ବ୍ରହ୍ମପୁର ୨୧।୨: ପରୀକ୍ଷାର ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ଦୃଢ଼ ସଂକଳ୍ପ କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଥିଲେ । ହେଲେ ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏମିତି ଏକ ସାଙ୍ଘାତିକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଚଳିତ ବର୍ଷ ଦଶମ ପରୀକ୍ଷାର ଗତ ୧୯ ତାରିଖରେ ପ୍ରଥମ ଦିନର ଓଡ଼ିଆ ପରୀକ୍ଷାରେ ଦେଖା ଦେଇଥିଲା ବିଭ୍ରାଟ । କୁଇନମିଶନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା କେତେକ ଛାତ୍ରଛାତ୍ରୀଙ୍କୁ ଭୁଲ ପ୍ରଶ୍ନପତ୍ର ସେଟ୍ ପ୍ରଦାନ କରାଯାଇଥିଲା । ପ୍ରାୟ ୪୦ମିନଟ୍ ପରେ ପିଲାଙ୍କୁ ସଠିକ୍ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ବେଳେ ପିଲାଙ୍କୁ ତାହାର ଉତ୍ତର ଲେଖିବାକୁ କୁହାଯାଇଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

ସିଟି ହାଇସ୍କୁଲ ପିଲାଙ୍କ ପରୀକ୍ଷା କେନ୍ଦ୍ର କୁଇନମିଶନ ସ୍କୁଲରେ ପଡିଛି । ଜଣେ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ‘ଡି’ ସେଟ୍ ଦିଆ ଯାଇଥିଲା । OMR ସିଟ୍ରେ ପାଖାପାଖି ୪୦ ମିନିଟ୍ ଲେଖିବା ପରେ ‘ଡି’ ସେଟ୍ ପ୍ରଶ୍ନପତ୍ର ପରିବର୍ତ୍ତନ କରି B ସେଟ୍ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଏକ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ‘ସି’ ସେଟ୍ ପ୍ରଶ୍ନପତ୍ର ଦିଆଯାଇଥିଲା । OMR ସିଟ୍ରେ ପାଖାପାଖି ୩୦ ମିନିଟ୍ ଲେଖିବା ପରେ ‘ସି’ ସେଟ୍ ପ୍ରଶ୍ନପତ୍ର ପରିବର୍ତ୍ତନ କରି ‘ଏ’ ସେଟ୍ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ପରୀକ୍ଷା ହଲ୍ରେ ନିୟୋଜିତ ପରୀକ୍ଷକ OMR ସିଟ୍ରେ ହ୍ୱାଇଟନର ଲଗାଇ ପୁଣି ଥରେ ନୂତନ ସେଟ୍ ପ୍ରଶ୍ନପତ୍ର ଅନୁଯାୟୀ ଉତ୍ତର ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ପରୀକ୍ଷକଙ୍କ ଭୁଲ୍ ଯୋଗୁଁ ପରୀକ୍ଷାର୍ଥୀ ସମୟ ଅଭାବରୁ ଅନ୍ୟ ପ୍ରଶ୍ନର ଉତ୍ତର ଲେଖି ପାରିନଥିବା ଅଭିଯୋଗ କରିଛନ୍ତି । ଏନେଇ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିବା କହିଛନ୍ତି । ଗ୍ରେସ୍ ମାର୍କ ଦେବାକୁ ନିବେଦନ କରିଛନ୍ତି । ଏଭଳି ଭୁଲ୍ ପାଇଁ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ବାସ୍ତବରେ ପରୀକ୍ଷକଙ୍କ ଭୁଲ୍ ପାଇଁ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡିଛି । ପରୀକ୍ଷକଙ୍କ ଭୁଲ୍ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ପରୀକ୍ଷାର୍ଥୀଙ୍କୁ କି ପ୍ରକାର ନ୍ୟାୟ ପ୍ରଦାନ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।