ୱାସିଂଟନ: ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହା ପରିସ୍ଥିତିକୁ ଆହୁରି ସମ୍ବେଦନଶୀଳ କରିଛି। ଆମେରିକା ନୌସେନାର ଏକ ଅତ୍ୟାଧୁନିକ ତଥା ଅତ୍ୟନ୍ତ ମହଙ୍ଗା ସର୍ଭିଲାନ୍ସ ଡ୍ରୋନ ଏମକ୍ୟୁ-୪ସି ଟ୍ରାଇଟନ ଅଚାନକ ଷ୍ଟ୍ରେଟ୍ ଅଫ ହୋର୍ମୁଜ ଉପରେ ଉଭାନ ହୋଇଯାଇଛି। ଏହି ଡ୍ରୋନ ନିଖୋଜ ହେବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ନା ସାମରିକ କାର୍ଯ୍ୟାନୁଷ୍ଠାନରେ ଖସି ପଡିଛି ସେ ନେଇ ତନାଘନା ଆରମ୍ଭ ହୋଇଛି।

୭୭୦୦ କୋଡ ପ୍ରସାରଣ କରିଥିଲା
ରିପୋର୍ଟ ଅନୁସାରେ ଡ୍ରୋନ ପାଖାପାଖି ୩ ଘଣ୍ଟା ଧରି ପାରସ୍ୟ ଉପସାଗର ଓ ହୋର୍ମୁଜ ଷ୍ଟ୍ରେଟ୍ ଉପରେ ସର୍ଭିଲାନ୍ସ କରୁଥିଲା। ଏହା ପରେ ଇଟାଲୀର ସିଗୋନେଲା ବେସ୍ କୁ ଫେରୁଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଡାଟା ଅନୁସାରେ ଫେରସ୍ତ ରାସ୍ତାରେ ଡ୍ରୋନ ଅଚାନକ ଇରାନ ଦିଗକୁ ମୋଡିଥିଲା। ଏହା ପରେ ଡ୍ରୋନ ୭୭୦୦ କୋଡ ପ୍ରସାରଣ କରିଥିଲା, ଯାହା ସାଧାରଣତଃ ଏମାର୍ଜେନ୍ସୀ ପରିସ୍ଥିତିକୁ ଦର୍ଶାଏ। ଏହାପରେ ଡ୍ରୋନ ଦ୍ରୁତ ତଳକୁ ଖସିବାରେ ଲାଗିଥିଲା ଓ କିଛି ସମୟ ପରେ ରାଡାରରୁ ଗାୟବ ହୋଇଯାଇଛି।

ଦୁର୍ଘଟଣା ନା ଆକ୍ରମଣ?
ହେଲେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ଡ୍ରୋନ ବୈଷୟିକ ତ୍ରୁଟି ଯୋଗୁ ଖସି ପଡିଛି କି ଏହାକୁ ଗୁଳି କରି ଖସାଇ ଦିଆଯାଇଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି। ଇରାନ ଜାହାଜ ଯାତାୟାତ ନିମନ୍ତେ ହୋର୍ମୁଜ ଖୋଲିବାକୁ ନିଜର ସମ୍ମତି ମଧ୍ୟ ଜଣାଇଥିଲା। ହେଲେ ଡ୍ରୋନ ଖସିବା ଘଟଣା ଏବେ ଉତ୍ତେଜନାକୁ ବଢେଇ ଦେଇଛି।

ଏମକ୍ୟୁ-୪ସି ଡ୍ରୋନର ବୈଶିଷ୍ଟ୍ୟ
ଏମକ୍ୟୁ-୪ସି ଟ୍ରାଇଟନ ଡ୍ରୋନକୁ ବିଶ୍ୱର ସବୁଠୁ ଉନ୍ନତ ସର୍ଭିଲାନ୍ସ ଡ୍ରୋନ ମଧ୍ୟରେ ଗଣନା କରାଯାଏ। ଏହାର ମୂଲ୍ୟ ପାଖାପାଖି ୨୦୦ ନିୟୁତ ଡଲାର ଅର୍ଥାତ ୧୬୦୦ କୋଟି ଟଙ୍କା। ଏହି ଡ୍ରୋନ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଉଡିବା ଓ ବଡ଼ ଅଞ୍ଚଳର ସର୍ଭିଲାନ୍ସ କରିବାକୁ ସକ୍ଷମ। ଏହାକୁ ଖାସ କରି ସମୁଦ୍ର ଅଞ୍ଚଳ ଉପରେ ନଜର ରଖିବାକୁ ଡିଜାଇନ କରାଯାଇଛି। ଏହା ୫୦ ହଜାର ଫୁଟ ରୁ ଅଧିକ ଉଚ୍ଚତାରେ ଉଡିପାରେ ଓ ୨୪ ଘଣ୍ଟାରୁ ଅଧିକ ସମୟ ଧରି ମିସନରେ ରହିପାରେ। ଏହାର ରେଞ୍ଜ ପାଖାପାଖି ୭,୪୦୦ ନଟିକାଲ ମାଇଲ। ଏହା ଦୂର ଦୂରାନ୍ତକୁ ବେଶ ସହଜରେ ପହଞ୍ଚି ପାରେ। ଏହା ପ୍ରାୟତଃ ପି-୮ଏ ପୋସିଡନ ଭଳି ପାଟ୍ରୋଲିଂ ବିମାନ ସହ ମିଶି କାମ କରିଥାଏ ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ। ୨୦୨୫ ସୁଦ୍ଧା ଆମେରିକୀୟ ନୌସେନା ପାଖରେ ଏଇଭଳି ପାଖାପାଖି ୨୦ଟି ଡ୍ରୋନ ଥିଲା ଓ ଆଗକୁ ଏହାର ସଂଖ୍ୟା ବଢାଇବା ଯୋଜନା ମଧ୍ୟ ଥିଲା।

ଯୁଦ୍ଧରେ ହେଉଛି ବିପୁଳ ବ୍ୟୟ
ଇତିମଧ୍ୟରେ ଆମେରିକା ଓ ଇରାନ ଯୁଦ୍ଧର ଆର୍ଥିକ ପ୍ରଭାବ ମଧ୍ୟ ବେଶ ବଢିଗଲାଣି। ରିପୋର୍ଟ ଅନୁସାରେ ଆମେରିକା ଯୁଦ୍ଧ ପାଇଁ ପ୍ରତି ସେକଣ୍ଡ ୧୦,୩୦୦ ଡଲାର ଅର୍ଥାତ ୯.୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ଏଥିରେ ସବୁଠୁ ଅଧିକ ଖର୍ଚ୍ଚ ମିଜାଇଲ ଓ ଅସ୍ତ୍ରଶସ୍ତ୍ର ପାଇଁ ହେଉଛି। ଏହା ଦୈନିକ ପ୍ରାୟ ୩୨୦ ମିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚୁଛି। ଏହା ଛଡା ଯୁଦ୍ଧ ବିମାନ ଅଭିଯାନ ପାଇଁ ୨୪୫ ମିଲିୟନ ଡଲାର, ସମୁ୍ଦ୍ର ଅପରେସନ ପାଇଁ ୧୫୫ ମିଲିୟନ ଡଲାର ବ୍ୟୟ ହେଉଛି।

ମିଜାଇଲ ଡିଫେନ୍ସ ଓ ଅନ୍ୟ ଖର୍ଚ୍ଚ
ମିଜାଇଲ ପ୍ରତିରକ୍ଷା ପ୍ରଣାଳୀ ଜେପରି ଥାଡ, ପାଟ୍ରିୟଟ ଓ ଏଜିସ ବାବଦେ ମଧ୍ୟ ଆମେରିକା ବିପୁଳ ବ୍ୟୟ କରୁଛି। ଏ ସବୁ ଉପରେ ଦୈନିକ ୯୫ ମିଲିୟନ ଡଲାର ଖର୍ଚ୍ଚ କରାଯାଉଛି। ସେହିପରି ଗୁଇନ୍ଦା ଓ ସାଇବର ଅପରେସନ ବାବଦକୁ ପାଖାପାଖି ୪୫ ମିଲିୟନ ଡଲାର, ସୈନିକ ଓ ଅନ୍ୟ ବ୍ୟବସ୍ଥା ଉପରେ ପାଖାପାଖି ଦୈନିକ ୩୦ ମିଲିୟନ ଡଲାର ବ୍ୟୟ ହେଉଛି। ଏହି ଭଳି ମୋଟ ମିସାଇ ଏହି ଯୁଦ୍ଧ ଆମେରିକା ପାଇଁ ଆର୍ଥିକ ରୂପେ ବେଶ୍ ବ୍ୟୟ ବହୁଳ ସାବ୍ୟସ୍ତ ହେଉଛି।

Also Read..ଲେବାନନ୍ ଉପରେ ବନ୍ଦ ହେବ ଆକ୍ରମଣ : ଆଲୋଚନା ପାଇଁ ନେତାନ୍ୟାହୁ ରାଜି