ଅଯୋଧ୍ୟା : ରାମ ମନ୍ଦିର ଦାନ ଚୋରି ମାମଲାର ତଦନ୍ତ ମଧ୍ୟରେ ଶନିବାର ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ସୂଚନା ଅନୁସାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ଲାଗି ଗଠିତ ସର୍ଚ୍ଚ କମିଟିର ପ୍ରଥମ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ କୋହଲି, ଅବସରପ୍ରାପ୍ତ ଲେଫ୍ଚନାଣ୍ଟ ଜେନେରାଲ ବିଷ୍ଣୁକାନ୍ତ ଚତୁର୍ବେଦୀ ଓ ଶ୍ରୀ ସାଇବାବ ସଂସ୍ଥାନ ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ସୁରେଶ ହାବଡେ ଯୋଗ ଦେଇଥିଲେ। ସୂତ୍ର ଅନୁସାରେ ଆଜିକା ବୈଠକରେ ଇଚ୍ଛୁକ ଲୋକଙ୍କ ଲାଗି କ୍ରାଇଟେରିୟା ନିର୍ଦ୍ଧାରଣ କରାଯାଇଛି।

ଏଥିରେ କୁହାଯାଇଛି ଯେ ଏଥି ପାଇଁ ଅନୁନ୍ୟ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବ। ଏହା ଛଡା ଆଡମିନେଷ୍ଟ୍ରେସନ ଓ ଫାଇନାନ୍ସରେ ପାଖାପାଖି ୨୦ ବର୍ଷର ଅଭିଜ୍ଞତା ଥିବ। ଏଥିରେ ଟେମ୍ପଲ ମ୍ୟାନେଜମେଣ୍ଟ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ମିଳିବ। ସେହିପରି ଆବେଦନକାରୀ ହିନ୍ଦୁ ଧର୍ମର ହୋଇଥିବେ। ଏହି କ୍ରାଇଟେରିୟା ଚୂଡ଼ାନ୍ତ ହେବା ପରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ରାମ ମନ୍ଦିର ସିଇଓ ପଦବୀ ପାଇଁ ଆବେଦନ କରାଯାଇ ପାରିବ। ଆବେଦନକାରୀ ସେମାନଙ୍କ ଆବେଦନ ମେଲ ଆଇଡିରେ ପଠାଇ ପାରିବେ, ଯାହା ଏବେ ତିଆରି ହେଉଛି। ଆବେଦନ ମିଳିବା ପରେ କମିଟି ଆବେଦନକାରୀଙ୍କ ସହିତ ଆଲୋଚନା କରିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସିଇଓଙ୍କ ନିଯୁକ୍ତି ୩ ବର୍ଷ ଲାଗି ହେବ। ପଦବୀ ଲାଗି ମନୋନୀତ ହେଲେ ପ୍ରାର୍ଥୀଙ୍କୁ ଅଯୋଧ୍ୟାରେ ରହିବାକୁ ପଡିବ। ଏହା ଛଡା ପ୍ରକ୍ରିୟାରେ ସହଯୋଗ ନିମନ୍ତେ କମିଟି ଜଣେ ସମ୍ପାଦକ ନିଯୁକ୍ତି ଲାଗି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସିଇଓ ଚୟନ ମାସକ ମଧ୍ୟରେ କରାଯିବ। ଏଥି ମଧ୍ୟରେ ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦାନ ହେରାଫେରି ଏକ ପ୍ରକାରର କଳଙ୍କ। ଏହି କାମ ପାଇଁ ମନ୍ଦିର ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଏବେ ନିଜକୁ ଅପମାନିତ ମନେ କରୁଛନ୍ତି। ତେବେ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ଯେ ବ୍ୟବସ୍ଥା ସୁଧୁରିବ ଓ ଭବିଷ୍ୟତରେ ଏପରି ଘଟଣା ଆଉ ହେବ ନାହିଁ।

ସେହିପରି ସିଇଓ ଚୟନ ପ୍ରକ୍ରିୟାକୁ ନେଇ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସିଇଓ ନିଯୁକ୍ତି ଲାଗି ଏକ ୩ ସଦସୀୟ କମିଟି ଗଠନ କରିଛି। ଏହି କମିଟି ବ୍ୟାପାରରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେ କହିଛନ୍ତି ଯେ ମନ୍ଦିରର ଜାରି ନିର୍ମାଣ କାର୍ଯ୍ୟର ମୁଁ ସମୀକ୍ଷା କରିଛି। ପୁରୁଣା ମନ୍ଦିର କାମ ପାଖାପାଖି ଶେଷ ହୋଇଛି। ଏବେ ସେହି ପ୍ରଦୀପର ବ୍ୟବସ୍ଥା ହେଉଛି ଯାହା ୨୪ ଘଣ୍ଟା ଜଳିବ। ମନ୍ଦିର ନିର୍ମାଣର ଶେଷ ପର୍ଯ୍ୟାୟ କାମ ଜୁଲାଇ ୩୦ ସୁଦ୍ଧା ଶେଷ ହେବ।