ନୂଆଦିଲ୍ଲୀ: ଆପଣଙ୍କ ଚାରି ପାଖରେ ଏଭଳି ଅନେକ ଲୋକ ଥିବେ ଯେଉଁମାନେ କମ୍ ଦରମାରେ କୌଣସି କମ୍ପାନି କିମ୍ବା ଦୋକାନରେ କାମ କରୁଥିବେ। ଆଉ ଏମାନଙ୍କର ପ୍ରଥମ ଅଭିଯୋଗ କମ୍ ଦରମା। ଫଳରେ ବାଧ୍ୟ ହୋଇ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥାଏ। ହେଲେ ଏବେ ଯେଉଁ ଘଟଣା ଘଟିଛି, ତାହା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠାରେ ଜଣେ କର୍ମଚାରୀ କମ୍ ଦରମା ଯୋଗୁ ହତାଶ ହୋଇ ସିଧା ଗୋଦାମରେ ହିଁ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା ଘଟିଛି କାଲିଫର୍ଣ୍ଣିଆର ଅଣ୍ଟାରିଓରେ ଏକ ଗୋଦାମରେ। ପୋଲିସ ଏହି ଘଟଣା ସହିତ ଜଡ଼ିତ ଥିବା ଜଣେ କର୍ମଚାରୀଙ୍କୁ ଗିରଫ କରିଛି।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ , ଗୋଦାମଟି କିମ୍ବର୍ଲି-କ୍ଲାର୍କର ଏବଂ ଏହା ଦକ୍ଷିଣ ହେଲମ୍ୟାନ୍ ଆଭେନ୍ୟୁ ଏବଂ ମେରିଲ୍ ଆଭେନ୍ୟୁ ନିକଟରେ ଅବସ୍ଥିତ। ୧.୨ ମିଲିୟନ ବର୍ଗଫୁଟ କୋଠା ଭିତରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଖବର ଆସିଥିଲା। ଏଠାରେ ଫେସିଆଲ୍ ଟିସୁ, ପେପର୍ ଟାୱେଲ୍ ଏବଂ ଟଏଲେଟ୍ ପେପର୍ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସଂରକ୍ଷିତ କରାଯାଇଥାଏ। ରିପୋର୍ଟ ଅନୁସାରେ, ଗୋଦାମର ମୂଲ୍ୟ ପ୍ରାୟ ୧୬୫ ମିଲିୟନ ଡଲାର ହେବ।

ପୋଲିସ କହିଛି ଯେ, ପ୍ରାଥମିକ ତଦନ୍ତରୁ ଏହି କେହି ନିଆଁ ଲଗାଇଥିବା ସନ୍ଦେହ ହୋଇଥିଲା। ଏମିତିରେ ଅଧିକାରୀମାନେ ପ୍ରଥମେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ହାଇଲ୍ୟାଣ୍ଡ୍‌ର ୨୯ ବର୍ଷୀୟ ଚାମେଲ ଅବଦୁଲକରିମଙ୍କୁ ଗିରଫ କରିଥିଲେ। ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ଦରମା ଏବଂ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

Also Read: ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ତାମିଲନାଡୁର ୯ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ, ଜାଣନ୍ତୁ କାହିଁକି?

​​​​​​​ଅଣ୍ଟାରିଓ ଅଗ୍ନିଶମ ବିଭାଗ ଡେପୁଟି ଚିଫ୍ ମାଇକ୍ ୱେଡେଲ୍ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହି ନିଆଁ କେହି ଲଗାଇଥିବା ଭଳି ସନ୍ଦେହ ରହିଥିଲା। ଆଉ ତଦନ୍ତକ୍ରମେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡ ସମୟରେ ଅବଦୁଲକରିମ ପ୍ରଥମେ ନିଖୋଜ ହୋଇଯାଇଥିବା ରିପୋର୍ଟ କରାଯାଇଥିଲା। କିନ୍ତୁ ପରେ ଗୋଦାମ ନିକଟରୁ ହିଁ ଧରାଯାଇଥିଲା। ଏବେ ତାଙ୍କୁ ହେପାଜତକୁ ନିଆଯାଇଛି ଏବଂ ରାଞ୍ଚୋ କୁକାମୋଙ୍ଗାର ପଶ୍ଚିମ ଭ୍ୟାଲି ଡିଟେନସନ୍ ସେଣ୍ଟରରେ ଜାମିନ ବିନା ରଖାଯାଇଛି। ଅଗ୍ନିକାଣ୍ଡ ସମୟରେ ପ୍ରାୟ ୨୦ଜଣ ଶ୍ରମିକ କୋଠା ଭିତରେ ଥିଲେ। ସେମାନେ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିବାରୁ ଏକ କୌଣସି ଜୀବନ ହାନି ହୋଇନାହିଁ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ , ଚାମେଲ ଅବଦୁଲକରିମଙ୍କ ନାଁ ଥିବା ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ଏକ ଭିଡିଓରେ ସେ ତାଙ୍କ ମାଲିକଙ୍କ ବିଷୟରେ କଡ଼ା ମନ୍ତବ୍ୟ ଦେବା ସହିତ ଗୋଦାମ ଭିତରକୁ ଯାଉଥିବା ଏବଂ ଜିନିଷପତ୍ର ଜାଳି ଦେଉଥିବାର ଦେଖାଯାଉଛି। ଭିଡିଓରେ, ଏକ ସ୍ବର ଶୁଣାଯାଉଛି। ଯେଉଁଥିରେ କୁହାଯାଇଛି ‘‘ତୁମେ ଆମକୁ ବଞ୍ଚିବା ପାଇଁ ଯଥେଷ୍ଟ ଟଙ୍କା ଦେଇ ନପାର, କିନ୍ତୁ ଏଗୁଡ଼ିକ ବହୁତ ଶସ୍ତା।’’