ୍ୟମରେ କରାଯାଇଥିବା ପରୀକ୍ଷା ଆଧାରରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ରାପିଡ୍ ଟେଷ୍ଟ ରିପୋର୍ଟକୁ ଚୂଡ଼ାନ୍ତ କିମ୍ବା ନିଶ୍ଚିତ ବୋଲି ଗ୍ରହଣ କରାଯାଇପାରିବ ନାହିଁ।

ସମସ୍ତ ୯ଟି ଯାକ ନମୁନା ନେଗେଟିଭ୍

ପ୍ରଥମ ପର୍ଯ୍ୟାୟରେ ଯେଉଁ ୯ ଜଣଙ୍କର ରାପିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା, ସେମାନଙ୍କର ଅଧିକ ସୂକ୍ଷ୍ମ ଏବଂ ଚୂଡ଼ାନ୍ତ ପରୀକ୍ଷା ପାଇଁ ଏଲିସା ଟେଷ୍ଟ କରାଯାଇଥିଲା। ଏହି ନିଶ୍ଚିତକରଣ ପରୀକ୍ଷାରେ ସମସ୍ତ ୯ଟି ଯାକ ନମୁନା ନେଗେଟିଭ୍ ଆସିଛି। ଅନ୍ୟ ସନ୍ଦିଗ୍ଧ ନମୁନାଗୁଡ଼ିକର ମଧ୍ୟ ଏଲିସା ଟେଷ୍ଟ ମାଧ୍ୟମରେ ଯାଞ୍ଚ ଚାଲିଛି।

ସଜାଗ ଅଛି ସ୍ୱାସ୍ଥ୍ୟ ବିଭାଗ

ଜିଲ୍ଲାରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିର ଆକଳନ କରିବା ସହ ଲୋକଙ୍କୁ ଉଚିତ୍ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏହାସହ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ସଚେତନତା ଓ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରୁଥିବାରୁ ଗୁଜବରେ ବିଶ୍ୱାସ ନକରିବାକୁ ନିବେଦନ କରାଯାଇଛି।