ନୂଆଦିଲ୍ଲୀ ୧୪।୦୪ : ବରଯାତ୍ରୀ ଧୁମ୍ ନାଚିଲେ, ବାଣ ବି ଫୁଟିଲା । ରୋଷଣୀ କରି କନ୍ୟା ଆଗରେ ପହଞ୍ଚିଲେ ବର । ଜଣେ ନୁହେଁ ଦୁଇ ଜଣ ବର ପହଞ୍ଚିଥିଲେ । ଉଭୟ ବେଶ ଧୁମଧାମରେ ବାଣ ଫୁଟାଇ ପହଞ୍ଚିଥିଲେ । ଦେଖିବା ପରେ କନ୍ୟାଘର ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ । ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ଶେଷରେ ପୁଲିସକୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ବାହାଘର ହେବା ବଦଳରେ ହୋଇଥିଲା ପ୍ରବଳ ଯୁକ୍ତିତର୍କ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଲିସର ତଦନ୍ତରୁ ଜଣାପଡ଼ିଥିବା କଥା ଶୁଣିଲେ ଆପଣ ବି କହି କହିବେ ଏହା କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । କାରଣ ଏହି କନ୍ୟାଙ୍କ ବାହାଘର ପ୍ରଥମେ ମୋରାଦାଦର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ଏମିତିକି ଉଭୟ ପରିବାର କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ । ମାତ୍ର ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପରେ ବିବାହ କରିବା ପାଇଁ କନ୍ୟାଘର ଲୋକେ ମନା କରିଥିଲେ । ମାତ୍ର ପୁଅଘର ଲୋକେ ସେହିଦିନ ବରଯାତ୍ରୀ ଧରି ପହଞ୍ଚିବେ ବୋଲି କହିଥିଲେ ।

ଝିଅଘର ଲୋକେ ବାହାଘର ଭାଙ୍ଗ ଦେଇଥିଲେ । ପରେ ଲୋକନିନ୍ଦା ଭୟରେ ସେହିଦିନ ଅନ୍ୟ ଜଣେ ଯୁବକଙ୍କ ସହ ବାହାଘର ସ୍ଥିର କରିଥିଲେ । ଯେଉଁ କାରଣରୁ ଉଭୟ ବରଯାତ୍ରୀ ଧରି ସେଠାରେ ପହଞ୍ଚିଥିଲେ । ଆଉ ଉଭୟ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ । ପ୍ରବଳ ଝଗଡ଼ା ହେବା ପରେ ପୁଲିସକୁ ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୁଲିସ ଘଟଣାରେ ହସ୍ତକ୍ଷେପ କରିଥିବାବେଳେ ଯୁବତୀଙ୍କୁ ପଚରାଯାଇଥିଲା କି, ତୁମେ କାହାକୁ ବିବାହ କରିବା ପାଇଁ ଚାହୁଁଛୁ । ପ୍ରଥମେ ଠିକ୍ ହୋଇଥିବା ଯୁବକଙ୍କୁ ମନା କରିଥିଲେ । ଆଉ ପରେ ଘରଲୋକେ ଠିକ୍ କରିଥିବା ପୁଅ ସହ ପୁଲିସ ଉପସ୍ଥିତିରେ ବାହାର ହୋଇଥିବାବେଳେ ଜଣେ ଶିଶୁପାଳ ହୋଇ ଘରକୁ ଫେରିଥିଲେ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।