ବିଶାଖାପାଟଣା,୩୦ /୦୩: ବାପ ଘରକୁ ବାହାରି ପଡିଲେ ସ୍ତ୍ରୀ । ବ୍ୟାଗ୍ ଧରି ଦୀର୍ଘ ଦିନ ପରେ ଗାଁକୁ ଯାଉଥିବାରୁ ଖୁସି ଥିଲେ । ହେଲେ ଏହି ସମୟକୁ ଅପେକ୍ଷା କରିଥିରେ ସ୍ୱାମୀ । ସ୍ତ୍ରୀ ଯାଉ ଯାଉ ଘରକୁ ପ୍ରେମିକାକୁ ଡାକିଦେଲେ । ଆରମ୍ଭ ହେଲା ପ୍ରେମ । କିନ୍ତୁ କିଛି ସମୟ ପରେ ଉଭୟ ଲାଗିଗଲେ ଝଗଡା । ଯାହାର ଘଟିଲା ରକ୍ତିମ ଅନ୍ତ ।

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ରୁହନ୍ତି ଚିନ୍ତାଦା ରବୀନ୍ଦ୍ର । ପେଶାରେ ଭାରତୀୟ ନୌସେନାର ଜଣେ କର୍ମଚାରୀ ।୨୦୨୧ରେ ସେ ଡେଟିଂ ଆପରେ ମୌନିକା ପୋଲିପାଲି ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଅନେକ ସମୟରେ ଦେଖାସାକ୍ଷାତ ହୁଅନ୍ତି । ବୁଲିବାକୁ ଯାଆନ୍ତି । ପାର୍କ୍ ଏବଂ ଥିଏଟର ସେମାନଙ୍କ ନିତିଦିନିଆ ଠିକଣା ପାଲଟିଯାଏ ।

​​​​​​​Also Read :-ଷ୍ଟେସନରେ ଛାଡ଼ି ଦେବାକୁ କହିଲେ, ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କଲେ

ରବୀନ୍ଦ୍ର ବିବାହିତ ହୋଇ ମଧ୍ୟ ସ୍ତ୍ରୀଙ୍କ ଆଗୋଚରରେ ପରକ୍ରିୟା ପ୍ରୀତି ଚଲାଇଥାନ୍ତି । ତେବେ ଗତ ଦୁଇ ସପ୍ତାହ ତଳେ ରବୀନ୍ଦ୍ରଙ୍କ ପତ୍ନୀ ବାପ ଘର ବିଜୟନଗରକୁ ଚାଲି ଯାଇଥିଲେ । ପତ୍ନୀ ଯିବା ପରେ ରବୀନ୍ଦ୍ର ମୌନିକାଙ୍କୁ ଘରକୁ ଡାକିଥିଲେ । ମୌନିକା ଆସିବା ପରେ କିଛି ସମୟ ଧରି ଉଭୟ ପ୍ରେମାଳାପ କରିଥିଲେ । ପରେ ସେମାନଙ୍କ ପ୍ରେମ ଝଗଡାରେ ପରିବର୍ତ୍ତିତ ହୋଇଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏଥିରେ ରବୀନ୍ଦ୍ର ରାଗି ଯାଇ ମୌନିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତଦନ୍ତରେ ଜଣା ପଡିଛି ଯେ, ରବୀନ୍ଦ୍ର ପ୍ରଥମେ ମୌନିକାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ଏହାପରେ ଅନଲାଇନରୁ ଏକ ଛୁରୀ ମଗାଇଥିଲେ । ଏଥିରେ ସେ ମୌନିକାଙ୍କ ଶରୀରକୁ କାଟି ପକାଇଥିଲେ । ଶରୀରରୁ ହାତ ଏବଂ ଗୋଡକୁ ଅଲଗା କରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଏକ ଫ୍ରିଜରେ ରଖିଥିଲେ । ଖାଲି ଏତିକି ନୁହେଁ ପ୍ରେମିକାଙ୍କ ମୁଣ୍ଡକୁ ସେ ଘରଠୁ ଦୂରରେ ଭିନ୍ନ ଏକ ଜାଗାରେ ପୋଡି ଦେଇଥିଲେ ।

ହତ୍ୟା ପରେ ଦୋଷ ସ୍ୱୀକାର

ସବୁଠାରୁ ବଡ କଥା ହେଉଛି ଯେ, ହତ୍ୟା କରିବା ପରେ ସେ ସିଧା ପୋଲିସ ଷ୍ଟେସନ ଯାଇଥିଲେ । ପୋଲିସ ଆଗରେ ସବୁ ସତ କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ମୌନିକା ତାଙ୍କଠାରୁ ସାଢେ ତିନି ଲକ୍ଷ ଟଙ୍କା ଧାର ନେଇଥିଲେ । ଟଙ୍କା ମାଗିବାରୁ ସେ ପତ୍ନୀଙ୍କୁ ସବୁ ସତ କହିଦେବେ ବୋଲି ଧମକାଇଥିଲେ । ଯାହାକୁ ନେଇ ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡା ଲାଗିଛି । ୨୦୨୪ରୁ ସେ ମୌନିକାଙ୍କୁ ମାରିବା ପାଇଁ ଯୋଜନା କରୁଥିଲେ । 

ପୋଲିସର ତଦନ୍ତ

ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ରବୀନ୍ଦ୍ରଙ୍କ ଘରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତ ଭିଜା କପଡା ଜବତ ହୋଇଛି । ଏପରିକି ଫ୍ରିଜ୍ ମଧ୍ୟରେ ମୌନିକାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଙ୍ଗ ପୋଲିସ ଜବତ କରିଛି । ଆହୁରି ମଧ୍ୟ ଅନ୍ୟ କିଛି ଅଙ୍ଗକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।