ନୂଆଦିଲ୍ଲୀ:ସୁପ୍ରିମ କୋର୍ଟ ଶୁକ୍ରବାର ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟ ସ୍ଥାନୀୟ ପାଳିକା ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ୩୪ ପ୍ରତିଶତ ସଂରକ୍ଷଣ ଦେଉଥିବା ଦୁଇଟି ସରକାରୀ ଆଦେଶକୁ ରଦ୍ଦ କରିଦେଇଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଶିଲ ନାଗୁଙ୍କ ଦ୍ୱିସଦସୀୟ ବେଞ୍ଚ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତି ଉଚ୍ଚିତ ଥିଲା।

ହାଇକୋର୍ଟ ଅକ୍ଟୋବର ୧ ତାରିଖ ଦିନ ଦୁଇଟି ସରକାରୀ ଆଦେଶକୁ ରଦ୍ଦ କରିଦେଇଥିଲେ ଓ କହିଥିଲେ ଯେ ଏହି କୋଟା ସୁପ୍ରିମକୋର୍ଟଙ୍କ ସେହି ଗାଇଡଲାଇନର ବିପରୀତ, ଯାହା ଅନୁସାରେ ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବା କଥା ନୁହେଁ। ହାଇକୋର୍ଟ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ୬ ସପ୍ତାହ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ଅଗଷ୍ଟ ୧୮ ତାରିଖ ଦିନ ସ୍ଥାନୀୟ ପାଳିକା ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ୩୪ ପ୍ରତିଶତ କୋଟା ଘୋଷଣା କରିଥିଲେ।

ସେତେବେଳେ ନାୟଡୁ କହିଥିଲେ ଯେ ‘ଆମେ ଏହି ନିଷ୍ପତ୍ତି ମେଣ୍ଟ ସରକାରର ରାଜନୈତିକ ସିଦ୍ଧାନ୍ତ ଓ ଏନଡିଏ ପ୍ରତିଶ୍ରୁତି ଅନୁସାରେ ଗ୍ରହଣ କରିଛୁ। ଆମେ ନିର୍ବାଚନ କାଳରେ ନାମମାତ୍ର ପଦରେ ପଛୁଆ ବର୍ଗଙ୍କୁ ସଂରକ୍ଷଣର ପ୍ରତିଶ୍ରୁତି ଦେଇଥିଲୁ ଓ ଆମେ ଏବେ ଏହାକୁ ପୁରା କରୁଛୁ’। ତେବେ ରାଜ୍ୟ ହାଇକୋର୍ଟ ଏ ବାବଦେ ସରକାରୀ ଆଦେଶକୁ ରଦ୍ଦ କରିଦେଇଥିଲେ ଓ ଏହି ସଂରକ୍ଷଣ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁରୂପ ନୁହେଁ ବୋଲି କହିଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ନାୟଡୁଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି।