ବେରୁଟ୍, ୧୦/୦୪ : ବନ୍ଦ ହୋଇଛି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ୩୮ ଦିନର ସମରରେ ବିରାମ ଲାଗିଛି । ସ୍ଥିତି ପୂର୍ବବସ୍ଥାକୁ ଫେରିବା ନେଇ ଆଶା ସୃଷ୍ଟି ହୋଇଛି । କିନ୍ତୁ ପଛକୁ ହଟିନି ଇସ୍ରାଏଲ । ଇରାନ ଉପରେ ନହେଲେ ବି ଲେବାନନକୁ ଟାର୍ଗେଟ୍ କରୁଛି । ଲେବାନନରେ ହଜାର ହଜାର ମିସାଇଲ୍ ମାଡ କରୁଛି । ଏହା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଡ କଥା କହିଛନ୍ତି ।

ଗୁରୁବାର ନେତାନ୍ୟାହୁ କହିଛନ୍ତି ଯେ, ତେଲ ଅଭିଭ୍ ଲେବାନନ ସହ ସିଧାସଳଖ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛି । ଯେତେ ଶୀଘ୍ର ସମ୍ଭବ ଇସ୍ରାଏଲ ଆଲୋଚନା ପାଇଁ ରାଜି ରହିଛି । ଲେବାନନ ବାରମ୍ବାର ଅନୁରୋଧ କରିବା ପରେ ଇସ୍ରାଏଲ ଆଲୋଚନା ପାଇଁ ନିଷ୍ପତ୍ତି ନେଇଛି । ଲେବାନନ ପ୍ରଧାନମନ୍ତ୍ରୀ ନଓ୍ୱାଫ୍ ସଲାମ୍ ବେରୁଟରୁ ସୈନ୍ୟ ଅପସାରଣ କରିବା ନେଇ କଥା ଦେଇଛନ୍ତି । ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲାକୁ କିପରି ରୋକା ଯାଇପାରିବ ସେନେଇ ଲେବାନନ ଇସ୍ରାଏଲ ସହ ଆଲୋଚନା କରିବା ପାଇଁ ମଧ୍ୟ ରାଜି ଅଛି ।

ଅସ୍ତ୍ରବିରତି ପରେ ଜୋରଦାର ଆକ୍ରମଣ

ସୂଚନାଯୋଗ୍ୟ, ଆମେରିକା ଏବଂ ଇରାନ ଅସ୍ତ୍ରବିରତି ବାବଦରେ ଆଲୋଚନା କରିବା ପରେ ମଧ୍ୟ ଇସ୍ରାଏଲ ଚୁପ୍ ବସିନଥିଲା । ଲେବାନନ ଉପରେ ଜୋରଦାର ଆକ୍ରମଣ କରିଥିଲା । ହିଜବୁଲ୍ଲାକୁ ତେଲ୍ ଅଭିଭ୍ ଟାର୍ଗେଟ୍ କରିବେରୁଟର ଭୟଙ୍କର ଆକ୍ରମଣ କରିଥିଲା । ବୁଧବାର ଇସ୍ରାଏଲ ୧୦୦ରୁ ଅଧିକ ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ୧୮୨ ଜଣ ପ୍ରାଣ ହରାଇଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣକୁଏବେସୁଦ୍ଧା ଲେବାନନ ଉପରେ ସବୁଠୁ ବଡ ଆକ୍ରମଣ ବୋଲି କୁହାଯାଉଛି ।

ମୋଜତବାଙ୍କ ବୟାନ

ଯୁଦ୍ଧ ବିରତି ପରେ ଇରାନର ନୂଆ ସୁପ୍ରିମ୍ ଲିଡର ମୋଜତବା ଖାମେନି ଏକ ଲିଖିତ ବୟାନ ଜାରି କରିଥିଲେ । ସେ କହିଥିଲେ ଯେ, ଇରାନ ଆମେରିକା କିମ୍ବା ଇସ୍ରାଏଲ ସହ ଯୁଦ୍ଧ କରିବାକୁ ଚାହେଁ ନାହିଁ । କିନ୍ତୁ ଦେଶର ଅଧିକାରକୁ ରକ୍ଷା କରିବା ପାଇଁ ସଦାବେଳେ ପ୍ରସ୍ତୁତ ରହିଥିବା ସେ କହିଥିଲେ ।