ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା ଲାଗୁ କରିବା ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଦେଶର ସମସ୍ତ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶାହ କହିଛନ୍ତି, ଧର୍ମ ଆଧାରରେ ଆଇନ ପ୍ରଣୟନ କରାଯିବା ଉଚିତ ନୁହେଁ । ସମ୍ବିଧାନ ପ୍ରଣେତାମାନେ ସମାନ ନାଗରିକ ସଂହିତାକୁ ସମ୍ବିଧାନର ରାଜ୍ୟ ନୀତି ନିର୍ଦ୍ଦେଶକ ତତ୍ତ୍ୱରେ ସ୍ଥାନ ଦେଇଥିଲେ । ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ସମାନ ଆଇନ ରହିବା ଉଚିତ ବୋଲି ସେ କହିଛନ୍ତି ।

ଶାହ କହିଛନ୍ତି, ହିନ୍ଦୁ, ଶିଖ୍, ମୁସଲମାନ, ଖ୍ରୀଷ୍ଟିଆନ କିମ୍ବା ପାର୍ସୀ, ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି, ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ସମାନ ଆଇନ ରହିବା ଆବଶ୍ୟକ । ଧର୍ମ ଆଧାରରେ ଆଇନ ତିଆରି ହେବା ଉଚିତ ନୁହେଁ । କିନ୍ତୁ ରାହୁଲ ଗାନ୍ଧୀଙ୍କ ଦଳ ଏହାକୁ ଖୋଲାଖୋଲି ବିରୋଧ କରୁଛି । ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ଯେଉଁ ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି, ସେଠାରେ ସମାନ ନାଗରିକ ସଂହିତା ଲାଗୁ କରାଯିବ ।

ସମ୍ବିଧାନକୁ ଦେଶର ଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଆଧାର ବୋଲି କହିଛନ୍ତି ଅମିତ ଶାହ । ସେ କହିଛନ୍ତି, ସମ୍ବିଧାନ ପ୍ରଣେତାମାନେ ସ୍ଥିର କରିଥିଲେ ଯେ କ୍ଷମତା ଜନତାଙ୍କ ମାଧ୍ୟମରେ ହାସଲ ହେବ ଏବଂ ଏହାର ବ୍ୟବହାର ମଧ୍ୟ ଜନତାଙ୍କ ହିତରେ ହେବ । କାହାକୁ କ୍ଷମତା ହସ୍ତାନ୍ତର କରାଯିବ, ସେ ନିଷ୍ପତ୍ତି ନେବାର ଅଧିକାର ଜନସାଧାରଣଙ୍କୁ ଦିଆଯାଇଛି । ଅନ୍ୟପଟେ କ୍ଷମତାରେ ଥିବା ଲୋକମାନେ ସମ୍ବିଧାନର ସୀମା ମଧ୍ୟରେ ରହି ଶାସନ କରିବା ଆବଶ୍ୟକ ।

ଏହି ଅବସରରେ ସେ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ହାତରେ ସମ୍ବିଧାନ ଧରି ବୁଲୁଛନ୍ତି ଏବଂ ଆମ ଉପରେ ସମ୍ବିଧାନର ଅପମାନ ଅଭିଯୋଗ ଲଗାଉଛନ୍ତି, ସେମାନଙ୍କୁ ମୋର ଅନୁରୋଧ, ସଂସଦର ଲାଇବ୍ରେରୀକୁ ଯାଇ ୧୫ ମିନିଟ୍ ସମୟ ବାହାର କରି ସମ୍ବିଧାନ ପଢ଼ନ୍ତୁ । ୨୦୧୪ରେ ଆମ ସରକାର ଗଠନ ହେବା ପରେ ସମ୍ବିଧାନର ଭାବନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମ୍ବିଧାନ ଗୌରବ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶାହ ଆହୁରି କହିଛନ୍ତି, ଯେଉଁମାନେ ଆମ ସଭ୍ୟତାକୁ ବିରୋଧ କରୁଛନ୍ତି, ସେମାନେ ଥରେ ସମ୍ବିଧାନର ମୂଳ କପିକୁ ଦେଖନ୍ତୁ । ସମ୍ବିଧାନର ବିଭିନ୍ନ ଅଧ୍ୟାୟର ଆରମ୍ଭରେ ଥିବା ଚିତ୍ରଗୁଡ଼ିକରେ ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ, ଭଗବାନ ବୁଦ୍ଧ, ଭଗବାନ ମହାବୀର, ଦଶମ ଗୁରୁ ଗୋବିନ୍ଦ ସିଂହ, ରାଣୀ ଲକ୍ଷ୍ମୀବାଇ, ଦାଣ୍ଡି ଯାତ୍ରା ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ଥାନ ଦିଆଯାଇଛି ।