ମୁମ୍ବାଇ ୨୪।୧: ଶିବସେନା (ୟୁବିଟି) ନେତା ସଞ୍ଜାୟ ରାଉତ ଶନିବାର କହିଛନ୍ତି ଯେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦୁଇ ଦଳ ଏକାଠି ହେବେ ଓ ମହାରାଷ୍ଟ୍ରର ଅଜିତ ପାୱାର ମହାବିକାଶ ଅଘାଡ଼ି (ଏମଭିଏ)କୁ ଫେରିବେ। କାରଣ ସେ ଏବେ ନିଜ ପରିବାରକୁ ସମର୍ଥନ କରୁଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନାରେ ରାଉତ କହିଛନ୍ତି ଯେ ଅଜିତ ପାୱାରଙ୍କ ଏନସିପିର ଶରଦ ପାୱାରଙ୍କ ଏନସିପିରେ ବିଲୟ ହୋଇଯାଇଛି। କାରଣ ଉଭୟ ପାର୍ଟି ରାଜ୍ୟରେ ଆଗାମୀ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନକୁ ଘଡ଼ି ନିର୍ବାଚନ ଚିହ୍ନରେ ଲଢିବେ।

ସଞ୍ଜୟ ରାଉତ କହିଛନ୍ତି ଯେ ଯଦିଓ ଅଜିତ ପାୱାର ମହାୟୁତୀର ସହଯୋଗୀ ହେଲେ ତାଙ୍କର ଏମଭିଏ ସହିତ ମଧ୍ୟ ସମ୍ପର୍କ ରହିଛି। ଶରତ ପାୱାର ଓ ଅଜିତ ପାୱାର ଏମଭିଏରେ ଏକାଠି ଆସିବେ। କାରଣ ଅଜିତ ପାୱାର ଏକ ସମୟରେ ଦୁଇଟି ଡଙ୍ଗାରେ ଗୋଡ ରଖି ପାରିବେନି। ୨୦୨୪ରେ ଅଜିତ ପାୱାର ତାଙ୍କ ୮ ସମର୍ଥକ ଏମଏଲଏଙ୍କ ସହିତ ତତ୍କାଳୀନ ଏକନାଥ ସିନ୍ଦେ ସରକାରରେ ସାମିଲ ହୋଇଯାଇଥିଲେ। ଏଣୁ ଏନସିପି ବିଭାଜିତ ହୋଇଯାଇଥିଲା। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ପାର୍ଟିକୁ ଘଡ଼ି ନିର୍ବାଚନ ଚିହ୍ନ ଓ ପାର୍ଟି ମିଳିଥିଲା ଓ ଶରଦ ପାୱାରଙ୍କ ପାର୍ଟିକୁ ଏନସିପି(ଶରଦ) କୁହାଯାଉଛି।

ଏନସିପିର ବିଭିନ୍ନ ଗୋଷ୍ଠୀ ଚଳିତମାସ ପ୍ରାରମ୍ଭରେ ପୁଣେ ଓ ପିମ୍ପରୀ-ଚିଞ୍ଚୱାଡ ନଗରନିଗମ ନିର୍ବାଚନ ଲାଗି ମେଣ୍ଟ କରିଥିଲେ ଓ ଏବେ ସେମାନେ ନଗରନିଗମ ନିର୍ବାଚନର ୫ ଫେବୃଆରୀରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଏନସିପି ଶରଦ ପାୱାରଙ୍କ ଏନସିପିର ନିର୍ବାଚନ ଚିହ୍ନ ଘଡ଼ିରେ ନିର୍ବାଚନ ଲଢିବେ। ରାଉତ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ମେୟର ନିର୍ବାଚନକୁ ନେଇ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି। ରାଉତ କହିଛନ୍ତି ଯେ ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ପ୍ରସଙ୍ଗରେ ନଇଁବାକୁ ରାଜି ହେଉ ନାହାନ୍ତି। ଏଣୁ ବିଏମସିରେ ବିଜେପି ମେୟର ନିଯୁକ୍ତ କରିବା ଏକପ୍ରକାର ନିଶ୍ଟିତ ହୋଇଯାଇଛି।