ନୂଆଦିଲ୍ଲୀ ୨୩।୩: ଭାରତରେ ୨୩ ମାର୍ଚ୍ଚ ସୋମବାରଠାରୁ ବିମାନ ଯାତ୍ରା ମହଙ୍ଗା ହେବ। କାରଣ ସରକାର ଆଉ ବିମାନ ଭଡ଼ା ସ୍ଥିର କରିବେନି। ଏଣୁ ଏୟାରଲାଇନ୍ସଙ୍କୁ ବଜାର ପରିସ୍ଥିତି ଓ ବଢୁଥିବା ବ୍ୟୟ ଅନୁସାରେ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ୱାଧୀନତା ମିଳିଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ଏହି ପଦକ୍ଷେପ ଯୋଗୁ ନିଷ୍ପତ୍ତି ଏବେ ଏୟାରଲାଇନ୍ସଙ୍କ ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ଏଣୁ ପରିଚାଳନା ସମ୍ପର୍କିତ ବାଧା ସମୟରେ ଭଡ଼ା ସ୍ଥିର କରିବାକୁ ଅସ୍ଥାୟୀ ମୂଲ୍ୟ ସୀମା ସମାପ୍ତ ହୋଇଯାଇଛି। ଏହି ସୀମା ହଟିବା ପରେ ଏବେ ଅନୁମାନ କରାଯାଉଛି ଏୟାରଲାଇନ୍ସ ମାନେ ଏବେ ଧିରେ ଧିରେ ଟିକେଟ ମୂଲ୍ୟ ବଢାଇବେ। ଏହି ମୂଲ୍ୟ ବୃଦ୍ଧି ଖାସ କରି ଅଧିକ ଚାହିଦା ଥିବା ମାର୍ଗରେ ହେବ।

ଉଦ୍ୟୋଗ ଜଗତ ଅନୁମାନ ଅନୁସାରେ ଯାତ୍ରୀ ଏବେ ପ୍ରତି ଟିକେ ମୂଲ୍ୟରେ ୨୦୦ରୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି ଦେଖିବେ, ଯାହା ଏୟାରଲାଇନ, ରୁଟ ଓ ବୁକିଂ ୱିଣ୍ଡୋ ଉପରେ ନିର୍ଭର କରିବ। ଏଥିରେ ଇଣ୍ଡିଗୋ ଏୟାରଲାଇନ୍ସ ସୂତ୍ରଙ୍କ କହିବା କଥା ହେଉଛି ଏହି ମାମଲାରେ ଇଣ୍ଡିଗୋ ସବୁଠୁ ଆଗରେ ରହିବ। ଏଣୁ ଏହାର ଟିକେଟ୍ ମୂଲ୍ୟରେ ୩୦୦ରୁ ୧,୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଭାରତରେ ଏୟାରଲାଇନ୍ସମାନେ ପୂର୍ବରୁ ଫୁଏଲ ସରଚାର୍ଜ ଲାଗୁ କରିଛନ୍ତି। ଏଣୁ ଦିଲ୍ଲୀ-ମୁମ୍ବାଇ ଓ ମୁମ୍ବାଇ-ବେଙ୍ଗାଲୁରୁ ଭଳି ବ୍ୟସ୍ତତମ ମାର୍ଗରେ ବିଶେଷ କରି ବ୍ୟସ୍ତ ସମୟରେ ଭଡାରେ ୧,୫୦୦ ବା ତାଠୁ ଅଧିକ ବୃଦ୍ଧି ହୋଇ ପାରେ।

ସେହିପରି ଫୁଲ ସର୍ଭିସ କ୍ୟାରିୟର ଏୟାର ଇଣ୍ଡିଆ ପକ୍ଷରୁ ଭଡ଼ାରେ ୪୦୦ରୁ ୧,୫୦୦ ଟଙ୍କା ବୃଦ୍ଧି କରିପାରେ ବୋଲି ଆକଳନ କରାଯାଉଛି। ତେବେ ଇକୋନମୀ କ୍ଲାସ୍ ଟିକେଟରେ ମାମୁଲି ବୃଦ୍ଧିର ଅନୁମାନ କରାଯାଉଥିବା ବେଳେ ଶେଷ ସମୟରେ ବୁକିଂ ଓ ବ୍ୟବସାୟୀକ ଯାତ୍ରା ସେଗମେଣ୍ଟରେ ଅଧିକ ଚାହିଦା ଓ ପ୍ରିମିୟମ ସ୍ଥିତି କାରଣରୁ ଟିକେଟ୍ ମୂଲ୍ୟ ଅଧିକ ହୋଇପାରେ। ଲୋ କଷ୍ଟ ଏୟାର ଲାଇନ୍ସଙ୍କ ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରାରମ୍ଭିକ ଭଡ଼ାରେ ୩୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆକଳନ କରାଯାଉଛି। ସେହିପରି ସ୍ପାଇସ୍ ଜେଟ୍ ଭଡା ବୃଦ୍ଧିକୁ ୨୦୦ରୁ ୮୦୦ ମଧ୍ୟରେ ସୀମିତ ରଖିପାରେ।

ଏହି ଭଡ଼ା ବୃଦ୍ଧି ବ୍ୟାପକ ବଜାରଧାରା ସହ ସମନ୍ୱିତ ହେବ ଓ କମ୍ପାନୀର ଅଭିବୃଦ୍ଧି ରଣନୀତିକୁ ମଧ୍ୟ ବଜାୟ ରଖିବ। ରୁଟ ହିସାବରେ ଦେଖିଲେ ୧ ଘଣ୍ଟାରୁ କମ ଦୂରତାର ଛୋଟ ଉଡାଣରେ ଭଡ଼ା ୨୦୦ରୁ ୫୦୦ ଟଙ୍କାର ମାମୁଲି ବୃଦ୍ଧି ହୋଇପାରେ। ଏଥିରେ ୨ ଘଣ୍ଟାରୁ ଅଧିକ ମେଟ୍ରୋ ଉଡାଣ ନିମନ୍ତେ ବିମାନ ଭଡାରେ ୫୦୦ରୁ ୧,୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ତେବେ ସବୁଠୁ ଅଧିକ ପ୍ରଭାବ ଶେଷ ସମୟ ବୁକିଂ ଉପରେ ପଡିବ ବୋଲି ଅନୁମାନ କରାଯାଉଛି। ଖାସ କରି ଛୁଟି ଓ ସପ୍ତାହନ୍ତରେ ଏହି ବୃଦ୍ଧି ହେବ।

ଭଡ଼ା ବୃଦ୍ଧିର ମୁଖ୍ୟ କାରଣ ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ)ର ବଢୁଥିବା ଖର୍ଚ୍ଚ, ଯାହା ଏୟାରଲାଇନଙ୍କ ଖର୍ଚ୍ଚର ଏକ ବଡ଼ ଭାଗ ଏହା ସହିତ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟ ବୈଶ୍ୱିକ ତୈଳ ମୂଲ୍ୟକୁ ପ୍ରଭାବିତ କରୁଛି। ତେବେ ସରକାର ଏୟାରଲାଇନ୍ସଙ୍କୁ ଯାତ୍ରୀ ଭଡ଼ାରେ ଅଧିକ ବୃଦ୍ଧି ନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ହେଲେ ଏବେ ଭଡ଼ା କମବେଶି ହେବା ଚାହିଦା ଉପରେ ନିର୍ଭର କରିବ।