କୋଲକାତା, ୨୪/୦୪ : ପଶ୍ଚିମବଙ୍ଗରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ବମ୍ପର ଭୋଟିଂ ହୋଇଛି । ପ୍ରଥମ ଥର ପାଇଁ ପ୍ରାୟ ୯୨ ପ୍ରତିଶତ ମତଦାତା ନିଜ ଭୋଟ୍ ଅଧିକାର ସାବ୍ୟସ୍ତ କରିଛନ୍ତି । ଏତେ ମାତ୍ରାରେ ଭୋଟିଂ ଦେଖି ବିଜେପି ଶିବିର ଖୁସ୍ । ଏହା ରାଜ୍ୟରେ ସରକାର ପରିବର୍ତ୍ତନର ଆଭାସ ବୋଲି ବିଜେପି ନେତାମାନେ କହୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କିଛି ଏପରି ଦୃଢୋକ୍ତି ବାଢିଛନ୍ତି । 

ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିବାକୁ ଯାଉଛି । ଅଙ୍ଗ, ବଙ୍ଗ ଏବଂ କଳିଙ୍ଗରେ ବିଜେପି ସରକାର ଗଠନ କରିବ । ମତଦାନର ପ୍ରତିଶତ ଜନତାଙ୍କ ଲୋକତନ୍ତ୍ର ପ୍ରତି ଭରସାକୁ ଦର୍ଶାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏତେ ମାତ୍ରାରେ ଭୋଟ୍ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି । ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଆୟୋଗ, ପୋଲିସ ଏବଂ ମତଦାନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ଭୟରୁ ଭରସାର ଯାତ୍ରା ଜାରି ରହିଛି । ଲୋକେ ନିର୍ଭୟରେ ମତଦାନ କରିଛନ୍ତି । ରାଜ୍ୟବାସୀ ପ୍ରଥମ ପର୍ଯ୍ୟାୟରେ ହିଁ ଭବିଷ୍ୟତ ନିର୍ଧାରଣ କରିସାରିଛନ୍ତି । ବିଜେପି ଏଠାରେ ସରକାର ଗଠନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ମତଦାନ ହୋଇଥିଲା । ଏହାମଧ୍ୟରୁ ବିଜେପି ୧୧୦ସିଟରେ ଜିତୁଛି ।

ଏତତ୍ ବ୍ୟତୀତ ଶାହ କହିଛନ୍ତି ଯେ, ଏତେ ସଂଖ୍ୟକ ମତଦାନ କରି ଭୋଟର ପରିବର୍ତ୍ତନ ସପକ୍ଷରେ ଭୋଟ୍ ଦେଇଛନ୍ତି । ଯାହା ଜନତାଙ୍କ ଭରସାକୁ ମଜବୁତ କରିଛି । ଆତଙ୍କର ରାଜ୍ ଶେଷ ହେବାକୁ ଯାଉଛି । ବିଜେପି ସରକାର ସର୍ବଦା ମହିଳା ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ । ଏଥର ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି । କେହି ପ୍ରାଣ ହରାଇ ନାହାଁନ୍ତି । କେବଳ ୩୦ଜଣ ଆହତ ହୋଇଛନ୍ତି । ବିଜେପି ସରକାର ଆସିଲେ ଯିଏ ବି ମୁଖ୍ୟମନ୍ତ୍ରୀ ହେବ ସିଏ ପଶ୍ଚିମବଙ୍ଗ ମାଟିରେ ଜନ୍ମ ହୋଇଥିବ ଏବଂ ବଙ୍ଗାଳି କହୁଥିବ ବୋଲି ଶାହ ପ୍ରକାଶ କରିଛନ୍ତି ।