ଲଣ୍ଡନ: ୟୁନାଇଟେଡ କିଙ୍ଗଡମର ୫୯ତମ ପ୍ରଧାନମନ୍ତ୍ରୀ ଭାବେ ଏଣ୍ଡି ବର୍ଣ୍ଣହମ ସୋମବାର ଦାୟିତ୍ୱଗ୍ରହଣ କରିଛନ୍ତି। ଏହା ସହିତ ଗତ ୧୦ ବର୍ଷରେ ବ୍ରିଟେନର ସେ ସପ୍ତମ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି। ୫୬ ବର୍ଷ ବୟଷ୍କ ବର୍ଣ୍ଣହମ ବକିଂହମ ପାଲେସ୍ ରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟି ଔପଚାରିକ ରୂପେ ସରକାର ଗଠନ ଲାଗି ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ଶାସନ ହସ୍ତାନ୍ତରଣର ଏହି ପ୍ରକ୍ରିୟା କିର ଷ୍ଟାର୍ମରଙ୍କ ଦ୍ୱାରା ଇସ୍ତଫା ପ୍ରଦାନର ତୁରନ୍ତ ପରେ ସମ୍ପୂର୍ଣ୍ଣ ହୋଇଛି। କିଙ୍ଗ ଚାର୍ଲସଙ୍କ ନିମନ୍ତ୍ରଣ ସ୍ୱୀକାର କରିବାମାତ୍ରେ ବର୍ଣ୍ଣହମ ଅଧିକାରୀକ ଭାବେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଗ୍ରେଟର ମଞ୍ଚେଷ୍ଟରର ପୂର୍ବତନ ମେୟର ସଂସଦର ଗ୍ରୀଷ୍ମ ଅବକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେପ୍ଟେମ୍ବର ଯାଏଁ ସାଂସଦଙ୍କୁ ଭେଟିବେ ନାହିଁ। ହାଉସ୍ ଅଫ କମନସ୍ ଡକାଇବା ପରେ ସେ ସାଂସଦଙ୍କୁ ଭେଟିବେ। ସଂସଦର ଅବକାଶ କାଳରେ ବର୍ଣ୍ଣହମ ଅଗଷ୍ଟରେ ଏକ ଲିସନିଂ ଟୁରରେ ଯିବେ। ତେବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାର ତୁରନ୍ତବାଦ ବର୍ଣ୍ଣହମ ତାଙ୍କ କ୍ୟାବିନେଟ୍ ଗଠନ ଆରମ୍ଭ କରିବେ। ଯେଉଁଥିରେ ଚାନ୍ସଲର, ବିଦେଶ ସଚିବ ଓ ଗୃହ ସଚିବଙ୍କ ଭଳି ବରିଷ୍ଠ ମନ୍ତ୍ରୀ ସାମିଲ ହେବେ। ତାଙ୍କ ସରକାର ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବ। ଏଥିପାଇଁ କୌଣସି ଶପଥଗ୍ରହଣ ଉତ୍ସବ, ସଂସଦୀୟ ପୁଷ୍ଟି ଭୋଟର ଆବଶ୍ୟକତା ନାହିଁ।

ଲେବର ନେତା ଭାବେ ନିଜର ପ୍ରଥମ ଅଭିଭାଷଣରେ ବର୍ଣ୍ଣହମ ବ୍ରିଟେନ ଲାଗି ଏକ ନୂଆ ରାସ୍ତା ତିଆରି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ କ୍ଷେତ୍ରିୟ ଅସମାନତାକୁ କମ କରିବାକୁ ବିଶେଷ ଗୁରୁତ୍ୱ ଦିଆଯିବ। ସେ କହିଛନ୍ତି ଯେ ଆଜିର ଏହି ପରିବର୍ତ୍ତନ ମୋର ୪୦ବର୍ଷର ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଷଣ। ସେ ୟୁକେର ପ୍ରତ୍ୟେକ ଭାଗ ଉପରେ ଶାସନ କରିବେ ବୋଲି ସଂକଳ୍ପ କରିଛନ୍ତି। ସେ କହିଛନ୍ତି ଯେ ଉତ୍ତର,ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସହିତ ସ୍କଟଲ୍ୟାଣ୍ଡ, ୱେଲସ୍ ଓ ଉତ୍ତର ଆୟରଲ୍ୟାଣ୍ଡର ଜଣେ ନେତା ହେବାକୁ ଚେଷ୍ଟା କରିବେ।