ମୁମ୍ବାଇ ୦୨|୦୭: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ସ୍ପାଇ-ଆକ୍ସନ୍ ଫିଲ୍ମ 'ଆଲ୍ଫା' ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । YRF ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା-କେନ୍ଦ୍ରିକ ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ସମର୍ଥନ ମିଳୁଥିବା ବେଳେ ଆଡଭାନ୍ସ ବୁକିଂରେ ମଧ୍ୟ ଏହା ଦମଦାର ପ୍ରଦର୍ଶନ କରିଛି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମଟି କେତେ କୋଟି ଟଙ୍କାର ବ୍ୟବସାୟ କରିଛି ଏବଂ ରିଲିଜ ପ୍ରଥମ ଦିନରେ କେତେ ଆୟ କରିବାର ଆଶା କରାଯାଉଛି ସେନେଇ ପ୍ରକାଶିତ ରିପୋର୍ଟରେ ଦିଆଯାଇଛି ତଥ୍ୟ ।
 
'ଆଲ୍ଫା'ର ମୁକ୍ତିକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରୁଛନ୍ତି। ଏହା ସହିତ ଫିଲ୍ମର ପ୍ରି-ଟିକେଟ୍ ବିକ୍ରି ମଧ୍ୟ ଜୋରଦାର ଚାଲିଛି।  ପ୍ରାରମ୍ଭିକ ଆଡଭାନ୍ସ ବୁକିଂ ଆକଳନ ଅନୁସାରେ, 'ଆଲ୍ଫା' ଭାରତରେ ୧୦,୨୯୩ଟି ହିନ୍ଦୀ ଶୋ ପାଇଁ ପ୍ରଥମ ଦିନର ଆଡଭାନ୍ସ ବୁକିଂରେ ୪୧.୦୬ ଲକ୍ଷ ଟଙ୍କାର ଟିକେଟ୍ ବିକ୍ରି କରିଛି। ସେହିପରି, ବ୍ଲକ୍ କରାଯାଇଥିବା ସିଟ୍‌ଗୁଡ଼ିକୁ ମିଶାଇଲେ, ଫିଲ୍ମର ପ୍ରଥମ ଦିନର ଆଡଭାନ୍ସ ବୁକିଂ ଆୟ ବର୍ତ୍ତମାନ ୧.୫୨କୋଟି ଟଙ୍କାରେ ପହଞ୍ଚିଛି। ମହାରାଷ୍ଟ୍ରରେ ପ୍ରି-ଟିକେଟ୍ ବିକ୍ରିରେ ଫିଲ୍ମକୁ ସବୁଠାରୁ ଭଲ ପ୍ରତିକ୍ରିୟା ମିଳିଛି । ସେଠାରେ ବ୍ଲକ୍ କରାଯାଇଥିବା ସିଟ୍‌ଗୁଡ଼ିକୁ ମିଶାଇ ଫିଲ୍ମଟି ୩୪.୭୬ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି । ଏହା ପରେ ଦିଲ୍ଲୀରେ ୩୪.୩୫ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି । 

ସାକନିଲ୍କର ରିପୋର୍ଟର ବର୍ତ୍ତମାନର ଟ୍ରେଣ୍ଡ ଏବଂ ପ୍ରାରମ୍ଭିକ ଆକଳନ ଅନୁସାରେ, 'ଆଲ୍ଫା' ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନ ୭ ରୁ ୮ କୋଟି ଟଙ୍କା ଆୟ କରିପାରେ ବୋଲି ଆଶା କରାଯାଉଛି । ଯଦିଓ କୌଣସି ଫ୍ରାଞ୍ଚାଇଜି ଫିଲ୍ମ ପାଇଁ ଏହାକୁ ବିଶେଷ ଓପେନିଂ ବୋଲି କୁହାଯାଇପାରିବ ନାହିଁ, ତଥାପି ସ୍ପଟ୍ ବୁକିଂ ମାଧ୍ୟମରେ ଆୟ ବଢ଼ିବାର ସୁଯୋଗ ମଧ୍ୟ ରହିଛି। ସେହିପରି, ଯଦି ଫିଲ୍ମଟିକୁ ସକାରାତ୍ମକ 'ୱର୍ଡ ଅଫ୍ ମାଉଥ୍' ମିଳେ, ତେବେ ପ୍ରଥମ ଦିନର କଲେକ୍ସନ୍‌ରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଏବେ ଦେଖିବାକୁ ବାକି ରହିଲା, ଫିଲ୍ମଟି ପ୍ରଥମ ଦିନରେ ଡବଲ୍ ଡିଜିଟ୍ ଓପେନିଂ କରିପାରିବ କି ନାହିଁ। 'ଆଲ୍ଫା' ୱାଇଆରଏଫ୍ ସ୍ପାଇ ୟୁନିଭର୍ସର ପ୍ରଥମ ଏପରି ଆକ୍ସନ୍ ଫିଲ୍ମ, ଯେଉଁଥିରେ ମୁଖ୍ୟ ଭୂମିକାରେ ଦୁଇ ଦୁଇଟି ଅଭିନେତ୍ରୀ ରହିଛନ୍ତି। ଦୁଇ ଅଭିନେତ୍ରୀ ସର୍ଭରୀ ୱାଘ ଓ ଆଲିଆ ଭଟ୍ଟଙ୍କ ଭରପୁର ଆକ୍ସନ ଏଥିରେ ଦେଖିବାକୁ ପାଇବେ ଦର୍ଶକ | ତେବେ ଜାଣିବାକୁ ବାକି ରହିଲା, 'ଆଲ୍ଫା' ବକ୍ସ ଅଫିସରେ କେମିତି ପ୍ରଦର୍ଶନ କରିପାରୁଛି।