ନୂଆଦିଲ୍ଲୀ: ‘ଅଦାଲତ ସମାଜର ନୈତିକତାରେ ନୁହେଁ ବରଂ ଆଇନ ଆଧାରରେ ଚାଲିଥାଏ। ଏଥିପାଇଁ ସମାଜ କ’ଣ କହୁଛି ଏହା ଭାବି ଆମେ ନାଗରିକଙ୍କ ସୁରକ୍ଷା ଅଧିକାରକୁ ଅଣଦେଖା କରିପାରିବୁନାହିଁ।’ ଜଣେ ବିବାହିତ ବ୍ୟକ୍ତିଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଲିଭ ଇନରେ ରହିବାକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି ଆଲାହାବାଦ ହାଇକୋର୍ଟ ଜଷ୍ଟିସ ଜେ.ଜେ ମୁନୀର ଏବଂ ଜଷ୍ଟିସ ସକ୍ସେନାଙ୍କ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଏହା ସହ ଅଦାଲତ ଲିଭ ଇନରେ ରହୁଥିବା ଦମ୍ପତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ଥିଲା ମାମଲା ?

ପ୍ରକୃତରେ, ଲିଭ ଇନରେ ରହୁଥିବା ପୁରୁଷ ଜଣକ ପୂର୍ବରୁ ବିବାହିତ। ହେଲେ ସେ ଅନ୍ୟ ଜଣେ ପ୍ରାପ୍ତ ବୟସ୍କାଙ୍କ ସହ ଲିଭ ଇନରେ ରହୁଥିଲେ। ହେଲେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଏବଂ ତାଙ୍କ ପରିବାରଠାରୁ ବିପଦ ଥିବା ଦର୍ଶାଇ ସେମାନେ କୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଆଉ ଏହି ମାମଲାରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଭାରତୀୟ ବ୍ୟବସ୍ଥାରେ ବିବାହିତ ବ୍ୟକ୍ତିଙ୍କୁ ଲିଭ ଇନରେ ରହିବା କୌଣସି ଅପରାଧ ବୋଲି କୁହାଯାଇନାହିଁ।

ନୈତିକତା ଏବଂ ଆଇନ ଦୁଇଟି ଭିନ୍ନ କଥା: ଆଲାହବାଦ ହାଇକୋର୍ଟ

ବେଞ୍ଚ କହିଛନ୍ତି, ‘‘ ଯଦି ସେହି ବ୍ୟକ୍ତି କାହା ସହ ବଳପୂର୍ବକ ଭାବରେ ଲିଭ ଇନରେ ରହୁନାହାଁନ୍ତି ତା’ହେଲେ ତାଙ୍କୁ କୌଣସି ଅପରାଧ ପରିସରରେ ରଖାଯାଇପାରିବନାହିଁ।’’ ବେଞ୍ଚ କହିଛନ୍ତି ‘ନୈତିକତା ଏବଂ ଆଇନ ଦୁଇଟି ଭିନ୍ନ କଥା। ଯଦି କୌଣସି କଥାକୁ ଆଇନରେ ଅପରାଧ ବୋଲି କୁହାଯାଇନାହିଁ, ତେବେ ନୈତିକତା ଏବଂ ସମାଜର ରାୟ ଆମ ନିଷ୍ପତ୍ତିକୁ ପ୍ରଭାବିତ କରିପାରିବେନି। ବରଂ ଅଦାଲତଙ୍କ କର୍ତ୍ତବ୍ୟ ହେଉଛି ସେ ନାଗରିକଙ୍କ ସୁରକ୍ଷା ଅଧିକାରର ରକ୍ଷା କରିବେ।’’

Also Read: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ‘ଯୌନ ନିର୍ଯାତନା’ ସହ ସମାନ

ସେପଟେ ବ୍ୟକ୍ତିଙ୍କର ପତ୍ନୀଙ୍କ ଓକିଲ କହିଛନ୍ତି, ଯେତେବେଳେ ସେ ପୂର୍ବରୁ ବିବାହିତ ତା’ହେଲେ କୌଣସି ଅନ୍ୟ ମହିଳାଙ୍କ ସହ ରହିବା ଅପରାଧ। ଏହା ଉପରେ ଅଦାଲତ କହିଛନ୍ତି ଯେ, ସାମାଜିକ ନୈତିକତା ଏବଂ ଆଇନକୁ ଭିନ୍ନ ଭିନ୍ନ ଭାବରେ ଦେଖାଯିବା ଉଚିତ।

ଦମ୍ପତିଙ୍କ ସୁରକ୍ଷା ପାଇଁ ଏସପିଙ୍କୁ ନିର୍ଦ୍ଦେଶ

କୋର୍ଟ ଶୁଣାଣି ସମୟରେ ବ୍ୟକ୍ତିଙ୍କ ସହ ଲିଭ ଇନରେ ରହୁଥିବା ମହିଳାଙ୍କ ଆବେଦନର ମଧ୍ୟ ଉଦାହରଣ ଦେଇଥିଲେ। ବେଞ୍ଚ କହିଛନ୍ତି ମହିଳା ଶାହଜାହାଁପୁର ଏସପିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ଯେ, ସେ ବୟସ୍କ ଏବଂ ନିଜ ଇଚ୍ଛାରେ ବ୍ୟକ୍ତିଙ୍କ ସହ ଲିଭ ଇନରେ ରହୁଛନ୍ତି। ଅଦାଲତ ଆହୁରି କହିଛନ୍ତି ଲିଭ ଇନରେ ରହୁଥିବା ଉଭୟ ମିଳିତ ଆଫିଡେଭିଟ ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ଏସପି ମଧ୍ୟ ସେହି ଚିଠି ଆଧାରରେ ହିଁ କୌଣସି ଆକ୍ସନ ନେଇନାହାଁନ୍ତି। ତେଣୁ ଏହା କୌଣସି ଅପରାଧ ନୁହେଁ।’’ ତେବେ ଅଦାଲତ ଏହି ମାମଲାରେ ଏପ୍ରିଲ ୮ରେ ପରବର୍ତ୍ତୀ ଶୁଣାଣି କରିବେ। ଏମିତିରେ ଦମ୍ପତିଙ୍କ ଯେଭଳି କୌଣସି କ୍ଷତି ନପହଞ୍ଚେ ସେଥିପାଇଁ ଜିଲ୍ଲା ଏସପିଙ୍କୁ କୋର୍ଟ ଆଦେଶ ମଧ୍ୟ ଦେଇଛନ୍ତି ।