ମୁମ୍ବାଇ: ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସତାରା ରେଲୱେ ଷ୍ଟେସନରେ ପର୍ଯ୍ୟଟକମାନଙ୍କ ପାଇଁ ସୂଚନା ଓ ସୁବିଧାର ଅଭାବକୁ ନେଇ ଜଣେ ଆମେରିକୀୟ ପର୍ଯ୍ୟଟକ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି। ଟୋନି ବାବାୱାଲା ନାମକ ଏହି ପର୍ଯ୍ୟଟକ ଷ୍ଟେସନରେ ବ୍ୟାଗେଜ୍ କ୍ଲକ୍ ରୁମ୍ ନଥିବାରୁ ନିଜ ମୁଣ୍ଡ ଉପରେ ଲଗେଜ୍ ବ୍ୟାଗ୍ ରଖି ଏକ ଅନନ୍ୟ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଭାରତ ଭ୍ରମଣରେ ଆସିଥିବା ଆମେରିକୀୟ ପର୍ଯ୍ୟଟକ ଟୋନି ବାବାୱାଲା ସତାରା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ନିଜର ବ୍ୟାଗ ସୁରକ୍ଷିତ ରଖିବା ପାଇଁ କ୍ଲକ୍ ରୁମ୍ ଖୋଜିଥିଲେ। କିନ୍ତୁ ଷ୍ଟେସନରେ ଏପରି କୌଣସି ସୁବିଧା ନଥିବା ଜାଣିବାକୁ ପାଇଥିଲେ।
ଷ୍ଟେସନ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସେ ନିଜର ପୋଷାକପତ୍ର ଭର୍ତ୍ତି ବ୍ୟାଗକୁ ମୁଣ୍ଡ ଉପରେ ରଖି ଷ୍ଟେସନ ପରିସରରେ ବୁଲିଥିଲେ ଏବଂ ଅଭିନବ ଉପାୟରେ ନିଜର ବିରୋଧ ପ୍ରକାଶ କରିଥିଲେ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
ଟୋନି ଷ୍ଟେସନରେ ଉପସ୍ଥିତ ଅନ୍ୟ ଯାତ୍ରୀମାନଙ୍କ ସହ ଇଂରାଜୀ ଓ ହିନ୍ଦୀରେ କଥାବାର୍ତ୍ତା କରି ଷ୍ଟେସନର ସୁବିଧା-ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ଭିଡିଓ ରେକର୍ଡ କରି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସତାରା ରେଳ ଷ୍ଟେସନ୍ ମାଷ୍ଟର ଗଣପତ ଚୌହ୍ବାନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହି ଷ୍ଟେସନଟି ୧୮୯୦ ମସିହାର (ବ୍ରିଟିଶ ସମୟର, ପ୍ରାୟ ୧୩୬ ବର୍ଷ ପୁରୁଣା)। ପୂର୍ବରୁ ଯାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ କ୍ଲକ୍ ରୁମ୍ ତିଆରି ହୋଇନଥିଲା। ତେବେ 'ଅମୃତ ଭାରତ ଷ୍ଟେସନ ଯୋଜନା' ଅଧୀନରେ ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଥିବାରୁ ଆଗାମୀ ଦିନରେ ଏହି ସୁବିଧା ଉପଲବ୍ଧ ହେବ।