ଭୁବନେଶ୍ବର ୩୦।୩: ଷ୍ଟେସନ ଯିବାକୁ ଅପେକ୍ଷା କରିଥିଲେ ମହିଳା । ହଠାତ୍ ଦୁଇ ଜଣ ଯୁବକ ଆସି ପଚାରିଲେ କୁଆଡ଼େ ଯିବେ ? ମହିଳା କହିଲେ ଷ୍ଟେସନ । ଯୁବକ ଦ୍ବୟ କହିଲେ ଚାଲନ୍ତୁ ଆମେ ଛାଡ଼ିଦେବୁ । ସେମାନେ ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ହୋଇଥିବାକୁ ମହିଳାଙ୍କୁ ସନ୍ଦେହ ହୋଇନଥିଲା । ସେମାନଙ୍କ ସହ ଷ୍ଟେସନ ଯିବାକୁ ବାହାରି ପଡ଼ିଲେ ମହିଳା । କିଛି ବାଟ ଯିବା ପରେ ମହିଳା ଜଣଙ୍କ ଲକ୍ଷ୍ୟ କଲେ ଗାଡ଼ି ଷ୍ଟେସନ ଆଡ଼କୁ ନଯାଇ ଅଲଗା ଆଡ଼େ ଯାଉଛି । ଫଳରେ ସେ ସନ୍ଦେହ କରି ଗାଡ଼ି ରଖିବାକୁ କରିଥିଲେ । କିନ୍ତୁ ଏମାନେ ଗାଡ଼ି ରଖିନଥିଲେ, ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ । ନିଛାଟିଆ ଜଙ୍ଗଲରେ ମହିଳାଙ୍କୁ ଦୁଇ ଜଣ ଗଣଦୁଷ୍କର୍ମ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି ।

ପୂରା ଘଟଣା ଥିଲା ଏମିତି

ରାଜଧାନୀରେ ପୁଣି ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ଆସିଛି ସାଂଘାତିକ ଅଭିଯୋଗ । ଷ୍ଟେସନରେ ଛାଡ଼ି ଦେବାକୁ କହି ମହିଳାଙ୍କ ସହ ଏଭଳି କରିଛନ୍ତି ଦୁଇ ଦୁର୍ବୃତ୍ତ । ଭୁବନେଶ୍ବର ତମାଣ୍ଡୋ ଥାନା ଅଞ୍ଚଳରେ ଏଭଳି ଜଘନ୍ୟକାଣ୍ଡ ଘଟିଛି । ଲିଫ୍ଟ ଦେବାକୁ କହି ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ଜଣେ ମହିଳା ଭୁବନେଶ୍ବର ଏମ୍ସରେ ସମ୍ପର୍କୀୟଙ୍କ ଚିକିତ୍ସା କରାଇବା ପାଇଁ ଆସିଥିଲେ । ହସ୍ପିଟାଲରେ ସମ୍ପର୍କୀୟଙ୍କୁ ଛାଡ଼ି ସେ ପଶ୍ଚିମବଙ୍ଗ ଫେରିଯିବାକୁ ଚାହିଁଥିଲେ । ସେଥିପାଇଁ ସେ ଷ୍ଟେସନ ଯିବାକୁ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ମହିଳାଙ୍କୁ ଏକୁଟିଆ ଦେଖି କୁଆଡେ ଯିବେ ବୋଲି ପଚାରିଥିଲେ ମେଡିକାଲରେ ଥିବା ଘରୋଇ ଆମ୍ବୁଲାନ୍ସର ଦୁଇ ଜଣ ଡ୍ରାଇଭର । ମହିଳା ଜଣଙ୍କ ଷ୍ଟେସନ ଯାଉଥିବା ଜାଣି ସେମାନେ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ । ମହିଳାଙ୍କୁ ଷ୍ଟେସନରେ ଛାଡିଦେବାକୁ କହି ନିକଟସ୍ଥ ଜଙ୍ଗଲକୁ ମହିଳାଙ୍କୁ ନେଇଯାଇଥିଲେ । ସେଠାରେ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ।

Also Read:- ​​​​​​​Shree Mandira: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଅଶୁଭ ସଙ୍କେତ ବୋଲି କହୁଛନ୍ତି ସେବାୟତ

ଦୁଇ ଅଭିଯୁକ୍ତ ଗିରଫ

ଏନେଇ ମହିଳା ଜଣଙ୍କ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ ନୟାଗଡ଼ ଅଞ୍ଚଳର । ଉଭୟେ ଏକ ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ବିଚିତ୍ର ସାହୁ ଏବଂ ନାରାୟଣ ସ୍ବାଇଁ ବୋଲି ଜଣାପଡିଛି । 

​​​​​​​ଅସୁରକ୍ଷିତ ରାଜଧାନୀ

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଅପରାଧ । ଯେମିତି ଅପରାଧୀଙ୍କ ଚରାଭୂଇଁ ପାଲଟିଗଲାଣି ଭୁବନେଶ୍ବର । ଏଠି ଦିନ ଦ୍ବିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଅପରାଧୀ । ଆଉ ମହିଳାଙ୍କ ସହ କୁତ୍ସିତକାଣ୍ଡ ଘଟାଉଛନ୍ତି ଦୁର୍ବୃତ୍ତ । ନିକଟରେ ଧଉଳି ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଯାହା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।