ଭୁବନେଶ୍ୱର ୧୫।୦୯ : ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଧୁମଧାମରେ ପାଳନ କରୁଛନ୍ତି ନୂଆଁଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ନୂଆଁଖାଇ ପର୍ବ। ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ତେବେ ନୂଆଁଖାଇ ପାଇଁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ଛୁଅ । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା। ନୂଆଁଖାଇ ଅବସରରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି। ନୂଆଁଖାଇ କେବଳ ପର୍ବ ନୁହେଁ ଏହା ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ। ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର । ମା’ ସମଲେଶ୍ୱରୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଯେ, ନୂଆଁଖାଇ ଆଣୁ ନୂଆଁ ଆଶା ଆର୍ ନୂଆଁ ସପନ୍। ଏ ପବିତ୍ର ପରବ୍ ସମ୍କର୍ ଘରେ ଖୁସି, ମନ୍ନେ ଶାନ୍ତି ଆର୍ ଜୀବନ୍ନେ ସମୃଦ୍ଧି ଭରିଦେଉ। ଆମର୍ ମାଟି, ସଂସ୍କୃତି ଆର୍ ଭାଇଚାରାର୍ ଏ ବନ୍ଧନ୍ ସବୁବେଲେ ଅତୁଟ୍ ରହୁ।

ସେହିପରି ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହା କେବଳ ଏକ ପର୍ବ ନୁହେଁ ବରଂ ଏହା ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ଅନନ୍ୟ ମହାମିଳନ ନୂଆଁଖାଇ । ସମଗ୍ର ସମାଜକୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥାଏ ଗଣପର୍ବ ନୂଆଁଖାଇ ।