ଚାନ୍ଦବାଲି ୨୬।୧୨: ଭଦ୍ରକ ଜିଲ୍ଲାରେ ପୁଣି ଲଜ୍ଜା । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲୋକଲଜ୍ଜା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପୀଡ଼ିତା । ଏଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ମାଆ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକକୁ ଉଠାଇ ନେଇଛି ପୋଲିସ । ଏ ଘଟଣାରେ ପୋଲିସ ଅଧିକ ଛାନଭିନ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି । ଧାମରା ଥାନା ଅନ୍ତର୍ଗତ ଧାମରା ପଞ୍ଚାୟତ ଅଞ୍ଚଳରେ ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହା ନିନ୍ଦନୀୟ । ଜଣେ ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉଭୟ ଯୁବକ-ଯୁବତୀ ଗୋଟିଏ ଗାଁର ବୋଲି ଜଣାପଡିଛି ।

ତେବେ ଏଭଳି ଘଟଣା ପରେ ଲୋକଲଜ୍ଜା ଭୟରେ ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୀଡ଼ିତା ଜଣଙ୍କ ବିଷ ପିଇଦେବା ପରେ ତାଙ୍କୁ ପ୍ରଥମେ ଧାମରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ଧାମରା ଥାନାରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ସେପଟେ, ଭଦ୍ରକ ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ରେଡ୍‌ ଫ୍ଲାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ CAWକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ପୂରା ତଦନ୍ତର ତଦାରଖ କରିବ ଟିମ୍‌ । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରାନ୍ବିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଘଟଣାରେ ଗିରଫ ଅଭିଯୁକ୍ତ ବାବୁଲ୍‌ ଦାସକୁ ଭଦ୍ରକ ପୋକ୍ସୋ କୋର୍ଟରେ ହାଜର ପରେ ଜେଲ୍‌କୁ ପଠାଇ ଦିଆଯାଇଛି ।

ଚାନ୍ଦବାଲି ଘଟଣାକୁ ନେଇ ଗୁରୁବାର ୬ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି ବିଜେଡି, କଂଗ୍ରେସ ଓ ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଚାନ୍ଦବାଲି ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସମେତ ବିଜେଡି ନେତା ଓ କର୍ମୀ ରାଜରାସ୍ତାରେ ବସିବା ସହ ପିକେଟିଂ କରିଥିଲେ । ସେହିଭଳି କଂଗ୍ରେସ ଓ ବାମ ଦଳର ନେତା କର୍ମୀ ସହରର ବିଭିନ୍ନ ସ୍ଥାନରେ ନାରାବାଜି କରିଥିଲେ । ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ସହ ବେଆଇନ ନିଶା କାରବାର ରୋକିବା ପାଇଁ ଦାବି କରିଥିଲେ ସମସ୍ତ ରାଜନୈତିକ ଦଳ ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ, ଚାନ୍ଦବାଲି ଘଟଣାରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରୋଧୀ କେବଳ ରାଜନୀତି କରୁଛନ୍ତି । ଜବାବରେ ବିଜେଡି ନେତା ଦେବୀ ମିଶ୍ର କହିଥିଲେ, ଆମେ ରାଜନୀତି କରିବୁ । ଲୋକଙ୍କ ପାଇଁ ରାଜନୀତି କରିବୁ । ଏ ସରକାରରେ ୪୦ ହଜାର ନାରୀ ନିର୍ଯାତନାର ଶିକାର ହୋଇଛନ୍ତି । ଏମିତିକି ରାଜ୍ୟରେ ନାବାଳିକା ସୁରକ୍ଷିତ ନୁହନ୍ତି । ଜନସାଧାରଣଙ୍କ କ୍ଷୋଭରେ ଆଜି ଚାନ୍ଦବାଲି ବନ୍ଦ ହୋଇଛି । ଗାଁ ଗାଁରେ ନାରୀ ବର୍ତ୍ତମାନ ଅସୁରକ୍ଷିତ ।  ଆମେ ଆଶା କରୁଛୁ ସରକାର ଚେତିବେ ।