ମୁମ୍ୱାଇ: ଭାରତୀୟ କ୍ରିକେଟ୍ ଦଳରେ ବର୍ତ୍ତମାନ ଏଭଳି ଏକ ନୀରବ ହଲଚଲ ସୃଷ୍ଟି ହୋଇଛି, ଯାହା କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ମନରେ ଆଲୋଡ଼ନ ସୃଷ୍ଟି ହୋଇଛି । କ୍ରିକେଟ୍ ଜଗତଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ କେବଳ ଦୁଇଟି ନାମ ଚର୍ଚ୍ଚାରେ ରହିଛି, ବିରାଟ କୋହଲି ଏବଂ ରୋହିତ ଶର୍ମା । ଦାବି କରାଯାଉଛି ଯେ, ଟିମ୍ ମ୍ୟାନେଜମେଣ୍ଟ ଏବେ ରୋହିତ ଶର୍ମାଙ୍କ ପରବର୍ତ୍ତୀ ଭବିଷ୍ୟତ ବିଷୟରେ ଚିନ୍ତା କରୁଛି । ଲର୍ଡସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ । ଏହାକୁ ନେଇ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ଏକ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଅନ୍ୟପଟେ, ରୋହିତ ଶର୍ମାଙ୍କ ବ୍ୟତୀତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ମନୋମାଳିନ୍ୟ ଥିବା ଖବର ମଧ୍ୟ ଭାଇରାଲ ହେଉଛି । ପଡ଼ିଆରେ ଚାଲିଥିବା ଏହି ଡ୍ରାମା ମଧ୍ୟରେ ବଲିଉଡ୍ ଅଭିନେନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଲର୍ଡସରେ ରୋହିତ ଖେଳିବେ ଶେଷ ମ୍ୟାଚ୍ ?

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟର ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଅନେକ ଗଣମାଧ୍ୟମ ରିପୋର୍ଟରେ ଚକିତ କଲାଭଳି ଦାବି କରାଯାଇଛି । ଟିମ୍ ମ୍ୟାନେଜମେଣ୍ଟ ଏବେ ରୋହିତଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଦେଇଛି । ଆଲୋଚନା ହେଉଛି ଯେ, ଐତିହାସିକ ଲର୍ଡସ ମୈଦାନରେ ରବିବାର ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ରୋହିତଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ । ତେବେ ଏହି ପ୍ରସଙ୍ଗରେ କୌଣସି ଆନୁଷ୍ଠାନିକ ବୟାନ ଆସନି ।

ରାଗିଗଲେ ଅମିଷା ପଟେଲ

ଏସବୁ ଭିତଲେ ବଲିଉଡର ଅଭିନେତ୍ରୀ ଅମିଷା ପଟେଲଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବର୍ତ୍ତମାନର ସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅମିଷା ନିଜ ପୋଷ୍ଟରେ ଲେଖିଛନ୍ତି, "ଏହି ଟ୍ୱିଟ୍ ବଲିଉଡ୍ ବିଷୟରେ ନୁହେଁ... ମୁଁ ଅନେକ ସମୟ ଧରି ଏହା ଲକ୍ଷ୍ୟ କରୁଥିଲି, ତେଣୁ ଆଜି ଟ୍ୱିଟ୍ କରିବାକୁ ମନ ହେଲା । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ସିନିୟର ସୁପରଷ୍ଟାରଙ୍କ ସହ କ୍ରିକେଟର ଏହି ସମୟରେ, କିମ୍ବା ମୁଁ କହିବି 'କ୍ରିକେଟର ଏହି ନିର୍ଦ୍ଦୟ ଯୁଗ'ରେ ଯେଭଳି ବ୍ୟବହାର କରାଯାଉଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ । ଏହା ଅତ୍ୟନ୍ତ ଲଜ୍ଜାଜନକ ।"

 

ଗୋଟିଏ ପଟେ ରୋହିତ ଶର୍ମାଙ୍କ ଅବସର ଖବର ଚର୍ଚ୍ଚାରେ ଥିବାବେଳେ, ଅନ୍ୟପଟେ ବିରାଟ କୋହଲିଙ୍କୁ ନେଇ ମଧ୍ୟ ଏକ ବଡ଼ ଦାବି କରାଯାଉଛି । ବିରାଟଙ୍କ ଅବସର ସମ୍ପର୍କରେ କୌଣସି ଖବର ଆସିନଥିଲେ ବି, ଇଂଲଣ୍ଡ ଗସ୍ତରେ ଚାଲିଥିବା ଦିନିକିଆ ସିରିଜ୍ ସମୟରେ ଦଳ ଭିତରେ ସବୁକିଛି ଠିକ୍ ଚାଲିନଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ପରସ୍ପର ସହ କଥାବାର୍ତ୍ତା କରୁନାହାନ୍ତି ।