ପୁରୀ ୧୩।୪: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ପୂର୍ବରୁ ଘଟିଛି ଚମତ୍କାର । ମା’ ସୁଭଦ୍ରାଙ୍କ ଅଧରମାଳା ଆଜି ଛିଡ଼ିଥିଲା । ଫଳରେ ସେବାୟତ ମାନେ ମହାପ୍ରଭୁଙ୍କ ଅନୁମତି ପାଇ ବେଶ୍ ଆନନ୍ଦ ପ୍ରକାଶ କରିଥିବା ବେଳେ ଗଣତି କାର୍ଯ୍ୟ ବେଶ୍ ସୁରୁଖୁରୁରେ ହେବ ବୋଲି ଆଶାବାଦୀ ଅଛନ୍ତି । ତେବେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାର ଠାରୁ ଆରମ୍ଭ ହୋଇଛି । ଅପରାହ୍ନ ୧୨ଟା ୨୫ ମିନିଟ୍ରେ ଭିତର ରତ୍ନଭଣ୍ଡାର ତାଲା ଖୋଲିବା ପରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏସଓପି ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଭିତର ରତ୍ନଭଣ୍ଡାରରେ ହିଁ ଗଣତି କରାଯାଇଛି । ସମସ୍ତ ଗଣତି ମଣତି କାର୍ଯ୍ୟକୁ ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଂ କରାଯାଉଛି । ଆଲମିରାରେ ଥିବା ଅଳଙ୍କାର ଗୁଡ଼ିକୁ ପ୍ରଥମେ କଢାଯାଇ ହ୍ୟାଣ୍ଡଲିଂ ଟିମ୍ ବା କାର୍ଯ୍ୟବାହୀ ଦଳ ଗଣତି କାର୍ଯ୍ୟ କରିଥିଲେ ।

ଶୁଭବେଳା ଅନୁଯାୟୀ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୧୯୭୮ ମସିହା ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରକୁ ମେଳକ କରାଯାଉଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ ତା'ର ଫଟୋଗ୍ରାଫି, ଭିଡିଓଗ୍ରାଫି ସହିତ ଥ୍ରୀଡି ସ୍କାନିଂ କରାଯାଉଛି । ରୂପା ଅଳଙ୍କାରକୁ ଧଳା କପଡ଼ାରେ, ସୁନା ଅଳଙ୍କାରକୁ ହଳଦିଆ କପଡ଼ାରେ ସୁରକ୍ଷିତ ଭାବେ ରଖାଯାଉଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ୨୦୨୬ ଟ୍ୟାଗିଂ କରାଯାଉଥିବା ବେଳେ ୧୯୭୮ ମସିହାର କ୍ରମିକ ନଂ ମଧ୍ୟ ଉଲ୍ଲେଖ କରାଯାଇ ଅତି ଯତ୍ନର ସହିତ ସିନ୍ଦୁକରେ ରଖାଯାଉଛି । ଏହି ଟ୍ୟାଟିଂ ଦ୍ବାରା ଆଗାମୀ ଦିନରେ ଖୁବ୍ ସହଜରେ ଏବଂ କମ୍ ସମୟରେ ଗଣତି ମଣତି କାର୍ଯ୍ୟ ହୋଇପାରିବ । ପ୍ରତ୍ୟେକ ଅଳଙ୍କାରକୁ ଏକ ଷ୍ଟିଲ ବାକ୍ସରେ ପ୍ରଥମେ ରଖାଯିବା ପରେ ଷ୍ଟିଲ ବାକ୍ସ ଗୁଡ଼ିକୁ ସିନ୍ଦୁକ ଭିତରେ ଅତି ଯତ୍ନର ସହିତ ରଖାଯାଉଛି ।

ବର୍ତ୍ତମାନ ଦୁଇଟି ସିନ୍ଦୁକରେ ଅଳଙ୍କାର ରଖାଯାଉଥିବା ବେଳେ ଆଗାମୀ ଦିନରେ ଯଦି ଆବଶ୍ୟକ ପଡେ ଅଳଙ୍କାର ରଖିବା ପାଇଁ ଅଧିକ ଚାରୋଟି ସିନ୍ଦୁକର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରାଯିବା ସହ ଓଜନ ମାପ କରାଯାଇ ଡିଜିଟାଲ କ୍ୟାଟଲକ କରାଯାଉଛି । ସମ୍ପୂର୍ଣ୍ଣ ସ୍ବଚ୍ଛତାରେ ସମସ୍ତ କାର୍ଯ୍ୟ କରାଯାଉଛି । ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ହୁଏ ନାହିଁ । ତେବେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏସଓପି ଅନୁଯାୟୀ ସମସ୍ତ ତଥ୍ୟ ଗଣମାଧ୍ୟମରେ ଦେବା ସଠିକ୍ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପର୍ଯ୍ୟାୟକ୍ରମେ ଏହି ସୂଚନା ଆଗାମୀ ଦିନରେ ଦିଆଯିବ । ଗଣତି ମଣତି ଶେଷ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରକୁ ସିଲ୍ କରାଯାଇ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯାଇଛି । ଏପ୍ରିଲ୍ ୧୬ରୁ ୧୮ ପର୍ଯ୍ୟନ୍ତ ପରବର୍ତ୍ତୀ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ ହେବ । ଭିତର ଚନ୍ଦନ ଯାତ୍ରା ସମୟରେ ମଧ୍ୟ ଯେଉଁ ସମୟ ମିଳିବ ଗଣତି ମଣତି କାର୍ଯ୍ୟ ଜାରୀ ରହିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସେପଟେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି ଅନେକ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏସଓପି ଅନୁଯାୟୀ ସବୁକିଛି କାର୍ଯ୍ୟ କରାଯାଉଛି । ୧୯୭୮ ମସିହା ତାଲିକା ସହିତ ମେଳକ କରାଯାଉଛି । ୨୦ରୁ ଉର୍ଦ୍ଧ୍ବ ପ୍ରକାର ଅଳଙ୍କାରର ଆଜି ଗଣତି କରାଯାଇଛି । ଗଣତି ମଣତି ସମୟରେ ଶ୍ରୀମନ୍ଦିର ବଣିଆ ସେବକ, ଆରବିଆଇ ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ରହିଥିଲେ । ଗତ ୨୦୨୪ ଜୁଲାଇ ୧୪ରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା । ପରବର୍ତ୍ତୀ ସମୟରେ ରତ୍ନ ଅଳଙ୍କାର ଗୁଡ଼ିକୁ ଶ୍ରୀମନ୍ଦିର ଭିତରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଏଏସଆଇ ପକ୍ଷରୁ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା । ପରେ ୨୩ ସେପ୍ଟେମ୍ବର ୨୦୨୪ରେ ମୂଳ ରତ୍ନ ଭଣ୍ଡାରକୁ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ।